/odisha-reporter/media/post_attachments/uploadimage/library/16_9/16_9_0/Coal_1686315270.jpg)
Coal
ଝାରଖଣ୍ଡର ଧାନବାଦରେ ଘଟିଛି ଅଘଟଣ। ଏଠାରେ ଥିବା ଗୋଟିଏ ଖଣିରେ ବେଆଇନ ଖନନ ବେଳେ ଏହା ଭୁଶୁଡ଼ି ପଡ଼ିଛି। ଫଳରେ ମାଟି ଓ ପଥର ଅତଡ଼ା ତଳେ ଚାପି ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଛି।
ମୃତକଙ୍କ ମଧ୍ୟରେ ଜଣେ ଛୋଟ ପିଲା ରହିଛି। ସେହିପରି ଖନନ କାମରେ ନିୟୋଜିତ ହୋଇଥିବା ଅନେକ ଲୋକ ମାଟି ଓ ପଥର ତଳେ ଚାପି ହୋଇ ରହିଥିବା ମଧ୍ୟ ଆଶାଙ୍କା କରାଯାଉଛି। ଏଥିପାଇଁ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି।
ଭାରତ କୁକିଂ କୋଲ ଲିଃ ଅଧୀନରେ ଥିବା ଭୋୱରା କୋଲେରୀ ଅଞ୍ଚଳରେ ଏହା ଘଟିଛି। ଏହି ଖଣି ଖାଦାନକୁ ବନ୍ଦ ଘୋଷଣା କରାଯାଇଥିଲା। ଏଠାରେ ଖନନ ପାଇଁ ମଧ୍ୟ ଅନୁମତି ନଥିଲା। ତଥାପି ଏଠାରେ ବେଆଇନ ଖନନ ଚାଲିଥିଲା।
ଆଜି ଖନନ ଚାଲିଥିବା ବେଳେ ହଠାତ୍ ଏହା ଭୁଶୁଡ଼ି ପଡ଼ିଥିଲା। ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଧ୍ୱଂସାବଶେଷ ତଳୁ ୫ ଜଣଙ୍କୁ ବାହାର କରି ହସ୍ପିଟାଲ ନେଇଥିଲେ। ତେବେ ସେଠାରେ ଗୋଟିଏ ଛୋଟ ପିଲା, ଜଣେ ମହିଳା ଓ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଏବେ ଆଉ ୨ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।
ଜୋରାପୋଖର ପୁଲିସ୍ ଷ୍ଟେସନର ଜଣେ ଇନସପେକ୍ଟର କହିଛନ୍ତି, ବେଆଇନ ଭାବେ ଚାଲିଥିବା ଖଣିରେ କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ଅଘଟଣ ଘଟିଛି। ଏଥିରେ ମୃତାହତ ହୋଇଥିବା ଲୋକଙ୍କୁ ହସ୍ପିଟାଲରେ ରଖାଯାଇଛି। କେଉଁ ପରିସ୍ଥିତିରେ ଏଠାରେ ଖନନ ଚାଲିଥିଲା, ତା’ର ତଦନ୍ତ କରାଯାଉଥିବା ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
