Advertisment

ସୁଧୁରୁନି ଚୀନ୍‌: ପେଙ୍ଗୋଙ୍ଗ ହ୍ରଦ ନିକଟରେ ଚାଳିଛି ଖୋଳା କାମ, ସାଟେଲାଇଟ୍‌ ଫଟୋରୁ ଖୁଲାସା

ଅସ୍ତ୍ରଶସ୍ତ୍ର ଏବଂ ଇନ୍ଧନ ସଂରକ୍ଷଣ ପାଇଁ ସେ ଏଠାରେ ଅଣ୍ଡରଗ୍ରାଉଣ୍ଡ ବଙ୍କର୍ ନିର୍ମାଣ କରିଛି ଚୀନ୍‌।

author-image
Madhupriya Mistry
ଅଦ୍ୟତନ ହୋଇଛି
satellite-images-r

satellite-images-r

ଯେତେ ବୁଝାଇଲେ ବି ସୁଧୁରୁନି ଚୀନ୍‌। ପୁଣି ଥରେ ସାମ୍ନାକୁ ଆସିଛି ଡ୍ରାଗନର ବିସ୍ତାରବାଦୀ ନୀତି । ପୂର୍ବ ଲଦାଖ ଉପରେ ରହିଛି ଚୀନ୍‌ର ନଜର। ପେଙ୍ଗୋଙ୍ଗ ହ୍ରଦ ନିକଟରେ ଖୋଳା ଖୋଳି କାମ ଚଳାଇଛି ଚୀନ୍‌ ସେନା। ସାଟେଲାଇଟ୍‌ ଫଟୋରୁ ଏହାର ଖୁଲାସା ହୋଇଛି।

Advertisment

ଗୋଟିଏ ପଟେ ଚାଇନାର ବୈଦେଶିକ ମନ୍ତ୍ରୀ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ସହ ବୈଠକ କରି ପ୍ରକୃତ ନିୟନ୍ତ୍ରଣ ରେଖାରେ ଚାଲିଥିବା ବିବାଦର ସମାଧାନ ପାଇଁ କହିଛନ୍ତି। ଅନ୍ୟପକ୍ଷରେ, ଚୀନ୍ ସୈନିକମାନେ ପୁନର୍ବାର ପୂର୍ବ ଲଦାଖର ପେଙ୍ଗୋଙ୍ଗ ହ୍ରଦ ନିକଟରେ ନିଜର କାର୍ଯ୍ୟକଳାପ ବୃଦ୍ଧି କରିଛନ୍ତି। ଦୀର୍ଘ ଦିନ ଧରି ଏଠାରେ ରହିବାକୁ ଚୀନ୍ ସେନା ଖନନ କାର୍ଯ୍ୟ ଜାରି ରଖିଛି। ଅସ୍ତ୍ରଶସ୍ତ୍ର ଏବଂ ଇନ୍ଧନ ସଂରକ୍ଷଣ ପାଇଁ ସେ ଏଠାରେ ଅଣ୍ଡରଗ୍ରାଉଣ୍ଡ ବଙ୍କର୍ ନିର୍ମାଣ କରିଛି ଚୀନ୍‌। ଏଥି ସହିତ, ସେମାନଙ୍କର ବଡ଼ ବଡ଼ ଯାନକୁ ସୁରକ୍ଷିତ ରଖିବା ପାଇଁ ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି। ଆମେରିକା ସାଟେଲାଇଟ୍‌ରୁ ନିଆଯାଇଥିବା ଫଟୋରୁ ଏହାର ପର୍ଦ୍ଦାଫାଶ ହୋଇଛି।

ଉପଗ୍ରହ ସାହାଯ୍ୟରେ ବିଶ୍ୱର ଅନେକ ପ୍ରମୁଖ ଭୌଗୋଳିକ କ୍ଷେତ୍ର ଉପରେ ନଜର ରଖୁଥିବା ସଂସ୍ଥା ବ୍ଲାକସ୍କାଏ ଏହି ଫଟୋକୁ ଜାରି କରିଛି। ଫଟୋଗ୍ରାଫର ବିଶ୍ଳେଷଣରୁ ଜଣାପଡିଛି ଚୀନ୍ ପୂର୍ବ ଲଦାଖର ପୋଙ୍ଗୋଙ୍ଗ ହ୍ରଦ ନିକଟରେ ଖୋଳା କାମ ଜାରି ରଖିଛି।

Advertisment

ଏହି ଫଟୋ ଅନୁଯାୟୀ, ଚାଇନାର ସୈନିକମାନେ ୨୦୨୧-୨୨ ମସିହାରେ ଏହି ଅଞ୍ଚଳରେ ଏକ ସାମରିକ ବେସ ନିର୍ମାଣ କରିଥିଲେ। ଏଠାରେ କିଛି ଅଣ୍ଡରଗ୍ରାଉଣ୍ଡ ବଙ୍କର ମଧ୍ୟ ନିର୍ମାଣ କରାଯାଇଛି, ଯାହା ଇନ୍ଧନ, ଅସ୍ତ୍ରଶସ୍ତ୍ର ଏବଂ ସାମରିକ ସାମଗ୍ରୀକୁ ସୁରକ୍ଷିତ ରଖିବା ପାଇଁ ବ୍ୟବହୃତ ହେଉଛି।

ବ୍ଲାକସ୍କାଏ ଦ୍ୱାରା ମେ’ ୩୦ ରେ ନିଆଯାଇଥିବା ଫଟୋଗ୍ରାଫରେ ୮ଟି ଦ୍ୱାର ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି। ଏହି ବଡ଼ ବଙ୍କର୍ ନିକଟରେ ପାଞ୍ଚଟି ପ୍ରବେଶ ପଥ ସହିତ ଆଉ ଏକ ଛୋଟ ବଙ୍କର୍ ଅଛି। ଅସ୍ତ୍ରଶସ୍ତ୍ର ଯାନ ସଂରକ୍ଷଣ ସୁବିଧା, ପରୀକ୍ଷଣ ରେଞ୍ଜ, ଇନ୍ଧନ ଏବଂ ଗୁଳିଗୋଳା ଷ୍ଟୋରେଜ୍ ବିଲ୍ଡିଂକୁ ସାମରିକ ବେସ୍‌କୁ ସମ୍ପ୍ରସାରିତ କରାଯାଇଛି ବୋଲି ବ୍ଲାକସ୍କାଏ କହିଛି। ଏହି ବେସ୍ ଗାଲୱାନ୍ ଉପତ୍ୟକାର ଦକ୍ଷିଣ-ପୂର୍ବର ୧୨୦ କିଲୋମିଟରରୁ ଅଧିକ ଦୂରରେ ଅବସ୍ଥିତ।

ସୂଚନାଯୋଗ୍ୟ, ପୋଙ୍ଗୋଙ୍ଗ ହ୍ରଦର ଉତ୍ତର କୂଳରେ ଥିବା ସିରଜାପରେ ଚୀନ୍ ସେନା ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ)ର ଏକ ସାମରିକ ବେସ୍ ଅଛି। ହ୍ରଦ ଚାରିପାଖରେ ଡ୍ୟୁଟିରେ ନିୟୋଜିତ ଚୀନ୍ ସୈନିକମାନଙ୍କର ମୁଖ୍ୟାଳୟ ମଧ୍ୟ ଏହି ଅଞ୍ଚଳରେ ଅଛି। ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ଏହି ସାମରିକ ବେସ୍ ନିର୍ମାଣ କରିଛି ଚୀନ୍‌।

ଭାରତ ଏହି ଅଞ୍ଚଳକୁ ନିଜର ବୋଲି ଦାବି କରିଆସୁଛି, କିନ୍ତୁ ଚୀନ୍ ଏହା ଉପରେ ଜୋର ଜବରଦସ୍ତି କବ୍‌ଜା କରି ବସିଛି। ବିଶେଷ କଥା ହେଉଛି ମେ’ ୨୦୨୦ ରେ ଏଲଏସି ଉପରେ ଗତିରୋଧ ଆରମ୍ଭ ହେବା ପୂର୍ବରୁ ଏହି କ୍ଷେତ୍ରଟି ସମ୍ପୂର୍ଣ୍ଣ ଖାଲି ଥିଲା ଏବଂ ଏହି ଅଞ୍ଚଳରେ ଖନନ କିମ୍ବା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନଥିଲା ।

India-China Clash LAC Pangong Lake