ଦୀର୍ଘ ୫ ବର୍ଷ ତଳୁ ଆଇନରେ ପରିଣତ ହୋଇ ସାରିଥିବା ନାଗରିକତ୍ୱ ସଂଶୋଧନ ଆଇନ ବା ସିଏଏ ବାସ୍ତବ ରୂପ ନେଇଛି। ଠିକ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଏହାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସିଏଏରେ ବ୍ୟବସ୍ଥିତ ହୋଇଥିବା ଆଇନ ସାର୍ବଜନୀନ କରାଯାଇଛି। ଏନେଇ ମନ୍ତ୍ରଣାଳୟ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଛି।
ଏହାର ଅର୍ଥ ଆଜି ଠାରୁ ଦେଶରେ ସିଏଏ ଲାଗୁ ହୋଇଛି। ଏଣିକି ଭାରତରେ ଶରଣାର୍ଥୀ ଜୀବନ କାଟୁଥିବା ଅନ୍ୟ ଦେଶର ଲୋକମାନେ ନାଗରିକତା ପାଇପାରିବେ। କେବଳ ମୁସଲମମାନଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ଭାରତର ସରକାର ନାଗରିକତା ଦେବେ।
୫ ବର୍ଷ ତଳେ ଅର୍ଥାତ ୨୦୧୯ରେ ସିଏଏ ଲୋକସଭା ଓ ରାଜ୍ୟସଭାରେ ପାରିତ ହେବା ପରେ ଆଇନରେ ପରିଣତ ହୋଇଥିଲା। ତଥାପି ଏଥିରେ କ’ଣ ସବୁ ନିୟମ ରହିବ, ସେକଥା କେନ୍ଦ୍ର ସରକାର ପ୍ରସ୍ତୁତ କରି ନଥିଲେ। ଏବେ ସରକାର ସିଏଏ ନିୟମ ପ୍ରଣୟନ କରିଛନ୍ତି।
ବିଜ୍ଞପ୍ତି ଅନୁସାରେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧାର୍ମିକ ନିର୍ଯାତନା ସହି ନ ପାରି ଭାରତରେ ଶରଣାର୍ଥୀ ଜୀବନ କାଟୁଥିବା ଲୋକଙ୍କୁ ତତ୍କାଳ ବା ଫାଷ୍ଟଟ୍ରାକ ନିୟମ ଆଧାରରେ ଭାରତର ନାଗରିକତା ପ୍ରଦାନ କରାଯିବ। ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଭାରତରେ ଥିବା ମୁସଲିମଙ୍କୁ ଛାଡ଼ି ଅନ୍ୟ ଦେଶର ନାଗରିକଙ୍କୁ ସରକାର ନାଗରିକତା ପ୍ରଦାନ କରିବେ।
ସେହିପରି ଗତବର୍ଷ ଭାରତରେ ରହୁଥିବା ଶରଣାର୍ଥୀ ଓ ଗତ ୧୪ ବର୍ଷ ମଧ୍ୟରେ ୫ ବର୍ଷ ଭାରତରେ ଜୀବନ କାଟିଥିବା ଲୋକଙ୍କୁ ମଧ୍ୟ ନାଗରିକତା ଦିଆଯିବ। ଆଇନରେ ଆସାମ, ମେଘାଳୟ, ମିଜୋରାମ ଓ ତ୍ରିପୁରାର ଆଦିବାସୀ ଅଞ୍ଚଳକୁ ବାଦ ଦିଆଯାଇଛି।
ଭାରତର ନାଗରିକତା ଚାହୁଁଥିବା ଲୋକମାନେ କେବଳ ଅନଲାଇନ ଦ୍ୱାରା ଆବେଦନ କରିପାରିବେ। ଏଥିପାଇଁ ଗୋଟିଏ ସ୍ୱତନ୍ତ୍ର ପୋର୍ଟାଲର ବ୍ୟବସ୍ଥା କରାଯାଇଛି। ଅନଲାଇନରେ ପଚରା ଯାଇଥିବା କାଗଜପତ୍ର ଦେଖାଇ ଜଣେ ନାଗରିକତା ପାଇଁ ଆବେଦନ କରିପାରିବେ।
କେନ୍ଦ୍ରର କ୍ଷମତାସୀନ ବିଜେପି ସରକାର ମୁସଲିମଙ୍କୁ ଛାଡ଼ି ଭାରତରେ ଶରଣାର୍ଥୀ ଜୀବନ କାଟୁଥିବା ସବୁ ଧର୍ମର ଲୋକଙ୍କୁ ନାଗରିକତା ପ୍ରଦାନ କରିବାକୁ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଆଣିଥିଲେ। ବିଶେଷ କରି ବାହାର ରାଷ୍ଟ୍ରରେ ଧାର୍ମିକ ଆକ୍ରୋଶର ଶିକାର ହେଉଥିବା ହିନ୍ଦୁମାନଙ୍କୁ ଭାରତର ନାଗରିକତା ଦେବା ପାଇଁ ସିଏଏ ଲାଗୁ ହେବ ବୋଲି କୁହାଯାଇଥିଲା।
କେନ୍ଦ୍ରର ମୋଦି ସରକାର ଡିସେମ୍ବର ୨୦୧୯ରେ ଏହି ଆଇନ୍ ଆଣିଥିଲେ। ଏହି ଆଇନ୍ ଅନୁଯାୟୀ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରେ ନିର୍ଯାତିତ ହିନ୍ଦୁ, ଶିଖ, ଜୈନ, ବୈଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କୁ ଭାରତ ନାଗରିକତ୍ୱ ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ତେବେ ମୁସଲମାନ ସମ୍ପ୍ରଦାୟକୁ କାହିଁକି ଏହି ଆଇନରେ ରଖାଯାଇ ନାହିଁ ବୋଲି ବିରୋଧୀ ପ୍ରଶ୍ନ କରି ସରକାରଙ୍କୁ ଘେରିଥିଲେ।