Advertisment

Cervical Cancer: ସର୍ଭିକାଲ କର୍କଟ ବିରୋଧରେ କେନ୍ଦ୍ରର ବଡ଼ ଲଢ଼େଇ, ଆରମ୍ଭ ହେବ ମାଗଣା ଟିକାକରଣ

ଭାରତରେ କିଶୋରୀ ଓ ମହିଳା ମାନଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ଶତ୍ରୁ ସାଜିଛି ଜରାୟୁ କର୍କଟ । ୧୫ରୁ ୪୪ ବର୍ଷ ବୟସ୍କାଙ୍କୁ ଏହି କର୍କଟ ଅଧିକ ଆକ୍ରମଣ କରିଥାଏ । ୯୮ ପ୍ରତିଶତ ରୋଗୀ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ଡାକ୍ତରଙ୍କ ପାଖକୁ ଆସୁଥିବାରୁ ଆଉ ଆରୋଗ୍ୟ ସମ୍ଭବ ହେଉନାହିଁ ।

author-image
Hemant Lenka
vaccine

ଟିକା

କେନ୍ଦ୍ର ସରକାର ଦେଶବ୍ୟାପୀ ହ୍ୟୁମାନ ପାପିଲୋମା ଭାଇରସ (ଏଚପିଭି) ଟିକାକରଣ ଆରମ୍ଭ କରିବେ। ୧୪ ଓ ତା’ଠାରୁ ଅଧିକ ବୟସ୍କ ଝିଅଙ୍କୁ ମାରାତ୍ମକ ଜରାୟୁ କର୍କଟ ବା ସର୍ଭିକାଲ କ୍ୟାନସର(Cervical Cancer)ରୁ ରକ୍ଷା କରିବା ପାଇଁ ମାଗଣା ଟିକା ଦେବେ। ଏହି ସ୍ୱେଚ୍ଛାକୃତ କାର୍ଯ୍ୟକ୍ରମ ଆଗାମୀ ସପ୍ତାହରୁ ପୂରା ଦେଶରେ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

Advertisment

ଅଧିକାରୀଙ୍କ କହିବା କଥା ଏହି କାର୍ଯ୍ୟକ୍ରମ ଜରିଆରେ ଏଚପିଭି ଟାଇପ ୧୬ ଓ ୧୮(ଯାହା ସର୍ଭିକାଲ କ୍ୟାନସରର ଅଧିକାଂଶ ମାମଲା ପାଇଁ ଦାୟୀ) ସହ ଟାଇପ ୬ ଓ ୧୧ରୁ ସୁରକ୍ଷା ପ୍ରଦାନ କରିବା ପାଇଁ quadrivalent HPV ଟିକା ଦିଆଯିବ। ଏହି କାର୍ଯ୍ୟକ୍ରମର ବିଜ୍ଞାନ ଭିତ୍ତିକ କାରଣ ସମ୍ପର୍କରେ ଅଧିକାରୀ ଜଣଙ୍କ ଗୁରୁତ୍ୱ ଦେଇ କହିଛନ୍ତି ଯେ ପ୍ରସ୍ତାବିତ ବୟସ ବର୍ଗର ଝିଅମାନଙ୍କୁ ଦିଆଯିବାକୁ ଥିବା ଗୋଟିଏ ଡୋଜ ଟିକା ସଶକ୍ତ ଓ ଦୀର୍ଘକାଳୀନ ସୁରକ୍ଷା ପ୍ରଦାନ କରିଥାଏ ବୋଲି ବିଶ୍ୱସ୍ତରୀୟ ଓ ଭାରତୀୟ ବିଜ୍ଞାନ ଭିତ୍ତିକ ପ୍ରମାଣରୁ ସ୍ପଷ୍ଟ ହୋଇଛି। ଜାତୀୟ କାର୍ଯ୍ୟକ୍ରମ ଜାରିଆରେ ଟିକାକରଣ ସଂପୂର୍ଣ୍ଣ ସ୍ୱେଚ୍ଛାକୃତ ଓ ମାଗଣା ରହିବ। ଫଳରେ ସବୁ ବର୍ଗର ଝିଅମାନେ ଏହାକୁ ନେବାକୁ ସକ୍ଷମ ହେବେ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। 

ଏହାପୂର୍ବରୁ ୨୦୨୨ରେ ଜରାୟୁ କର୍କଟ ବିରୋଧରେ ଲଢ଼ିବାକୁ ସ୍ୱଦେଶୀ ଟିକକା ବାହାରିଥିଲା। ସେରମ୍ ଇନଷ୍ଟିଚ୍ୟୁଟ୍ ସ୍ୱଦେଶୀ ଟିକା ବାହାର କରିଥିବା ଦାବି କରିଥିଲା। ପ୍ରଥମ ପର୍ଯ୍ୟାୟରେ ୨୦ କୋଟି ଡୋଜ୍ ଭାରତ ସରକାରଙ୍କୁ ଉପଲବ୍ଧ କରାଇବାକୁ କମ୍ପାନୀ ଲକ୍ଷ୍ୟ ରଖିଥିବାବେଳେ ଏହାର ବଜାର ଦର ୨ଶହରୁ ୪ ଶହ ଟଙ୍କା ହେବ ବୋଲି ସୂଚନା ଦେଇଥିଲେ ସେରମ୍ ସିଇଓ ଅଦର ପୁନାଓ୍ୱାଲା। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ସର୍ଭିକାଲ କ୍ୟାନସର ଟିକା ଦିଆଗଲେ ଏହି ରୋଗରେ ଆକ୍ରାନ୍ତ କିଶୋରୀ ଓ ମହିଳାଙ୍କୁ ମୃତ୍ୟୁହାରକୁ ଯଥେଷ୍ଟ କମାଇ ହେବ ବୋଲି ମତ ରଖିଛନ୍ତି। ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଓ ବାୟୋଟେକ୍ନୋଲୋଜିର ମିଳିତ ଉଦ୍ୟମରେ କ୍ୱାଡ୍ରିଭାଲାଣ୍ଟ ହ୍ୟୁମାନ୍ ପାପିଲୋମାଭାଇରସ୍ ଭ୍ୟାକ୍ସିନ୍‌ ପ୍ରସ୍ତୁତ ହୋଇଛି। 

Advertisment

ଏଭଳି ଟିକା ଉଦ୍ଭାବନ ପାଇଁ ପ୍ରାୟ ୧୦ବର୍ଷ ରିସର୍ଚ୍ଚ କରିବାକୁ ପଡ଼ିଛି।  ଟିକାର ସଫଳତା ସମ୍ପର୍କରେ ଅନୁଧ୍ୟାନ ପାଇଁ ୨ ହଜାର ସ୍ୱେଚ୍ଛାସେବୀଙ୍କୁ ମନୋନୀତ କରାଯାଇଥିଲା। ଟିକା ପ୍ରଥମେ ଭାରତରେ ଉପଲବ୍ଧ ହେବ ଓ ପରେ ବିଦେଶକୁ ଯିବ ବୋଲି ସେରମ କହିଛି। 

କର୍କଟ ରୋଗ ବିଶେଷଜ୍ଞଙ୍କ ସୂଚନା ଅନୁସାରେ-ଭାରତରେ କିଶୋରୀ ଓ ମହିଳା ମାନଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ଶତ୍ରୁ ସାଜିଛି ଜରାୟୁ କର୍କଟ । ୧୫ରୁ ୪୪ ବର୍ଷ ବୟସ୍କାଙ୍କୁ ଏହି କର୍କଟ ଅଧିକ ଆକ୍ରମଣ କରିଥାଏ । ୯୮ ପ୍ରତିଶତ ରୋଗୀ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ଡାକ୍ତରଙ୍କ ପାଖକୁ ଆସୁଥିବାରୁ ଆଉ ଆରୋଗ୍ୟ ସମ୍ଭବ ହେଉନାହିଁ । ଫଳରେ ଶେଷରେ ମୃତ୍ୟୁ ଘଟୁଛି । ସ୍ୱାସ୍ଥ୍ୟ ବିଭାଗର ତଥ୍ୟ କହୁଛି-୨୦୧୯ରୁ ଆଜି ସୁଦ୍ଧା ୪୧ ଲକ୍ଷରୁ ଅଧିକ ମହିଳାଙ୍କର ଜରାୟୁ କର୍କଟରେ ମୃତ୍ୟୁ ଘଟିଲାଣି । ଏମିତିକି ପ୍ରତି ୮ ମିନିଟ୍‌ରେ ଏହି ରୋଗରେ ଜଣେ ମହିଳାଙ୍କର ପ୍ରାଣ ଯାଉଛି ।

ସଚେତନତାର ଅଭାବ ଓ ଜରାୟୁ କର୍କଟକୁ ଏକ ସାଧାରଣ ରୋଗ ଭାବି ଅବହେଳା ପରେ ପ୍ରାଣଘାତୀ ସାଜୁଛି । ବିଦେଶରେ ଏହାର ପ୍ରତିଷେଧକ ଟିକା ମିଳୁଛି, ହେଲେ ବହୁମୂଲ୍ୟ।  ଏମିତିକି ଡୋଜ୍ ପିଛା ୧୧ ହଜାରରୁ ଅଧିକ ଟଙ୍କା ପଡୁଛି । ତେଣୁ ଭାରତରେ କମ୍ ଦରରେ ଜରାୟୁ କର୍କଟ ଟିକା ଉପଲବ୍ଧ ହେଲେ ତାହା କେବଳ ମହିଳା ନୁହନ୍ତି କିଶୋରୀଙ୍କ ମୃତ୍ୟୁହାରକୁ ବି ବହୁ ମାତ୍ରାରେ ରୋକି ପାରିବ ।

Cervical Cancer