ପାକିସ୍ତାନର ପରମ ମିତ୍ର ଚାଇନା କଶ୍ମୀରରେ ହେବାକୁ ଥିବା ଜି-୨୦ ବୈଠକକୁ ବିରୋଧ କରିଛି। ସେହିପରି ତୁର୍କୀ ଓ ସାଉଦି ଆରବ ଶ୍ରୀନଗରରେ ହେବାକୁ ଥିବା ବୈଠକ ପାଇଁ ଏଯାଏ ପଞ୍ଜିକରଣ କରି ନାହାନ୍ତି।
ଶୁକ୍ରବାର ଚାଇନା ବୈଦେକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ କହିଥିଲେ ଯେ “ଯେକୌଣସି ବିବାଦୀୟ ଅଞ୍ଚଳରେ ଜି-୨୦ର ବୈଠକକୁ ଚାଇନା ବିରୋଧ କରୁଛି। ଏପରି ବୈଠକ ଗୁଡ଼ିକରେ ଚାଇନା ଯୋଗଦେବ ନାହିଁ।”
ଏହାକୁ ଭାରତ କଡ଼ା ସ୍ୱରରେ କାଉଣ୍ଟର କରିବା ସହ ନିଜ ଅଞ୍ଚଳର ଯେକୌଣସି ସ୍ଥାନରେ ମୁକ୍ତ ଭାବେ ବୈଠକ କରିବାକୁ ଅଧିକାର ରଖିଛି। ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ତେଣୁ ଏଠାରେ ଜି-୨୦ ବୈଠକ କରାଯିବ। ସୀମାରେ ଶାନ୍ତି ଓ ସ୍ଥିରତା ଉପରେ ଚାଇନା ସହ ସମ୍ପର୍କ ନିର୍ଭର କରେ ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି।
କଡ଼ା ସୁରକ୍ଷା ମଧ୍ୟରେ ଆସନ୍ତା ୨୨ରୁ ୨୪ ତାରିଖ ଯାଏ ଶ୍ରୀନଗରରେ ତୃତୀୟ ଜି-୨୦ ଟୁରିଜିମ ୱାର୍କିଂ ଗ୍ରୁପ୍ର ବୈଠକ ହେବ। ଧାରା ୩୭୦ ଉଚ୍ଛେଦ ଓ ଜମ୍ମୁ-କଶ୍ମୀର ଦୁଇ ଭାଗ ହେବା ପରେ ପ୍ରଥମଥର ପାଇଁ ଉପତ୍ୟକାରେ କୌଣସି ବଡ଼ ଅନ୍ତର୍ଜାତୀୟ ସମ୍ମିଳନୀ ହେବାକୁ ଯାଉଛି। ଜି-୨୦ ଦେଶର ପ୍ରାୟ ୬୦ ପ୍ରତିନିଧି ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଏଥିପାଇଁ ପୂରା ଉପତ୍ୟକାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମାରିନ କମାଣ୍ଡୋ ଓ ଏନଏସ୍ଜି କମାଣ୍ଡୋମାନେ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। କଶ୍ମୀର ପର୍ଯ୍ୟଟନର ପ୍ରଚାର ଓ ପ୍ରସାର ପାଇଁ ଭାରତ ସରକାର ସେଠାରେ ଜି-୨୦ ବୈଠକ କରୁଛନ୍ତି। ହେଲେ ଏଥିରେ ଚାଇନା କେଁ ପୂରାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।