CA
ଭଲ ପାଠ ପଢ଼ି ସିଏ ଭାବେ କାମ କରୁଥିଲେ। ଭଲ କମ୍ପାନୀରେ ଚାକିରି କରିବା ସହ ଷ୍ଟକ ମାର୍କେଟରେ ନିବେଶ କରି ପ୍ରବଳ ଆୟ କରୁଥିଲେ। ବୟସ ମାତ୍ର ୩୨ ହୋଇଥିଲେ ହେଁ ପାଖରେ ଥିଲା ଲକ୍ଷାଧିକ ଟଙ୍କା। କିନ୍ତୁ ତାଙ୍କୁ ଦୁଇ ଜଣ ବାରମ୍ବାର ବ୍ଲାକମେଲ କରି କୋଟି କୋଟି ଟଙ୍କା ନେଇ ଚାଲିଥିଲେ। ଶେଷରେ ବ୍ଲାକମେଲକୁ ସହ୍ୟ କରି ନ ପାରି ୩୨ ବର୍ଷୀୟ ସିଏ ଜଣଙ୍କ ମଙ୍ଗଳବାର ଦିନ ଜୀବନ ହାରିଛନ୍ତି। ମୁମ୍ବାଇରୁ ଏପରି ଘଟଣା ସାମ୍ନାକୁ ଆସିଛି।
ପୁଲିସ୍ର କହିବା କଥା ଯେ ରାଜ ଲୀଲା ମୋରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଜୀବନ ହାରିବା ପୂର୍ବରୁ ସେ ୩ ପୃଷ୍ଠାର ସୁଇସାଇଡ ନୋଟ ଛାଡ଼ି ଯାଇଛନ୍ତି। ସେ ନିଜର ମୃତ୍ୟୁ ପାଇଁ ୨ ଜଣଙ୍କୁ ଦାୟୀ କରିଛନ୍ତି। ସେମାନେ ଦୀର୍ଘ ମାସ ହେଲା ମୋରେଙ୍କୁ ବ୍ଲାକମେଲ କରୁଥିଲେ। ଏଥିସହ ତାଙ୍କର କିଛି ପ୍ରାଇଭେଟ ଭିଡିଓକୁ ଲିକ କରି ଦେବେ ବୋଲି ଧମକ ଦେଇ କୋଟି କୋଟି ଟଙ୍କା ନେଇ ଚାଲିଥିଲେ।
ଚିଠିରେ ମୋରେ ନିଜର ମୃତ୍ୟୁ ପାଇଁ ରାହୁଲ ପରୱାନି ଓ ସବା କ୍ୟୁରେଶିଙ୍କୁ ଦାୟୀ କରିଛନ୍ତି। ଏହି ୨ ଜଣ ୧୮ ମାସ ମଧ୍ୟରେ ଭିଡିଓ ଭାଇରାଲ କରି ଦେବାର ଧମକ ଦେଇ ତାଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟ କରିଛନ୍ତି। ଦୁଇ ଅଭିଯୁକ୍ତ ଭଲ ଭାବେ ମୋରେଙ୍କୁ ଜାଣିଥିଲେ। ସେ ଷ୍ଟକ ମାର୍କେଟରେ ପ୍ରବଳ ନିବେଶ କରିବା ସହ ଗୋଟିଏ ବଡ଼ କମ୍ପାନୀରେ ସିଏ ଭାବେ କାମ କରୁଥିବା ଦୁଇ ଅଭିଯୁକ୍ତଙ୍କୁ ପୂର୍ବରୁ ଜଣାଥିଲା।
ସେମାନେ ମୋରେଙ୍କୁ ଧମକ ଦେଇ ମୋଟା ଅଙ୍କର ଅର୍ଥକୁ କମ୍ପାନୀ ଆକାଉଣ୍ଟରୁ ସେମାନଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ପଠାଇବାକୁ ବାଧ୍ୟ କରିଥିଲେ। ଦୁଇ ଅଭିଯୁକ୍ତ ବଳପୂର୍ବକ ଗୋଟିଏ ଦାମୀ କାର ମଧ୍ୟ ମୋରେଙ୍କ ଠାରୁ ନେଇ ଯାଇଥିଲେ।
ମୋରେ ବେଶ କିଛି ମାସ ହେଲା ମାନସିକ ଚାପରେ ରହୁଥିବା ତାଙ୍କ ମା’ ପୁଲିସ୍କୁ ଅବଗତ କରାଇଛନ୍ତି। ମୋରେ ଜୀବନ ହାରିଥିବା ରୁମରୁ ପୁଲିସ୍ ୩ ପୃଷ୍ଠାର ଚିଠି ଜବତ କରିଛି। ଗୋଟିଏ ପୃଷ୍ଠାରେ ସେ ତାଙ୍କ ମା’ଙ୍କୁ କ୍ଷମା ମାଗିଛନ୍ତି ଓ ପରିବାର ଲୋକଙ୍କୁ ନିଜର ଯତ୍ନ ନେବାକୁ କହିଛନ୍ତି।
ଦ୍ୱିତୀୟ ପୃଷ୍ଠାରେ ସେ ତାଙ୍କ ସହକର୍ମୀଙ୍କ ଉଦ୍ଦେଶ୍ୟରେ କିଛି ଲେଖିଛନ୍ତି। ମୋରେ ଲେଖିଛନ୍ତି, “ଦୀପା ଲାଖାନି ଆଜି ମୁଁ ତୁମକୁ କ୍ଷମା ମାଗିବାକୁ ଶବ୍ଦ ପାଉନି। କାରଣ ମୁଁ ତୁମର ବିଶ୍ୱାସ ଭାଙ୍ଗିଛି। କିନ୍ତୁ ବିଶ୍ୱାସ କର ଏହା ଶେଷ ଥର। ତୁମର ବିଶ୍ୱାସ ଭାଙ୍ଗିବାର ମୋର କୌଣସି ଉଦ୍ଦେଶ୍ୟ ନଥିଲା। ଯାହା ବି ଠକେଇ କରିଛି, ସେସବୁ ମୁଁ ମୋ ପାଇଁ କରିଛି।
କେହି ବି ଏବିଷୟରେ ଜାଣି ନାହାନ୍ତି। ମୁଁ ଷ୍ଟେଟମେଣ୍ଟ(ଆକାଉଣ୍ଟ)ରେ କୌଣସି ହେରଫେର କରିନି। କ’ଣ ସବୁ ଘଟିଛି ସେବିଷୟରେ ଶ୍ୱେତା ଓ ଜୟପ୍ରକାଶ କିଛି ବି ଜାଣି ନାହାନ୍ତି। ଦୟା କରି ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବନି।”
ସୁଇସାଇଡ ନୋଟର ତୃତୀୟ ପୃଷ୍ଠାରେ ମୋରେ ନିଜର ମୃତ୍ୟୁ ପାଇଁ ରାହୁଲ ଓ ସବାଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି, “ମୁଁ ରାଜ ମୋରେ ଆଜି ଆତ୍ମହତ୍ୟା କରୁଛି। ମୋ ଆତ୍ମହତ୍ୟା ପାଇଁ ରାହୁଲ ପରୱାନି ଦାୟୀ। ସେ ମୋତେ ବିଭ୍ରାନ୍ତ କରିଥିଲା ଓ ଦୀର୍ଘ ମାସ ହେଲା ବ୍ଲାକମେଲ କରୁଥିଲା। ସେ ମୋତେ ମୋ କମ୍ପାନୀ ଆକାଉଣ୍ଟରୁ ଟଙ୍କା ଚୋରି କରିବାକୁ ବାଧ୍ୟ କରିଥିଲା। ସେ ମୋ ଆକାଉଣ୍ଟରୁ ମଧ୍ୟ ଟଙ୍କା ନେଇଛି। ମୋ ମୃତ୍ୟୁ ପାଇଁ ରାହୁଲ ଓ ସବା କ୍ୟୁରେଶି ଦାୟୀ।”
ପୁଲିସ୍ ଏହି ଚିଠିକୁ ଆଧାର କରି ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। କିନ୍ତୁ ଏଯାଏ କାହାକୁ ଗିରଫ କରାଯାଇ ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/CA_1751958434.jpg)