/odisha-reporter/media/post_attachments/uploadimage/library/16_9/16_9_0/Pollution__1757675006.jpg)
Pollution
ଦିଲ୍ଲୀ-ଏନସିଆର ଭଳି ସମଗ୍ର ଦେଶରେ ବାଣ ତିଆରି ଓ ଫୁଟାଇବା ବ୍ୟାନ କରିବା ସପକ୍ଷରେ ସୁପ୍ରିମକୋର୍ଟ। ଦେଶର ଅନ୍ୟ ସହରଗୁଡ଼ିକ ସାଂଘାତିକ ପ୍ରଦୂଷଣର ସାମ୍ନା କରୁଥିବା ବେଳେ ବାଣ ବ୍ୟାନ ନିଷ୍ପତ୍ତି କେବଳ ଦିଲ୍ଲୀ-ଏନସିଆରରେ କାହିଁକି ଲାଗୁ କରାଯିବ ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି।
ଦିଲ୍ଲୀ-ଏନସିଆରରେ ବର୍ଷ ତମାମ ବାଣ ତିଆରି ଓ ଫୁଟାଇବା ଉପରେ ରୋକ ଲଗା ଯାଇଥିବାରୁ ଏହା ବିରୋଧରେ ହୋଇଥିବା ଏକାଧିକ ଆବେଦନର ଶୁଣାଣି ସୁପ୍ରିମକୋର୍ଟ କରିଛନ୍ତି। ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗବାଇ ମତ ରଖିଛନ୍ତି ଯେ ଯଦି ଏନସିଆରର ଲୋକମାନେ ବିଶୁଦ୍ଧ ବାୟୁ ପାଇଁ ହକଦାର, ତା’ହେଲେ ଅନ୍ୟ ସହରର ଲୋକମାନେ କାହିଁକି ଏହା ପାଇବେ ନାହିଁ? ଯଦି ବାଣ ଉପରେ କୌଣସି ନୀତି ପ୍ରଣୟନ ହେବ, ତା’ହେଲେ ଏହା ସମଗ୍ର ଦେଶରେ ଲାଗୁ ହେବ।
ଆମେ କେବଳ ଦିଲ୍ଲୀ ପାଇଁ ନୀତି ଆଣିପାରିବୁ ନାହିଁ। ଦିଲ୍ଲୀର ଲୋକମାନେ ଦେଶର ଆଭିଜାତ୍ୟ ସମ୍ପନ୍ନ ନାଗରିକ ହୋଇଥିବାରୁ କେବଳ ସେମାନଙ୍କ ପାଇଁ ସ୍ୱତନ୍ତ୍ର ନୀତି ଅଣାଯାଇ ପାରିବ ନାହିଁ। ଗତ ଶୀତ ଋତୁରେ ମୁଁ ଅମୃତସରରେ ରହିଥିଲି। ସେଠାକାର ପ୍ରଦୂଷଣ ଦିଲ୍ଲୀ ଠାରୁ ବି ଭୟଙ୍କର। ଯଦି ବାଣ ବ୍ୟାନ କରାଯିବ, ତା’ହେଲେ ସମଗ୍ର ଦେଶରେ ଏହା ନିଷେଧ ହେବ ବୋଲି ଜଷ୍ଟିସ ଗବାଇ କହିଛନ୍ତି।
ବରିଷ୍ଠ ଆଇନଜୀବୀ ଅପରାଜିତା ସିଂହ ଏହି ଯୁକ୍ତିକୁ ସମର୍ଥନ କରି କହିଛନ୍ତି ଯେ “ଆଭିଜାତ୍ୟ ସମ୍ପନ୍ନ ଲୋକମାନେ ନିଜର ଯତ୍ନ ନିଜେ ନେଇ ପାରିବେ। ପ୍ରଦୂଷଣ ହେବା ମାତ୍ରେ ସେମାନେ ଦିଲ୍ଲୀ ବାହାରକୁ ଚାଲି ଯାଉଛନ୍ତି।” ଦେଶବ୍ୟାପୀ ବାଣ ବ୍ୟାନ ପାଇଁ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ କମିଶନ ଫର ଏୟାର କ୍ୱାଲିଟୀ ମ୍ୟାନେଜମେଣ୍ଟକୁ ନୋଟିସ କରାଯାଇଛି।
ଆଗକୁ ଦୀପାବଳି ଆସୁଥିବା ବେଳେ ବାଣ ଉପରେ ସୁପ୍ରିମକୋର୍ଟ ଏପରି ମତ ରଖିଛନ୍ତି। ଦିଲ୍ଲୀ ଓ ଏହାର ଉପକଣ୍ଠ ଅଞ୍ଚଳଗୁଡ଼ିକରେ ଗତ ବର୍ଷ ବାଣ ଫୁଟାଇବା, ବିକ୍ରି କରିବା ଓ ତିଆରି କରିବା ଉପରେ ସଂପୂର୍ଣ୍ଣ ରୋକ ଲାଗିଥିଲା। କେବଳ ଏନିଆରର କିଛି ସ୍ଥାନରେ ବାଣକୁ ଅନୁମତି ମିଳିଥିଲା। କିନ୍ତୁ ବାଣ ବିକ୍ରି ଉପରେ କଠୋର ନିୟମ ପ୍ରଣୟନ କରାଯାଇଥିଲା।
୨୦୨୪ ଡିସେମ୍ବର ୧୯ରେ ଦିଲ୍ଲୀ ସରକାର ଗୋଟିଏ ବିଜ୍ଞପ୍ତି ଜାରି କରି ବର୍ଷ ତମାମ ସହରରେ ବାଣ ବ୍ୟାନ କରିଥିଲେ। ସେହିପରି ୨୦୨୫ ଜାନୁଆରୀ ୧୭ରେ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ଓ ହରିୟାଣାର କିଛି ଜିଲ୍ଲାରେ ମଧ୍ୟ ବାଣ ନିର୍ମାଣ ଓ ଫୁଟାଇବା ଉପରେ ରୋକ ଲଗାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
