Advertisment

Scandal Rocks Delhi Ashram: ଶସ୍ତା ହୋଟେଲ, ସିସିଟିଭି ଓ ୧୫ ସ୍ଥାନ: ୫୦ ଦିନ ହେଲା କେମିତି ପୁଲିସ୍‌କୁ ଚକମା ଦେଉଥିଲେ ବାବା?

ପୁଲିସ୍‌କୁ ଚକମା ଦେବା ପାଇଁ ସେ ବେଶୀ ଦିନ ଗୋଟିଏ ହୋଟେଲରେ ରହୁ ନଥିଲେ। ଖାସ ଏହି କାରଣ ପାଇଁ ସେ ୫୦ ଦିନରେ ୧୫ଟି ହୋଟେଲରେ ରହୁଥିଲେ। ପୁଲିସ୍‌ ତାଙ୍କୁ ଶେଷରେ ଗୋଟିଏ ଶସ୍ତା ହୋଟେଲର ରୁମ ନମ୍ବର ୧୦୧ରୁ ଗିରଫ କରିଛି।

Baba

ଗିରଫ ପରେ ଚୈତନ୍ୟାନନ୍ଦ

Advertisment

ଯୌନ ଉତ୍ପୀଡ଼ନ ଭଳି ସାଂଘାତିକ ମାମଲାରେ ଫସିଥିବା ଆତ୍ମଘୋଷିତ ବାବା ଚୈତନ୍ୟାନନ୍ଦ ସରସ୍ୱତୀଙ୍କୁ ଶେଷରେ ଗିରଫ କରିଛି ଦିଲ୍ଲୀ ପୁଲିସ୍‌। ଦିଲ୍ଲୀର ଗୋଟିଏ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁସନର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଚୈତନ୍ୟାନନ୍ଦ ସରସ୍ୱତୀ ଅତିକମରେ ୧୭ ଜଣ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। 

Advertisment

ଯୌନ କେଳେଙ୍କାରୀ ଅଭିଯୋଗ ପରେ ୫୦ ଦିନ ହେଲା ଫେରାର ଥିବା ଚୈତନ୍ୟାନନ୍ଦ ୧୫ଟି ହୋଟେଲ ବଦଳାଇଥିଲେ। ପୁଲିସକୁ ଚକମା ଦେବା ପାଇଁ ସେ ଜାଣିଶୁଣି ଶସ୍ତା ହୋଟେଲରେ ରହୁଥିଲେ। ସେହିପରି ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭିରୁ ବର୍ତ୍ତିବା ପାଇଁ ଫୁଲ ଦମରେ ଚେଷ୍ଟା କରିଥିଲେ। ସେ ଜାଣିଶୁଣି ସିସିଟିଭି ଫୁଟେଜ ନଥିବା ହୋଟାଲରେ ରହିବାକୁ ଉଚିତ ମଣୁଥିଲେ।

ତାଙ୍କ ସହଯୋଗୀମାନେ ସେ କେଉଁ ହୋଟେଲରେ ରହିବେ, ତା’ର ଚୟନ କରୁଥିଲେ। ପୁଲିସ୍‌କୁ ଚକମା ଦେବା ପାଇଁ ସେ ବେଶୀ ଦିନ ଗୋଟିଏ ହୋଟେଲରେ ରହୁ ନଥିଲେ। ଖାସ ଏହି କାରଣ ପାଇଁ ସେ ୫୦ ଦିନରେ ୧୫ଟି ହୋଟେଲରେ ରହୁଥିଲେ। ପୁଲିସ୍‌ ତାଙ୍କୁ ଶେଷରେ ଗୋଟିଏ ଶସ୍ତା ହୋଟେଲର ରୁମ ନମ୍ବର ୧୦୧ରୁ ଗିରଫ କରିଛି। ଏବେ ପୁଲିସ୍‌ ତାଙ୍କୁ ସହଯୋଗ କରିଥିବା ଲୋକଙ୍କୁ ଖୋଜିବାରେ ଲାଗିଛି। 

Advertisment

ରବିବାର ୬୨ ବର୍ଷୀୟ ଚୈତନ୍ୟାନନ୍ଦଙ୍କୁ ଆଗ୍ରାର ଗୋଟିଏ ହୋଟେଲରୁ ଗିରଫ କରାଯାଇଥିଲା। ଏବେ ସେ ପୁଲିସ୍‌ ହେପାଜତରେ ରହିଛନ୍ତି। ପୁଲିସ୍‌ ତାଙ୍କ ଠାରୁ ତଥ୍ୟ ହାସଲ କରିବାକୁ ଚାହୁଁଥିଲେ ହେଁ ସେ କୌଣସି ପ୍ରକାରର ସହଯୋଗ କରୁ ନାହାନ୍ତି। ସେ ପୁଲିସ୍‌ ଆଗରେ କେବଳ ତାଙ୍କ ନାଁରେ ଆସିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ବୋଲି ଦାବି କରି ଚାଲିଛନ୍ତି।

ଚୈତନ୍ୟାନନ୍ଦ ଦାବି କରିଛନ୍ତି ସେ ନିଜର ମୋବାଇଲ ଓ ନିଜର ସମସ୍ତ ଡିଜିଟାଲ ଯନ୍ତ୍ରାଂଶର ପାସୱାର୍ଡ ଭୁଲି ଯାଇଛନ୍ତି। ସେ ପାସୱାର୍ଡ କହୁ ନଥିବାରୁ ପୁଲିସ୍‌ ତାଙ୍କର ୩ଟି ଫୋନ ଓ ଗୋଟିଏ ଆଇପ୍ୟାଡକୁ ଫରେନ୍ସିକ ଲ୍ୟାବକୁ ପଠାଇ ଦେଇଛି। 

ଚୈତନ୍ୟାନନ୍ଦଙ୍କ ଯୌନ କେଳେଙ୍କାରୀର ଗୁମର ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଦିଲ୍ଲୀ(Delhi)ର ବସନ୍ତ କୁଞ୍ଜରେ ଥିବା ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆନ ମ୍ୟାନେଜମେଣ୍ଟ –ରିସର୍ଚ୍ଚର ଜଣେ ପୂରାତନ ଶିକ୍ଷାର୍ଥୀ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ। ଇନଷ୍ଟିଚ୍ୟୁଟର ଛାତ୍ରୀମାନଙ୍କୁ ଚୈତନ୍ୟାନନ୍ଦ ଯୌନ ଶୋଷଣ କରୁଥିବା ସେ ଚିଠିରେ ଉଲ୍ଲେଖ କରିଥିଲେ। ଜୁଲାଇ ୩୧ରେ ଇନଷ୍ଟିଚ୍ୟୁଟ କର୍ତ୍ତୃପକ୍ଷ ଚିଠି ପାଇବା ପରେ ହଇଚଇ ସୃଷ୍ଟି ହୋଇଥିଲା। 

ଏହାର ପରଦିନ ଭାରତୀୟ ବାୟୁସେନାର ଶିକ୍ଷା ପ୍ରାଧିକରଣରେ ନିଯୁକ୍ତ ଜଣେ ଗ୍ରୁପ କ୍ୟାପ୍ଟେନ ରାଙ୍କର ଅଫିସର ମଧ୍ୟ ଶିକ୍ଷାନୁଷ୍ଠାନକୁ ଗୋଟିଏ ଇ-ମେଲ କରିଥିଲେ। ଏହି ଇ-ମେଲରେ ଏକାଧିକ ଛାତ୍ରୀଙ୍କୁ ଚୈତନ୍ୟାନନ୍ଦ ଧମକ ଦେବା ସହ ଅଭଦ୍ର ମେସେଜ କରୁଥିବା କଥା ଉଲ୍ଲେଖ କରାଯାଇଥିଲା। ବାୟୁସେନା କର୍ମଚାରୀଙ୍କ ଅଧିକାଂଶ ପିଲା ଉକ୍ତ ଇନଷ୍ଟିଚ୍ୟୁଟରୁ ଆସିଥିବାରୁ ଏଥିରେ ବାୟୁସେନା ହସ୍ତକ୍ଷେପ କରିଥିଲା। 

ଏଭଳି ଅଭିଯୋଗ ପାଇବା ପରେ କଲେଜ କର୍ତ୍ତୃପକ୍ଷ ପୁଲିସ୍‌ର ଦ୍ୱାରସ୍ଥ ହୋଇ ଚୈତନ୍ୟାନନ୍ଦଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ। ପୁଲିସ୍‌ କିଛି ଛାତ୍ରୀଙ୍କ ବୟାନକୁ ରେକର୍ଡ କରି ଏଫଆଇଆର ରୁଜୁ କରିଥିଲା। କଲେଜ କର୍ତ୍ତୃପକ୍ଷ ମଧ୍ୟ ଚୈତନ୍ୟାନନ୍ଦଙ୍କୁ ସମସ୍ତ ପ୍ରକାରର ଦାୟିତ୍ୱରୁ ବିଦା କରିଥିଲେ ଓ ୧୧ ଜଣ ସଦସ୍ୟ ବିଶିଷ୍ଟ ଗୋଟିଏ ଗଭର୍ଣ୍ଣିଂ କାଉନସିଲ ଗଠନ କରିଥିଲେ।

ଏସବୁ ଭିତରେ ଚୈତନ୍ୟାନନ୍ଦ ଇନଷ୍ଟିଚ୍ୟୁଟରୁ ଫେରାର ହୋଇଯାଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯୌନ ନିର୍ଯାତନା ଅଭିଯୋଗ ପୂର୍ବରୁ ହିଁ କଲେଜ କର୍ତ୍ତୃପକ୍ଷ ଚୈତନ୍ୟାନନ୍ଦଙ୍କ ନାଁରେ ଠକେଇ, ହେରଫେର ଓ ଅପରାଧିକ କାର୍ଯ୍ୟକଳାପ ସମ୍ପର୍କରେ ପୁଲିସ୍‌ରେ ଏଫଆଇଆର ଦେଇଥିଲେ।

ଚୈତନ୍ୟାନନ୍ଦ ଛାତ୍ରୀମାନଙ୍କ ଉପରେ ନଜର ରଖିବା ପାଇଁ ସେମାନଙ୍କ ହଷ୍ଟେଲର ସିସିଟିଭି ଆସେସ ନିଜ ପାଖରେ ରଖିଥିଲେ। ଛାତ୍ରୀମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିଜ ସହ ବିଦେଶ ଭ୍ରମଣରେ ଯିବାକୁ ବାଧ୍ୟ କରୁଥିଲେ। ଇନଷ୍ଟିଚ୍ୟୁଟର ସହକାରୀ ଡିନ୍‌ ଓ ଆଉ କିଛି କର୍ମଚାରୀ ମଧ୍ୟ ଛାତ୍ରୀମାନଙ୍କୁ ଚୈତନ୍ୟାନନ୍ଦଙ୍କ କଥାରେ ରାଜି ହେବାକୁ ବାଧ୍ୟ କରୁଥିଲେ। ଚୈତନ୍ୟାନନ୍ଦଙ୍କ ଯୌନ ଶୋଷଣ ଘଟଣାରେ କଲେଜର ୩ ଜଣ ମହିଳା କର୍ମଚାରୀଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ପୁଲିସ୍‌ ଦର୍ଶାଇଛି। 

Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe