ଆସନ୍ତା ସପ୍ତାହରେ ଭାରତର ତୃତୀୟ ଚନ୍ଦ୍ର ଅଭିଯାନ। ଜୁଲାଇ ୧୩ରେ ଚନ୍ଦ୍ରୟାନ-୩ ଉତକ୍ଷେପଣ ହେବ ବୋଲି ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ। ସୂଚନା ଅନୁସାରେ, ଚନ୍ଦ୍ରଯାନ-୨ ତୁଳନାରେ ଚନ୍ଦ୍ରଯାନ-୩ରେ ବହୁ ଉନ୍ନତ ତଥା ଆଧୁନିକ ଯନ୍ତ୍ରାଂଶ ଖଞ୍ଜାଯାଇଛି ଏବଂ ଗତ ମାର୍ଚ୍ଚରୁ ହିଁ ସେଗୁଡ଼ିକର ପରୀକ୍ଷଣ ସରିଛି। କାରଣ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରୟାନ-୩ର ସଫ୍ଟ ଲ୍ୟାଣ୍ଡିଂ ଇସ୍ରୋ ପାଇଁ ରହିବ ସବୁଠୁ ବଡ଼ ଚାଲେଞ୍ଜ।
ଜୁଲାଇ ୧୩ରୁ ୧୯ ଯାଏଁ ଲଞ୍ଚ ୱିଣ୍ଡୋ ଥିବା ବେଳେ, ଏହାର ପ୍ରଥମ ଦିନରୁ ହିଁ ମିଶନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ। ଏନେଇ ସ୍ପଷ୍ଟ କରିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ଜିଏସ୍ଏଲ୍ଭି ମାର୍କ-ଥ୍ରୀ ରକେଟ୍ ସାହାଯ୍ୟରେ ଚନ୍ଦ୍ରୟାନ-୩କୁ ମହାକାଶକୁ ପଠାଯିବ।
୨୦୧୯ ମସିହା ସେପ୍ଟେମ୍ବର ୬ ତାରିଖ ଚନ୍ଦ୍ରୟାନ-୨ ପାଇଁ ଥିଲା ଘଡ଼ିସନ୍ଧି ମୁହୂର୍ତ୍ତ। ଚନ୍ଦ୍ରପୃଷ୍ଠରେ ରୋଭର ପ୍ରଜ୍ଞାନକୁ ସାଥିରେ ଧରି ଲ୍ୟାଣ୍ଡର୍ ବିକ୍ରମର ଅବତରଣର କାରୁଥିଲା। ଭାରତରେ ସେତେବେଳେ ରାତି ପ୍ରାୟ ୨ଟା। ବିଳମ୍ବିତ ରାତିରେ ବି ଚେଇଁଥିଲା ସାରା ଦେଶ । ହେଲେ ସବୁ ଚେଷ୍ଟା ପରେ ବି ଶେଷ ମୁହୂର୍ତ୍ତରେ ଲ୍ୟାଣ୍ଡରର ସଫ୍ଟଲ୍ୟାଣ୍ଡିଂ ବା ସୁରକ୍ଷିତ ଅବତରଣ ସମ୍ଭବ ହୋଇପାରିନଥିଲା। କେବଳ ଅର୍ବିଟରକୁ ଚନ୍ଦ୍ର କକ୍ଷପଥରେ ଅବସ୍ଥାପିତ କରି ଆଂଶିକ ସଫଳତା ଦେଇଥିଲା ଚନ୍ଦ୍ରୟାନ-୨।
ଏବେ ଚନ୍ଦ୍ରୟାନ-୩ରେ ସେଇ ଅଧୁରା ସ୍ୱପ୍ନକୁ ସାକାର କରିବା ଅର୍ଥାତ୍ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ କରି ତା’ ଭିତରୁ ରୋଭର ଗଡ଼ାଇବା ପାଇଁ ପୂର୍ଣ୍ଣ ଆଶାବାଦୀ ଅଛି ଇସ୍ରୋ। ଏଥିପାଇଁ ଲ୍ୟାଣ୍ଡରର ଗୋଡ଼ ଗୁଡ଼ିକ ଅଧିକ ମଜବୁତ କରାଯାଇଛି ଏବଂ ଉନ୍ନତ ସେନ୍ସର ଓ ଆଧୁନିକ ଯନ୍ତ୍ରାଂଶ ଲଗାଯାଇଛି। ଏହି ମିଶନ ପାଇଁ ଖର୍ଚ୍ଚ ହେବ ୬୧୫ କୋଟି ଟଙ୍କା।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ସୂଚନା ଅନୁସାରେ, ଚନ୍ଦ୍ରୟାନ-୩ ଜୁଲାଇ ୧୩ ଅପରାହ୍ନ ୨ଟା ୩୦ରେ ଲଞ୍ଚ୍ ହୋଇପାରେ ଏବଂ ଅଗଷ୍ଟ ୨୩ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିପାରେ। ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ଏହା ସେଠାକାର ସଂରଚନା, ମୃତ୍ତିକାର ଭୌତିକ ଗୁଣ, କଂପନ ଆଦି ସଂପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରିବ। ଚନ୍ଦ୍ରୟାନ-୨ର ଅର୍ବିଟର ମାଧ୍ୟମରେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ଓ ରୋଭର୍ ସହିତ ସଂପର୍କରେ ରହିବ ଇସ୍ରୋ। ମିଶନର ଆୟୁଷ ରହିବ ୧୪ ଦିନ।