Advertisment

ଓକିଲ ସଂଘର ସଭାପତିଙ୍କୁ ରୋକଠୋକ ଶୁଣାଇଲେ ସିଜେଆଇ

ସୁପ୍ରିମକୋର୍ଟ ଫେବୃଆରୀ ୧୫ରେ ନିର୍ବାଚନ ବଣ୍ଡକୁ ଅସାମ୍ବିଧାନିକ କହିଥିଲେ। ଏଥିସହ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ବଣ୍ଡ ଜରିଆରେ ରାଜନୀତିକ ଦଳଗୁଡ଼ିକ ପାଇଥିବା ଚାନ୍ଦାର ବିସ୍ତୃତ ତଥ୍ୟ ଦେବାକୁ କହିଥିଲେ। ହେଲେ ଏହାକୁ ଅଗ୍ରୱାଲ ବିରୋଧ କରିଥିଲେ।

author-image
Hemant Lenka
CJI

CJI

ସୁପ୍ରିମକୋର୍ଟ ବାର୍‌ ଆସୋସିଏସନର ସଭାପତିଙ୍କୁ ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ରୋକଠୋକ ଶୁଣାଇଛନ୍ତି। ନିର୍ବାଚନୀ ବଣ୍ଡ ସମ୍ପର୍କିତ ଆବେଦନର ଶୁଣାଣି ବେଳେ ଜଷ୍ଟିସ ଚନ୍ଦ୍ରଚୂଡ଼ କଡ଼ା ଭାଷାରେ ଓକିଲ ସଂଘର ସଭାପତିଙ୍କୁ ତାଗିଦ କରିଛନ୍ତି।

Advertisment

ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ କହି ସୁପ୍ରିମକୋର୍ଟ ଦେଇଥିବା ଐତିହାସିକ ରାୟକୁ ନିଜ ଆଡ଼ୁ ପୁନଃ ସମୀକ୍ଷା କରନ୍ତୁ ବୋଲି ବରିଷ୍ଠ ଆଇନଜୀବୀ ତଥା ଓକିଲ ସଂଘର ସଭାପତି ଆଦିଶ ଅଗ୍ରୱାଲ ଆବେଦନ କରିଥିଲେ। 

ସୁପ୍ରିମକୋର୍ଟ ଫେବୃଆରୀ ୧୫ରେ ନିର୍ବାଚନ ବଣ୍ଡକୁ ଅସାମ୍ବିଧାନିକ କହିଥିଲେ। ଏଥିସହ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ବଣ୍ଡ ଜରିଆରେ ରାଜନୀତିକ ଦଳଗୁଡ଼ିକ ପାଇଥିବା ଚାନ୍ଦାର ବିସ୍ତୃତ ତଥ୍ୟ ଦେବାକୁ କହିଥିଲେ। ହେଲେ ଏହାକୁ ଅଗ୍ରୱାଲ ବିରୋଧ କରିଥିଲେ।

Advertisment

ଆଜି ଏସମ୍ପର୍କିତ ଆବେଦନର ଶୁଣାଣି ପାଇଁ ଅଗ୍ରୱାଲ ସିଜେଆଇଙ୍କ ଆଗରେ ନିବେଦନ କରିଥିଲେ। ଏହାର ଜବାବ ବେଶ ଚମତ୍କାର ଢଙ୍ଗରେ ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ଼ ଦେଇଛନ୍ତି। ସେ କହିଛନ୍ତି, “ଜଣେ ବରିଷ୍ଠ ଓକିଲ ବ୍ୟତୀତ ଆପଣ ସୁପ୍ରିମକୋର୍ଟ ବାର ଆସୋସିଏସନର ସଭାପତି। ଆପଣ ଚିଠି ଲେଖି ମୋ ପାଖରେ ଥିବା କ୍ଷମତାକୁ ନିଜ ଆଡ଼ୁ ବ୍ୟବହାର କରିବାକୁ କହିଛନ୍ତି। ଏସବୁ କେବଳ ପ୍ରଚାର ପାଇଁ କରାଯାଉଛି। ଆମେ ଏଥିରେ ପଶିବୁ ନାହିଁ। ମୋତେ ଆଉ କିଛି କହିବାକୁ ବାଧ୍ୟ କରନ୍ତୁ ନାହିଁ। ଏହା ଆଦୌ ଶୁଣିବାକୁ ଭଲ ଲାଗିବ ନାହିଁ।”

ସୁପ୍ରିମକୋର୍ଟଙ୍କ ଏପରି ଆଭିମୁଖ୍ୟ ଦେଖି ସିଲିସିଟର ଜେନେରାଲ ତୁଷାର ମେହେଟା ତୁରନ୍ତ ଅଗ୍ରୱାଲଙ୍କ ଠାରୁ ଦୂରତା ଅବଲମ୍ବନ କରିଥିଲେ। ଆମେ ଏହାକୁ ସମର୍ଥନ କରୁ ନାହିଁ ବୋଲି ଶ୍ରୀ ମେହେଟା କହିଛନ୍ତି।

ନିର୍ବାଚନ ବଣ୍ଡକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟରେ ହସ୍ତକ୍ଷେପ କରିବାକୁ ଶ୍ରୀ ଅଗ୍ରୱାଲ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ଚର୍ଚ୍ଚାକୁ ଆସିଥିଲେ। ତାଙ୍କ ଚିଠି ଠାରୁ ବାର ଆସୋସିଏସନର ସବୁ ସଦସ୍ୟ ଦୂରତା ଅବଲମ୍ବନ କରିଥିଲେ।

Supreme Court CJI Electoral Bonds Case Electoral Bond