Advertisment

ଓକିଲଙ୍କ ଉପରେ ରାଗିଗଲେ ସିଜେଆଇ, କହିଲେ- ସିକ୍ୟୁରିଟୀ ଡାକି ବାହାର କରିଦେବି

୨୦୧୯ରେ ସୁପ୍ରିମକୋର୍ଟ ମାଥ୍ୟୁସଙ୍କୁ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରି ୩ ମାସ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ସେ କ୍ଷମା ମାଗିବାରୁ ଜେଲଦଣ୍ଡକୁ ଖାରଜ କରାଯାଇଥିଲା।

CJI

CJI

Advertisment

ନିଟ-ୟୁଜି ବିବାଦକୁ ନେଇ ରୁଜୁ ହୋଇଥିବା ଆବେଦନର ଶୁଣାଣି ବେଳେ ଆଜି ଅତ୍ୟନ୍ତ ରାଗି ଯାଇଛନ୍ତି ସିଜେଆଇ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼। ଶୁଣାଣି ବେଳେ ଜଣେ ବରିଷ୍ଠ ଓକିଲ ମାଥ୍ୟୁସ ନେଦୁମପରା ଅଯଥା ହସ୍ତକ୍ଷେପ କରିବାରୁ ସିଜେଆଇ ଚନ୍ଦ୍ରଚୂଡ଼ ତାଙ୍କ ଉପରେ ନିଜର ଅସନ୍ତୋଷ ଝାଡ଼ିଛନ୍ତି।

Advertisment

ସୁପ୍ରିମକୋର୍ଟର ଅନ୍ୟତମ ଓକିଲ ନରେନ୍ଦ୍ର ହୁଡ୍ଡା ନିଜର ପକ୍ଷ ରଖୁଥିଲେ। ସେ ଯୁକ୍ତି ଉପସ୍ଥାପନ କରୁଥିବା ବେଳେ ମାଥ୍ୟୁସ ମଝିରେ କିଛି କହିବାକୁ ଚାହିଁଥିଲେ। ସେ କହିଥିଲେ ଯେ “ମୁଁ କିଛି କହିବାକୁ ଚାହୁଁଛି।” ଏହା ଶୁଣି ଜଷ୍ଟିସ ଚନ୍ଦ୍ରଚୂଡ଼ ତାଙ୍କୁ କହିଥିଲେ ଯେ ଶ୍ରୀ ହୁଡ୍ଡା ନିଜର ଯୁକ୍ତି ରଖି ସାରିବା ପରେ ଆପଣ କହିବେ।

ସିଜେଆଇକୁ ଚ୍ୟାଲେଞ୍ଜ କରି ମାଥ୍ୟୁସ କହିଥିଲେ ଯେ “ମୁଁ ଏଠାରେ ସବୁଠାରୁ ବରିଷ୍ଠ।” ଏପରି କଥା ସିଜେଆଇଙ୍କୁ କ୍ରୋଧିତ କରିଥିଲା। ସେ ମାଥ୍ୟୁସଙ୍କୁ ସତର୍କ କରାଇ କହିଥିଲେ ଯେ “ମୁଁ ଆପଣଙ୍କୁ ୱାର୍ଣ୍ଣିଂ ଦେଉଛି। ଆପଣ ଏପରି ଭାବେ ଗ୍ୟାଲେରୀକୁ କହିପାରିବେ ନାହିଁ। ମୁଁ ଏହି କୋର୍ଟର ଇନଚାର୍ଜ। ସିକ୍ୟୁରିଟୀଙ୍କୁ ଡାକ। ତାଙ୍କୁ ଏଠାରୁ ହଟାଯିବ।” ଏକଥା ଶୁଣିବା ପରେ ମାଥ୍ୟୁସ କହିଥିଲେ ମୁଁ ଚାଲି ଯାଉଛି। ଏପରି କରିବାର ଆବଶ୍ୟକ ନାହିଁ।

Advertisment

ସିଜେଆଇ ପୁଣି କହିଥିଲେ, “ଆପଣଙ୍କୁ ଏପରି କହିବାର ନଥିଲା। ଆପଣ ଯାଇ ପାରନ୍ତି। ମୁଁ ନ୍ୟାୟପାଳିକା ସହ ୨୪ ବର୍ଷ ହେଲା ରହିଛି। ଓକିଲମାନଙ୍କ ହୁକୁମ କୋର୍ଟରେ ଚାଲିବାକୁ ମୁଁ ଦେଇ ପାରିବି ନାହିଁ।” ମାଥ୍ୟୁସ ଏଥିରେ ହସ୍ତକ୍ଷେପ କରି କହିଥିଲେ “ମୁଁ ନ୍ୟାୟପାଳିକା ୧୯୭୯ରୁ ଦେଖଆସୁଛି।”

ମାଥ୍ୟୁସ ଯଦି ଏପରି ବ୍ୟବହାର ଜାରି ରଖିବେ, ତା’ହେଲେ ସିଜେଆଇ ନିର୍ଦ୍ଦେଶ ଜାରି କରିବାକୁ ବାଧ୍ୟ ହେବେ ବୋଲି ମଧ୍ୟ ସତର୍କ କରାଇଥିଲେ। ଶୁଣାଣି ବେଳେ ଏନଟିଏର ପକ୍ଷ ରଖୁଥିବା ସଲିସିଟର ଜେନେରାଲ ତୁଷାର ମେହେଟା ମଧ୍ୟ ମାଥ୍ୟୁସ ବ୍ୟବହାରକୁ ନାପସନ୍ଦ କରିଥିଲେ। ସେ ତାଙ୍କ ବ୍ୟବହାରକୁ ଅଦାଲତ ଅବମାନନା ଭାବେ ଦର୍ଶାଇଥିଲେ।

ତେବେ କିଛି ସମୟର କଥା କଟାକଟି ପରେ ମାଥ୍ୟୁସ ଗୋଟିଏ ବିବୃତିରେ କହିଛନ୍ତି ଯେ “ଆପଣ ମୋ ସହ କ’ଣ କରିଛନ୍ତି, ସେକଥା ଆପଣ ନିଜେ ଜାଣି ନାହାନ୍ତି। ତଥାପି ଆପଣ କରିଥିବା ଅପମାନକୁ ମୁଁ କ୍ଷମା କରି ଦେଉଛି।”

ପ୍ରଥମଥର ପାଇଁ ମାଥ୍ୟୁସ ଏପରି ଢଙ୍ଗରେ ସିଜେଆଇଙ୍କ ସହ ଯୁକ୍ତି କରି ନାହାନ୍ତି। ନିର୍ବାଚନୀ ବଣ୍ଡର ଶୁଣାଣି ବେଳେ ମଧ୍ୟ ସିଜେଆଇଙ୍କ ୱାର୍ଣ୍ଣିଂ ସତ୍ତ୍ୱେ ସେ ଯୁକ୍ତି ଉପସ୍ଥାପନ ମଝିରେ ହସ୍ତକ୍ଷେପ କରିଥିଲେ।

ଏହି ସମୟରେ ସିଜେଆଇ କହିଥିଲେ, “ମୋ ଉପରେ ଏମିତି ଚିତ୍କାର କରନ୍ତୁ ନାହିଁ। ଏହା କୌଣସି ପାର୍କର ମିଟିଂ ନୁହେଁ। ଆପଣ କୋର୍ଟରେ ଅଛନ୍ତି। ଆପଣଙ୍କୁ ଆବେଦନ କରିବାକୁ ପଡ଼ିବ। ଆପଣ ଆବେଦନ କରନ୍ତୁ। ସିଜେଆଇଙ୍କ ତରଫରୁ ନିର୍ଦ୍ଦେଶ ପାଇଛନ୍ତି। ଆମେ ଆପଣଙ୍କୁ ଶୁଣୁ ନାହୁଁ। ଆପଣ ଯଦି ଆପ୍ଲେକସନ ଦେବାକୁ ଚାହୁଁଛନ୍ତି, ତା’ହେଲେ ଇ-ମେଲରେ ଦିଅନ୍ତୁ। ଏହା କୋର୍ଟର ନିୟମ।”

୨୦୧୯ରେ ସୁପ୍ରିମକୋର୍ଟ ମାଥ୍ୟୁସଙ୍କୁ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରି ୩ ମାସ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ସେ କ୍ଷମା ମାଗିବାରୁ ଜେଲଦଣ୍ଡକୁ ଖାରଜ କରାଯାଇଥିଲା।

Supreme Court CJI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe