Judge
ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଆଜି ଅବସର ନେଇଛନ୍ତି। ଆଜି ସୁପ୍ରିମକୋର୍ଟରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ସେ ଆଜି ସକାଳେ ସୁପ୍ରିମକୋର୍ଟରେ ଥିବା ନିଜ ସହକର୍ମୀଙ୍କ ଠାରୁ ଅବସର ନେବା ବେଳେ ସିଜେଆଇ କମାଣ ଜଷ୍ଟିସ ବିଆର ଗବାଇଙ୍କୁ ଧରାଇଛନ୍ତି। ବିଦାୟକାଳୀନ ସମ୍ବର୍ଦ୍ଧନାରେ ସିଜେଆଇ ନିଜର ଭାବନାକୁ ଉପସ୍ଥାପନ କରିବା ପାଇଁ ଶବ୍ଦ ପାଇ ନଥିଲେ। କିନ୍ତୁ ସେ ନିଜର ଉତ୍ତରାଧିକାରୀ ତଥା ପରବର୍ତ୍ତୀ ସିଜେଆଇଙ୍କୁ ସ୍ୱତନ୍ତ୍ର ବାର୍ତ୍ତା ଦେଇଛନ୍ତି।
ସିଜେଆଇ ଜଷ୍ଟିସ ଖାନ୍ନା କହିଛନ୍ତି, ଲୋକଙ୍କ ବିଶ୍ୱାସ ହାସଲ କରାଯାଇ ପାରିବ ନାହିଁ। ଏହାକୁ ଆୟ କରିବାକୁ ପଡ଼େ। ସୁପ୍ରିମକୋର୍ଟ ଏପରି କରି ଦେଖାଇଛନ୍ତି। ସେ କହିଛନ୍ତି, ”ମୁଁ ଶବ୍ଦ ହୀନ। ମୁଁ ଅନେକ ସ୍ମୃତି ନେଇ ଯାଉଛି। ଆପଣ ଥରେ ଓକିଲ ହେଲେ, ସେହି ଓକିଲ ହୋଇ ରୁହନ୍ତି। ନ୍ୟାୟପାଳିକା ପ୍ରତି ଲୋକଙ୍କ ବିଶ୍ୱାସ ହାସଲ କରାଯାଇ ପାରିବ ନାହିଁ। ଏହାକୁ ଆୟ କରିବାକୁ ପଡ଼ିଥାଏ। ନ୍ୟାୟପାଳିକା ଗୋଟିଏ କମନ ଶବ୍ଦ ଯାହା ବେଞ୍ଚ ଓ ବାର୍କୁ ପ୍ରତିନିଧିତ୍ୱ କରେ। ବାର ହେଉଛି ବିବେକର ରକ୍ଷାକାରୀ।”
ପ୍ରଧାନ ବିଚାରପତି ଆହୁରି କହିଛନ୍ତି ଯେ ବିଭିନ୍ନ ସ୍ତରରୁ ବିଚାରପତିମାନେ ସୁପ୍ରିମକୋର୍ଟକୁ ଆସନ୍ତି। ଏହି ବିବିଧତା ନ୍ୟାୟିକ ନିଷ୍ପତ୍ତିକୁ ତିଆରି କରେ। ନିଜର ଉତ୍ତରାଧିକାରୀ ବା ପରବର୍ତ୍ତୀ ସିଜେଆଇଙ୍କ ସମ୍ପର୍କରେ ଜଷ୍ଟିସ ଖାନ୍ନା କହିଛନ୍ତି, “ଜଷ୍ଟିସ ବିଆର ଗବାଇ ମୋର ସବୁଠାରୁ ବଡ଼ ସମର୍ଥକ। ତାଙ୍କ ଭିତରେ ଆପଣମାନେ ଜଣେ ମହାନ ସିଜେଆଇଙ୍କୁ ପାଇବେ। ସେ ନିଶ୍ଚିତ ଭାବେ ମୌଳିକ ଅଧିକାର ଓ ସ୍ୱତନ୍ତ୍ରତାକୁ ଅକ୍ଷୁଣ୍ଣ ରଖିବେ।”
୧୯୭୧ରୁ ୧୯୭୭ ଯାଏ ଜଷ୍ଟିସ ଖାନ୍ନାଙ୍କ ଦାଦା ଜଷ୍ଟିସ ଏଚଆର ଖାନ୍ନା ସୁପ୍ରିମକୋର୍ଟର ବିଚାରପତି ଭାବେ କାମ କରିଥିଲେ। ଦୁଇ ଜଣଙ୍କ ମଧ୍ୟରେ ତୁଳନା କରିବାକୁ ସେ ମନା କରିଛନ୍ତି। ସେ କହିଛନ୍ତି, “ମୁଁ ମୋ ନିଜକୁ ଏଚଆର ଖାନ୍ନାଙ୍କ ସହ ତୁଳନା କରିପାରିବି ନାହିଁ। ସେତେବେଳର ସମୟ ଅଲଗା ଥିଲା। ସେ ଜଣେ ବିଶାଳ ଜ୍ଞାନୀ ବ୍ୟକ୍ତି ଥିଲେ।”
ଜଷ୍ଟିସ ସଞ୍ଜୀବ ଖାନ୍ନା ଦୀର୍ଘ ୨୦ ବର୍ଷ ହେଲା ବିଚାରପତି ଭାବେ କାମ କରୁଥିଲେ। ୨୦୦୫ରେ ପ୍ରଥମଥର ପାଇଁ ସେ ଦିଲ୍ଲୀ ହାଇକୋର୍ଟର ଅତିରିକ୍ତ ବିଚାରପତି ହୋଇଥିଲେ। ବର୍ଷକ ପରେ ସେ ଜଣେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୯ରେ ସୁପ୍ରିମକୋର୍ଟକୁ ପଦୋନ୍ନତି ପାଇଥିବା ଜଷ୍ଟିସ ଖାନ୍ନା ଗତବର୍ଷ ନଭେମ୍ବର ମାସରେ ପ୍ରଧାନ ବିଚାରପତି ପଦ ଅଳଙ୍କୃତ କରିଥିଲେ।
ଧାରା ୩୭୦, ପରକୀୟା ପ୍ରୀତିକୁ ଅପରାଧ ଶ୍ରେଣୀରୁ ବାଦ ଦେବା, ନିର୍ବାଚନୀ ବଣ୍ଡ ଓ ଇଭିଏମ-ଭିଭିପ୍ୟାଟ ଭଳି ମାମଲାରେ ପ୍ରକାଶ ପାଇଥିବା ଐତିହାସିକ ରାୟ ସହ ଜଷ୍ଟିସ ଖାନ୍ନା ଜଡ଼ିତ। ଆଜି ସେ ଅବସର ନେଇଥିବା ବେଳେ ଆସନ୍ତାକାଲି ଜଷ୍ଟିସ ଗବାଇ ଦେଶର ୫୨ ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Judge_1747133091.jpg)