Advertisment

ରାଜଦଣ୍ଡ ‘ସେଙ୍ଗୋଲ’ ସମ୍ପର୍କରେ କରାଯାଉଥିବା ଦାବିକୁ ମିଛ କହିଲା କଂଗ୍ରେସ, ଜବାବ ଦେଲେ ଅମିତ ଶାହ

ଆସନ୍ତା ୨୮ ତାରିଖରେ ସଂସଦର ନୂଆ ବିଲଡିଂ ଉଦଘାଟନ ବେଳେ ଉକ୍ତ ସେଙ୍ଗୋଲକୁ ଭାରତୀୟ ପରମ୍ପରା ଓ ସଂସ୍କୃତି ଅନୁସାରେ ସ୍ଥାପନ କରାଯିବ।

author-image
Hemant Lenka
Sengol

Sengol

ରାଜଦଣ୍ଡ ସେଙ୍ଗୋଲକୁ କ୍ଷମତା ହସ୍ତାନ୍ତର ପ୍ରତୀକ ଭାବେ ୧୯୪୭ରେ ଲର୍ଡ ମାଉଣ୍ଟବାଟ୍ଟେନ, ସି ରାଜଗୋପାଲଚାରୀ ଓ ପଣ୍ଡିଜ ଜବାହରଲାଲ ନେହରୁ ବିବେଚନା କରୁଥିବା କଥାର କୌଣସି ପ୍ରମାଣ ନାହିଁ। ସେଙ୍ଗୋଲକୁ ନେଇ କରାଯାଉ ଥିବା ଦାବି ସଂପୂର୍ଣ୍ଣ କାଳ୍ପନିକ ଓ ମିଛ ବୋଲି କଂଗ୍ରେସ କହିଛି।

Advertisment

ଆସନ୍ତା ୨୮ ତାରିଖରେ ସଂସଦର ନୂଆ ବିଲଡିଂ ଉଦଘାଟନ ବେଳେ ଉକ୍ତ ସେଙ୍ଗୋଲକୁ ଭାରତୀୟ ପରମ୍ପରା ଓ ସଂସ୍କୃତି ଅନୁସାରେ ସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତା ହସ୍ତାନ୍ତରର ପ୍ରତୀକ ଭାବେ ଏହାକୁ ଗ୍ରହଣ କରି ସଂସଦରେ ସ୍ଥାପନ କରିବେ। ତେବେ ସେଙ୍ଗୋଲକୁ ନେଇ କରାଯାଉଥିବା ଦାବିକୁ ପ୍ରମାଣ କରିବା ପାଇଁ କୌଣସି ଦସ୍ତାବିଜ ନାହିଁ ବୋଲି କଂଗ୍ରେସ ଦାବି କରିଛି ।

କଂଗ୍ରସ ନେତା ଜୟରାମ ରମେଶ କହିଛନ୍ତି, ପ୍ରଧାମନ୍ତ୍ରୀ ଓ ତାଙ୍କ ପ୍ରଶଂସାରେ ଡ୍ରମ ବଜାଉଥିବା ଲୋକମାନେ ଏହି ଐତିହାସିକ ରାଜଦଣ୍ଡକୁ ନିଜର ତାମିଲନାଡୁ ରାଜନୀତି ଝଟକାକୁ ଭୁଲାଇବା ପାଇଁ ବ୍ୟବହାର କରୁଛନ୍ତି।

Advertisment

ତାମିଲନାଡୁରେ ରାଜନୀତିକ ଲାଭ ପାଇଁ ଏହାକୁ ବ୍ୟବହାର କରାଯାଉଛି। ଏସବୁ ହ୍ୱାସଟଆପ୍‌ ବିଶ୍ୱବିଦ୍ୟାଳୟରୁ ମିଳିଥିବା ଜ୍ଞାନ। ଏହାକୁ ବିଜେପି ପ୍ରଚାର କରିବାରେ ଲାଗିଛି।

ନିଜକୁ ସୁହାଇଲା ଭଳି ସବୁ କଥାକୁ ଟ୍ୱିଷ୍ଟ କରୁଥିବା ବ୍ରିଗେଡ ଏପରି କାମ କରୁଛନ୍ତି। ମାଉଣ୍ଟବେଟ୍ଟନ, ରାଜାଜୀ, ଓ ନେହରୁଙ୍କ ସହ ଜଡ଼ିତ ଏମିତି କୌଣସି ଦସ୍ତାବିଜ ନାହିଁ, ଯାହା ଏହି ରାଜଦଣ୍ଡ ବ୍ରିଟଶ ଠାରୁ ଭାରତକୁ କ୍ଷମତା ହସ୍ତାନ୍ତର ବେଳର ପ୍ରତୀକ ଭାବେ ବ୍ୟବହାର କରାଯାଉଥିଲା ବୋଲି ଦର୍ଶାଇବ। ଏହା ସହ ଜଡ଼ିତ ସବୁ କଥା ମିଛ ଓ କିଛି ଲୋକ ନିଜ ମାନସିକତାରୁ ଏପରି ପ୍ରଚାର କରୁଥିବା ଜୟରାମ କହିଛନ୍ତି।

ଜୟରାମଙ୍କ ଏପରି ଦାବି ପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏକାଧିକୁ ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଟ୍ୱିଟ କରି କଂଗ୍ରେସକୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି।

ଅମିତ ଶାହ କହିଛନ୍ତି, “କାହିଁକି କଂଗ୍ରେସ ଏତେ ମାତ୍ରାରେ ଭାରତ ସଂସ୍କୃତି ଓ ପରମ୍ପରାକୁ ଘୃଣା କରୁଛି? ଗୋଟିଏ ପବିତ୍ର ସେଙ୍ଗୋଲ ପଣ୍ଡିତ ନେହରଙ୍କୁ ତାମିଲନାଡୁର ପ୍ରଖ୍ୟାତ ଶୈବ ମଠ ପକ୍ଷରୁ ଦିଆଯାଇଥିଲା। ଏହା ଭାରତର ସ୍ୱାଧୀନତାର ପ୍ରତୀକ ଥିଲା। କିନ୍ତୁ ଏହାକୁ ୱାକିଂ ଷ୍ଟିକ ବା ଚାଲିବାର ଲାଠି ଭାବେ ବିବେଚନା କରି ସଂଗ୍ରହାଳୟକୁ ପଠାଇ ଦିଆଯାଇଥିଲା।

କଂଗ୍ରେସ ଇତିହାସକୁ ମିଛ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରୁଛି। ଏବେ କଂଗ୍ରେସ ଆଉ ଏକ ଲଜ୍ଜାଜନକ ଅପମାନ ଦେଇଛି। ଗୋଟିଏ ପବିତ୍ର ଶୈବ ପୀଠ Thiruvaduthurai Adheenam ନିଜେ ଭାରତର ସ୍ୱାଧୀନତା ବେଳେ ସେଙ୍ଗୋଲର ମହତ୍ତ୍ୱ କଥା କହିଥିଲା। କଂଗ୍ରେସ ଅଧୀନାମ ଇତିହାସକୁ ମିଛ ବୋଲି କହୁଛି। କଂଗ୍ରେସକୁ ନିଜର ବ୍ୟବହାର ଉପରେ ବିଚାର କରିବାର ଆବଶ୍ୟକ ରହିଛି।”

କଂଗ୍ରେସ ସମେତ ୨୧ଟି ବିରୋଧୀ ଦଳ ସଂସଦର ନୂଆ ବିଲଡିଂର ଉଦଘାଟନ ଉତ୍ସବକୁ ବୟକଟ କରିଥିବାରୁ ଏହାକୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ସମାଲୋଚନା କରିଛନ୍ତି। ଏହାବାଦ ଅନେକ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତା ମଧ୍ୟ ସମାନ କଥା ଦୋହରାଇଛନ୍ତି।

Bjp Congress Amit Shah Parliament New Parliament Building Sengol