Advertisment

ରାଗିଗଲେ, ଓକିଲଙ୍କୁ ଉଚ୍ଚ ସ୍ୱରରେ କଥା ନ କହିବାକୁ ତାଗିଦ କଲେ ସିଜେଆଇ

ପ୍ରଧାନ ବିଚାରପତିଙ୍କ ଆଭିମୁଖ୍ୟ ଦେଖି ଆଇନଜୀବୀ ବାଗଚି ନିଜ ଆଚରଣରେ ପରିବର୍ତ୍ତନ କରିଥିଲେ। ଏଥିସହ ସେ ଖଣ୍ଡପୀଠଙ୍କୁ ତୁରନ୍ତ କ୍ଷମା ମାଗିଥିଲେ।

ଅଦ୍ୟତନ ହୋଇଛି
Chief Justice

Chief Justice

Advertisment

କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାର ଶୁଣାଣି ବେଳେ ଜଣେ ଓକିଲଙ୍କ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼। ନିକଟରେ ବିଜେପିରେ ମିଶିଥିବା ଓକିଲ ଜଣଙ୍କ ଉଚ୍ଚ ସ୍ୱରରେ ବାରମ୍ବାର ଶୁଣାଣିରେ ହସ୍ତକ୍ଷେପ କରିବାରୁ ତାଙ୍କ ଉପରେ ଚିଢ଼ି ଯାଇଛନ୍ତି ଜଷ୍ଟିସ ଚନ୍ଦ୍ରଚୂଡ଼।

Advertisment

ତାଙ୍କୁ ସେ ସ୍ୱର କମ କରିବାକୁ ତାଗିଦ କରିବା ସହ ସେ ବିଚାରପତିଙ୍କୁ ସମ୍ବୋଧନ କରୁଛନ୍ତି ନା କୋର୍ଟ ବାହାରେ ଥିବା ଗ୍ୟାଲେରୀକୁ ସମ୍ବୋଧନ କରୁଛନ୍ତି ବୋଲି ମଧ୍ୟ ଜଷ୍ଟିସ ଚନ୍ଦ୍ରଚୂଡ଼ ଅତ୍ୟନ୍ତ କ୍ଷୁବ୍ଧ ହୋଇ ପ୍ରଶ୍ନ କରିଛନ୍ତି।

କୋଲକାତା ହରର ଶୁଣାଣି କରୁଥିବା ୩ ଜଣିଆ ଖଣ୍ଡପୀଠରେ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ବ୍ୟତୀତ ଜଷ୍ଟିସ ମନୋଜ ମିଶ୍ରା ଓ ଜଷ୍ଟିସ ଜେବି ପାରଡିୱାଲା ମଧ୍ୟ ରହିଛନ୍ତି। ଶୁଶାଣି ଚାଲିଥିବା ବେଳେ ବରିଷ୍ଠ ଆଇନଜୀବୀ କପିଲ ଶିବଲ କହିଥିଲେ ଯେ ଅଗଷ୍ଟ ୯ରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଘଟଣା ବିରୋଧରେ ହେଉଥିବା ବିକ୍ଷୋଭ ଉପରକୁ ଆଇନଜୀବୀ ପଥର ମାଡ଼ କରୁଥିବାର ଫଟୋ ଭିଡିଓ ତାଙ୍କ ପାଖରେ ରହିଛି। ଉକ୍ତ ଆଇନଜୀବୀ ଜଣଙ୍କ ହେଲେ କୌସ୍ତବ ବାଗଚି। ସେ ଜଣେ ବିଜେପି ନେତା। ଚଳିତ ବର୍ଷ ସେ କଂଗ୍ରେସରୁ ବିଜେପିକୁ ଆସିଛନ୍ତି।

Advertisment

ଶିବଲଙ୍କ ପଥର ମାଡ଼ ଅଭିଯୋଗ ଶୁଣି ବାଗଚି ଚିହିଁକି ଉଠିଥିଲେ। ଜଣେ ବରିଷ୍ଠ ଆଇନଜୀବୀ ହୋଇ ମଧ୍ୟ ସେ କେମିତି କୋର୍ଟରେ ଏପରି ବୟାନ ଦେଲେ ବୋଲି ଅତ୍ୟନ୍ତ ଉତ୍ତେଜିତ ଢଙ୍ଗରେ ସେ ପ୍ରଶ୍ନ କରିଥିଲେ।

ଏହା ଶୁଣି ଜଷ୍ଟିସ ଚନ୍ଦ୍ରଚୂଡ଼ ବିରକ୍ତି ପ୍ରକାଶ କରିଥିଲେ। ସେ ଆଇନଜୀବୀ ବାଗଚିଙ୍କୁ କହିଥିଲେ ଯେ “ଆପଣ କୋର୍ଟ ବାହାରେ ଥିବା ଗ୍ୟାଲେରୀକୁ ସମ୍ବୋଧନ କରିବାକୁ ଚାହୁଁଛନ୍ତି? ମୁଁ ୨ ଘଣ୍ଟା ହେଲାଣି ଆପଣ କେଉଁ ଭଳି ଆଚରଣ କରୁଛନ୍ତି, ସେସବୁ ଦେଖୁଛି। ପ୍ରଥମେ ଆପଣ ନିଜର ସ୍ୱର କମ କରିପାରିବେ କି? ପ୍ରଧାନ ବିଚାରପତିଙ୍କୁ ଶୁଣନ୍ତୁ। ଜୋରରେ କହିବା ବନ୍ଦ କରନ୍ତୁ।

ଆପଣ ଏଠାରେ ସାମ୍ନାରେ ଥିବା ୩ ଜଣ ବିଚାରପତିଙ୍କୁ ସମ୍ବୋଧନ କରୁଛନ୍ତି। ଭିଡିଓ କନଫରେନ୍ସରେ ଶୁଣାଣିକୁ ସିଧାସଳଖ ଦେଖୁଥିବା ଲୋକମାନଙ୍କୁ ଆପଣ ସମ୍ବୋଧନ କରୁ ନାହାନ୍ତି।” ପ୍ରଧାନ ବିଚାରପତିଙ୍କ ଏପରି ଆଭିମୁଖ୍ୟ ଦେଖି ଆଇନଜୀବୀ ବାଗଚି ନିଜ ଆଚରଣରେ ପରିବର୍ତ୍ତନ କରିଥିଲେ। ଏଥିସହ ସେ ଖଣ୍ଡପୀଠଙ୍କୁ ତୁରନ୍ତ କ୍ଷମା ମାଗିଥିଲେ।

ଶୁଣାଣି ସମୟରେ ଅନେକ ଆଇନଜୀବୀ ବିଭିନ୍ନ ପ୍ରକାରର ପ୍ରସଙ୍ଗ ଉଠାଇଥିଲେ। ଏହାକୁ ଶୁଣି ସିଜେଆଇ କହିଥିଲେ ଯେ “ମୁଁ ଏଭଳି ଓକିଲାତି କେଉଁଠି ବି ଦେଖିନି। ଗୋଟିଏ ସମୟରେ ୭ରୁ ୮ ଜଣ ଆଇନଜୀବୀ ବିଭିନ୍ନ ପ୍ରସଙ୍ଗ ଉଠାଇବା ମୋତେ ଜଣାନାହିଁ।”

ଶୁଣାଣି ପରେ ସୁପ୍ରିମକୋର୍ଟ କୋଲକାତା ହରର ଘଟଣାରେ ପୁଣି ଗୋଟିଏ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ମଙ୍ଗଳବାର ପୁଣି ଏହାର ଶୁଣାଣି ହେବ।

Kolkata Police Chief Justice Of India Kolkata Doctor Rape And Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe