Advertisment

CISF କୁ ମିଳିଲା ପ୍ରଥମ ମହିଳା ମହାନିର୍ଦ୍ଦେଶକ, ପଦ ସମ୍ଭାଳିବେ ନୀନା ସିଂ

ଭାରତ ଇତିହାସରେ ପ୍ରଥମ ଥର CISF ର ମୁଖିଆ ଜଣେ ମହିଳା ହୋଇଛନ୍ତି। ବରିଷ୍ଠ ଆଇପିଏସ୍‌ ଅଫିସର ନୀନା ସିଂଙ୍କୁ ଏହି ପଦରେ ମିଳିଛି ନିଯୁକ୍ତି।

author-image
Niharika Rout
Neena Singh

Neena Singh

ଦେଶର ପ୍ରମୁଖ ୩ ଅର୍ଦ୍ଧସୈନିକ ବଳକୁ ମିଳିଛନ୍ତି ନୂଆ ମୁଖିଆ। କେନ୍ଦ୍ରୀୟ ରିଜର୍ଭ ପୁଲିସ୍‌ ବଳ (CRPF), କେନ୍ଦ୍ରୀୟ ଉଦ୍ୟୋଗିକ ସୁରକ୍ଷା ବଳ(CISF) ଓ ଭାରତ ତିବ୍ବତ ସୀମା ପୁଲିସ୍‌ (ITBP)ରେ ହୋଇଛି ଏହି ନୂଆ ନିଯୁକ୍ତି। ତେବେ ଭାରତ ଇତିହାସରେ ପ୍ରଥମ ଥର CISF ର ମୁଖିଆ ଜଣେ ମହିଳା ହୋଇଛନ୍ତି। ବରିଷ୍ଠ ଆଇପିଏସ୍‌ ଅଫିସର ନୀନା ସିଂଙ୍କୁ ଏହି ପଦରେ ମିଳିଛି ନିଯୁକ୍ତି। ଏହାବାଦ କେନ୍ଦ୍ର ପକ୍ଷରୁ ଅନୀଶ ଦୟାଲ ସିଂଙ୍କୁ CRPF ମୁଖ୍ୟ ଓ ରାହୁଲ ରସଗୋତ୍ରାଙ୍କୁ ITBP ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି।

Advertisment

CISF ୧୯୬୯ ମସିହାରେ ଗଠିତ ହୋଇଥିବା ବେଳେ ସେବେଠୁ ଏହାର ମୁଖିଆ ପୁରୁଷ ହିଁ ରହି ଆସୁଥିଲେ। କିନ୍ତୁ ୫୪ ବର୍ଷୀୟା ନୀନା ସିଂ ଏହି ପୁରୁଷ ପ୍ରଧାନ ପରମ୍ପରାକୁ ଭାଙ୍ଗି ଦେଇଛନ୍ତି। ପ୍ରାୟ ୧.୬୩ ଲକ୍ଷ ଯବାନଙ୍କୁ ନେଇ ଗଠିତ CISF କମାଣ ଏବେ ଜଣେ ମହିଳାଙ୍କ ହାତରେ ରହିବ ।

ନୀନା ଏବେ CISFର ଅତିରିକ୍ତ ମହାନିର୍ଦ୍ଦେଶକ ପଦରେ ଅଭିଷିକ୍ତ ଅଛନ୍ତି। ସମଗ୍ର ଦେଶରେ ଥିବା ଏୟାରପୋର୍ଟ, ଦିଲ୍ଲୀ ମେଟ୍ରୋ, ଗୁରୁତ୍ୱପୂର୍ଣ୍ଣ ସରକାରୀ ଭବନ ଓ ରଣନୀତି ପ୍ରତିଷ୍ଠାନର ସୁରକ୍ଷା ଦାୟିତ୍ୱ CISF ଉପରେ ନ୍ୟସ୍ତ ଅଛି।

Advertisment

ବିହାର ବାସିନ୍ଦା ନୀନା ପଟଣା ମହିଳା କଲେଜ , ଦିଲ୍ଲୀ ଜେଏନୟୁ ଓ ହାର୍ବାଡ ବିଶ୍ୱବିଦ୍ୟାଳୟରୁ ନିଜ ପାଠ ପଢ଼ା ଶେଷ କରିଥିଲେ।  ଏହାପରେ ମଣିପୁର କ୍ୟାଡରର ଆଇପିଏସ୍‌ ଭାବେ ସେ ନିଜ ଚାକିରି କ୍ୟାରିଅର ଆରମ୍ଭ କରିଥିଲେ। କିନ୍ତୁ ପରେ ସେ ରାଜସ୍ଥାନ କ୍ୟାଡରକୁ ଚାଲି ଯାଇଥିଲେ।

୧୯୮୯ ବ୍ୟାଚର ଏହି ଆଇପିଏସ୍‌ ଅଧିକାରୀଜଣକ ଏବେ CISFର ଅତିରିକ୍ତ ମହାନିର୍ଦ୍ଦେଶକ ଦାୟିତ୍ୱ ସମ୍ଭାଳୁଛନ୍ତି। ମାତ୍ର ନୂଅ ନିଯୁକ୍ତି ପରେ ସେ CISFର ମହାନିର୍ଦ୍ଦେଶକ ପଦରେ ନିଯୁକ୍ତ ହୋଇଛନ୍ତି। ଆସନ୍ତା ବର୍ଷ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ନୀନା ଏହି ପଦ ସମ୍ଭାଳିବେ ବୋଲି କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ଏହା ପୂର୍ବରୁ ନୀନା ସିଂ ୨୦୧୩ରୁ ୨୦୧୮ ମସିହା ପର୍ଯ୍ୟନ୍ତ CBIର ସଂଯୁକ୍ତ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି। ଉକ୍ତ ସମୟରେ ସେ ସିନା ବୋରା ମର୍ଡର କେସ୍‌, ଜିନା ଖାଁ ଆତ୍ମହତ୍ୟା ମାମଲା ପରି ବହୁ ହାଇ ପ୍ରୋଫାଇଲ କେସ୍‌ର ତଦନ୍ତ ଭାର ନେଇଥିଲେ।

ନୀନା ସିଂ ନିଜ ଚାକିରି କ୍ୟାରିଅରେ ବହୁ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସେ ରାଜସ୍ଥାନର ପୁଲିସ୍‌ ମୁଖ୍ୟ ଭାବେ କାର୍ଯ୍ୟ କରିଥିବା ପ୍ରଥମ ମହିଳା ଅଫିସର ହେବାର ସୌଭାଗ୍ୟ ଲାଭ କରି ସାରିଛନ୍ତି। ଏହାବାଦ ରାଜସ୍ଥାନରେ ମହିଳା କମିଶନ ସଦସ୍ୟ ଥିବା ବେଳେ ସେ ଗ୍ରାମାଞ୍ଚଳର ମହିଳାଙ୍କ ଉନ୍ନତି ପାଇଁ ବହୁ ପ୍ରୋଜେକ୍ଟ ହାତକୁ ନେଇ ପ୍ରଶଂସିତ ହୋଇଥିଲେ।

ନୀନା ସିଂଙ୍କ ସ୍ୱାମୀ ବି ଭାରତୀୟ ପ୍ରଶାସନିକ ସେବାର ଜଣେ ବରିଷ୍ଠ ଅଧିକାରୀ ହୋଇଥିବା ବେଳେ ସେ ଏବେ କେନ୍ଦ୍ର ସରକାରଙ୍କ ଖାଉଟି ବ୍ୟାପାର ମନ୍ତ୍ରାଳୟର ସେକ୍ରେଟାରୀ ଭାବେ କାର୍ଯ୍ୟରତ ଅଛନ୍ତି।

CISF Recruitment Cisf