ଲାଲୁ ଓ ତେଜସ୍ୱୀ (ଫାଇଲ ଫଟୋ)
ବହୁ ଚର୍ଚ୍ଚିତ ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୂ ପ୍ରସାଦ ଯାଦବ ଓ ତାଙ୍କ ପରିବାରର ଅଡ଼ୁଆ ବଢ଼ିଛି। ଆଜି ଦିଲ୍ଲୀର ଗୋଟିଏ କୋର୍ଟ ଲାଲୁଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଚାର୍ଜଫ୍ରେମ କରିଛନ୍ତି। ଅର୍ଥାତ ଏବେ କୋର୍ଟରେ ମାମଲା ଚାଲିବା ପାଇଁ ବାଟ ଫିଟିଛି।
ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବା ବେଳେ ଜମି ବଦଳରେ ଚାକିରି ଦେଇଥିବା ଅଭିଯୋଗ ହୋଇଛି। ଆଜି କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ହାଇପ୍ରୋଫାଇଲ ମାମଲାର ଟ୍ରାଏଲ ପାଇଁ ବାଟ ଫିଟିଛି।
୨୦୦୪ରୁ ୨୦୦୯ ଯାଏ ଦେଶରେ ୟୁପିଏ ସରକାରର ଶାସନ ଚାଲିଥିଲା। ଏହି ସମୟରେ ଲାଲୁ ପ୍ରସାଦ ଯାଦବ(Lalu Prasad Yadav) ଦେଶର ରେଳମନ୍ତ୍ରୀ ରହିଥିଲେ। ରେଳମନ୍ତ୍ରୀ ଥିବା ବେଳେ ସେ ଜମି ବଦଳରେ ଚାକିରି ଦେଇଥିବା ଅଭିଯୋଗ ହୋଇଛି।
ଦିଲ୍ଲୀ କୋର୍ଟର ସ୍ୱତନ୍ତ୍ର ବିଚାରପତି ବିଶାଲ ଗୋଗନେ କହିଛନ୍ତି ଯେ ଦୁର୍ନୀତି, ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ରର ସ୍ପଷ୍ଟ ମାମଲା ସାମ୍ନାକୁ ଆସିଛି। ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବ୍ରୀ ଦେବୀ, ପୁଅ ତେଜସ୍ୱୀ ଯାଦବ, ତେଜ ପ୍ରତାପ ଯାଦବ, ଝିଅ ମିସା ଭାରତର, ହେମା ଯାଦବ ଓ ଅନ୍ୟମାନଙ୍କ ବିରୋଧରେ ମାମଲା ଚାଲିବ। ଅଭିଯୁକ୍ତଙ୍କ ବିରୋଧରେ ଦୁର୍ନୀତି ନିରୋଧ ଆଇନ ଅନୁସାରେ ଚାର୍ଜଫ୍ରେମ କରାଯାଉଛି।
ବିଚାରପତିଙ୍କ କହିବା କଥା ଯେ ଲାଲୁ ଯାଦବ ଓ ତାଙ୍କ ପରିବାରର ସଦସ୍ୟମାନେ ଗୋଟିଏ ଅପରାଧ ଏଣ୍ଟରପ୍ରାଇଜେସ ଭାବେ କାର୍ଯ୍ୟ କରୁଥିଲେ। ସେମାନେ ଗୋଟିଏ ବିରାଟ ଷଡ଼ଯନ୍ତ୍ରର ଅଂଶବିଶେଷ ଥିଲେ। ସେମାନେ ଭାରତୀୟ ରେଳବାଇରେ ନିଯୁକ୍ତି ଆଶାୟୀଙ୍କୁ ନିଜ ଜାଲରେ ଫସାଇ ନିଜର ସମ୍ପତ୍ତି ବୃଦ୍ଧି କରିଥିଲେ।
ଲାଲୁ ପ୍ରସାଦ ଯାଦବଙ୍କ ସହଯୋଗୀମାନେ ମଧ୍ୟ ଭାରତର ବିଭିନ୍ନ ସ୍ଥାନରେ ଜମି ବଦଳରେ ରେଳବାଇ ଚାକିରି ଦେବାରେ ସମସ୍ତ ପ୍ରକାରର ସହାୟତା କରିଥିଲେ ବୋଲି ସିବିଆଇ ଚାର୍ଜଶିଟରୁ ସ୍ପଷ୍ଟ ହୋଇଥିବା କୋର୍ଟ କହିଛନ୍ତି। ମାମଲାରୁ ମୁକ୍ତି ଦେବା ପାଇଁ ଲାଲୁ ଓ ତାଙ୍କ ପରିବାର କରିଥିବା ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି।
କୋର୍ଟଙ୍କ ଅନୁସାରେ, ୯୮ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଏହି ମାମଲାରେ ୪୬ ଜଣଙ୍କ ବିରୋଧରେ ଚାର୍ଜଫ୍ରେମ କରାଯାଉଛି। ଏମାନଙ୍କ ମଧ୍ୟରେ ଲାଲୁ ଯାଦବ ଓ ତାଙ୍କ ପରିବାର ସଦସ୍ୟ ମଧ୍ୟ ରହିଛନ୍ତି। ତେବେ ବାକି ୫୨ ଜଣ ଅଭିଯୁକ୍ତଙ୍କୁ କୋର୍ଟ ମାମଲାରୁ ମୁକ୍ତ କରିଛନ୍ତି। ଏବେ ମାମଲାର ପରବର୍ତ୍ତୀ ଶୁଶାଣି ଆସନ୍ତା ଜାନୁଆରୀ ୨୯ରେ ହେବ।
ସିବିଆଇ ଅଭିଯୋଗ କରିଛି ଯେ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ଲୋକ ଓ ପରିବାର ସହ ଜଡ଼ିତ ଥିବା କମ୍ପାନୀ ମାର୍କେଟ ମୂଲ୍ୟ ତୁଳନାରେ ଅତି କମ ଦାମରେ ଜମି ହାତେଇଥିଲେ। ଅଧିକାଂଶ ଜମି କାରବାର ନଗଦ ଟଙ୍କାରେ ହୋଇଥିଲା। ଏହା ବଦଳରେ ରେଳ ବାଇର ବିଭିନ୍ନ ଜୋନରେ ଲୋକଙ୍କୁ ରେଳବାଇ ଚାକିରି ଯୋଗାଇ ଦିଆଯାଇଥିଲା।
ସିବିଆଇ ବ୍ୟତୀତ ଏହି ମାମଲାରେ ଇଡି ମଧ୍ୟ ମନି ଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/09/lalu-2026-01-09-12-55-42.jpg)