Advertisment

ବୃଦ୍ଧ ଦମ୍ପତିଙ୍କ ଦୁଃଖ ବୁଝିଲେନି, ଅଧ ଘଣ୍ଟା ଛିଡ଼ା ହେବାକୁ ନିର୍ଦ୍ଦେଶ ଦେଲେ ଅଧିକାରୀ

ନିଜ ସମସ୍ୟାର ସମାଧାନ ନିମନ୍ତେ ବୃଦ୍ଧ ଦମ୍ପତି ସରକାରୀ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ। ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ଗୁହାରୀ କଲେ ବି ହେଲାନି ସମାଧାନ ।

author-image
Niharika Rout
Office

Office

ନିଜ ସମସ୍ୟାର ସମାଧାନ ନିମନ୍ତେ ବୃଦ୍ଧ ଦମ୍ପତି ସରକାରୀ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ। ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ଗୁହାରୀ କଲେ ବି ହେଲାନି ସମାଧାନ । ଅଧିକାରୀମାନେ ବୃଦ୍ଧ ଦମ୍ପତିଙ୍କ ସମସ୍ୟାକୁ କର୍ଣ୍ଣପାତ କଲେନି। ସିସିଟିଭିରେ ଏହା ଦେଖୁଥିବା ଆଇଏଏସ୍‌ ଅଧିକାରୀଜଣକ ଶେଷରେ ନିଜ କର୍ମଚାରୀଙ୍କୁ ଶୁଣାଇଲେ ଦଣ୍ଡ। ଅଧ ଘଣ୍ଟା ପର୍ଯ୍ୟନ୍ତ ଛିଡ଼ା ହୋଇ କାମ କରିବାକୁ ଦେଲେ ନିର୍ଦ୍ଦେଶ।

Advertisment

ଏପରି ଏକ ରୋଚକ ଘଟଣା ଉତ୍ତରପ୍ରଦେଶର ନୋଏଡାରେ ଘଟିଛି। ଏକ ବୟସ୍କ ଦମ୍ପତି ନିଜ ସମସ୍ୟାର ସମାଧାନ ଆଶାରେ କର୍ତ୍ତୃପକ୍ଷଙ୍କ ଆବାସିକ ଭୁ଼ଖଣ୍ଡ ବିଭାଗ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ଅପେକ୍ଷା କରିବା ସତ୍ତ୍ୱେ କେହି ସେମାନଙ୍କ ସମସ୍ୟା ଶୁଣିଲେ ନାହିଁ। ନିଜ କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭିରେ ନୋଏଡା ପ୍ରାଧିକରଣ ସିଇଓ ଲୋକେଶ ଏମ୍‌ ଏହା ଦେଖିଥିଲେ। ଏନେଇ ସେ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ସେମାନଙ୍କ ସମସ୍ୟା ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

କିଛି ସମୟ ପରେ ସିଇଓ ପୁଣି ଥରେ ସିସିଟିଭି ଯାଞ୍ଚ କରି ବୃଦ୍ଧ ଦମ୍ପତି ପୂର୍ବ ପରି ଛିଡ଼ା ହୋଇଥିବା ଦେଖିବାକୁ ପାଇଥିଲେ। ଏହାଦେଖି ସେ ନିଜ କାର୍ଯ୍ୟାଳୟରେ ପହଞ୍ଚି ଅଧିକାରୀ ଓ କର୍ମଚାରୀଙ୍କୁ ଟ୍ୟୁସନ୍‌ କରିଥିଲେ। ଏଥିସହ ତୁରନ୍ତ ଛିଡ଼ା ହୋଇ ଅଧ ଘଣ୍ଟା ପର୍ଯ୍ୟନ୍ତ କାମ କରିବାକୁ କାର୍ଯ୍ୟାଳୟରେ ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Advertisment

ଏନେଇ ସେ କହିଥିଲେ, ‘ଆପଣମାନେ ନିଜେ ଛିଡ଼ା ହୋଇ କାମ କଲେ ଉକ୍ତ ବୟସ୍କ ଦମ୍ପତିଙ୍କ କଷ୍ଟ ବୁଝିପାରିବେ। ଏହାପରେ କେବେ ବି ଏପରି ଭୁଲ୍‌ କରିବେ ନାହିଁ। ’ ସିଇଓଙ୍କ ଏପରି ନିର୍ଦ୍ଦେଶ ପରେ କର୍ମଚାରୀମାନେ ନିଜ ନିଜ ସିଟ୍‌ ପାଖରେ ଛିଡ଼ା ହୋଇ କାମ କରିଥିଲେ। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

Uttar Pradesh