/odisha-reporter/media/media_files/2026/02/03/pub-2026-02-03-17-08-05.jpg)
representational image
ବୟସ ଅତି ବେଶୀରେ ୧୫ କି ୧୬ ହେବ। ୧୦ମ ଶ୍ରେଣୀରେ ପଢ଼ୁଥିଲେ। ଛୋଟ ବୟସରେ ବି ମଦ ପିଇ ମତୁଆଲା ହୋଇଥିଲେ। ଶନିବାର ରାତିରେ କିଛି ସ୍କୁଲ ସାଙ୍ଗମାନଙ୍କୁ ଧରି ଗୋଟିଏ ପବକୁ ପାର୍ଟି କରିବାକୁ ଯାଇଥିଲେ ଛାତ୍ର ଜଣଙ୍କ। ବେଙ୍ଗାଲୁରୁର ଗୋଟିଏ ପବରେ ପାର୍ଟି କରିବା ସହ ପ୍ରବଳ ମଦ ପିଇଥିଲେ।
ରାତି ପ୍ରାୟ ୯ଟା ବେଳେ ମଦ ପିଇ ଘରକୁ ଆସିବା ସହ ବାଲକୋନୀରେ ପହଞ୍ଚିଥିଲେ। କେହି କିଛି ବୁଝିବା ଆଗରୁ ୭ମ ମହଲାରେ ଥିବା ଘରର ବାଲକୋନୀରୁ ସିଧା ତଳକୁ ଡେଇଁ ପଡ଼ିଥିଲେ ଛାତ୍ର ଜଣଙ୍କ। ଏବେ ପୁଲିସ୍ ମଦ ନିଶାରେ ନା ଜାଣିଶୁଣି ଛାତ୍ର ଜଣଙ୍କ ଆତ୍ମହତ୍ୟା(Suicide) କରିଛନ୍ତି, ତା’ର ତଦନ୍ତ କରୁଛି।
ବେଙ୍ଗାଲୁରୁ ଉପକଣ୍ଠରେ ଥିବା ଡ ବିଷ୍ଣୁବର୍ଦ୍ଧନ ରୋଡ ସ୍ଥିତି ଗୋଟିଏ ଆପାର୍ଟମେଣ୍ଟରେ ଛାତ୍ର ଜଣଙ୍କ ରହୁଥିଲେ। ସିସିଟିଭିରେ ଦେଖା ଯାଉଛି ଯେ ଛାତ୍ର ଜଣଙ୍କ ନିଜର ସାଙ୍ଗମାନଙ୍କ ସହ ରହୁଥିବା ଆପାର୍ଟମେଣ୍ଟକୁ ଫେରିଥିଲେ। ସାଙ୍ଗମାନେ ତାଙ୍କୁ ଘରର ଫାଟକ ନିକଟରେ ଛାଡ଼ିବା ପରେ ନିଜ ନିଜ ଘରକୁ ଚାଲି ଯାଇଥିଲେ।
ଆପାର୍ଟମେଣ୍ଟରେ ପ୍ରବେଶ କରିବା ପରେ ସେ ଲିଫ୍ଟରେ ସିଧା ୭ମ ମହଲାକୁ ଯାଇଥିଲେ। ସେଠାରୁ ସେ ନିଜ ରୁମକୁ ଯିବା ବଦଳରେ ବାଲକୋନୀକୁ ସମ୍ଭବତଃ ଯାଇଥିଲେ। ଏହାପରେ ତଳକୁ ଡେଇଁ ପଡ଼ିଥିବା ଆଶଙ୍କା କରାଯାଉଛି। ଛାତ୍ର ଜଣଙ୍କ ୯.୪୦ରେ ପ୍ରାଣ ହରାଇଥିବା ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।
ତଦନ୍ତରୁ ଜଣାପଡ଼ିଛି ଯେ ନାବାଳକ ଜଣଙ୍କ ଘଟଣା ଦିନ ସନ୍ଧ୍ୟାରେ ଲେଗାସୀ ବ୍ରିୱିଙ୍ଗ କମ୍ପାନୀ ନାମକ ଗୋଟିଏ ପବରେ ମଦ ପିଇବା ସହ ହୁକା ଟାଣିଥିଲେ। ଏକଥା ଜଣାପଡ଼ିବା ପରେ ପୁଲିସ୍ ପକ୍ଷରୁ ପବର ମାଲିକଙ୍କ ବିରୋଧରେ ଗୋଟିଏ ମାମଲା ରୁଜୁ କରାଯାଇଛି। କାରଣ ପବ ପକ୍ଷରୁ ନାବାଳକଙ୍କୁ ମଧ୍ୟ ମଦ ପରସା ଯାଉଥିଲା।
ତେବେ ପବ କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେମାନଙ୍କ କହିବା କଥା ଯେ ପବ ପକ୍ଷରୁ ନାବାଳକମାନଙ୍କୁ ମଦ ଦିଆଯାଇ ନଥିଲା। ନାବାଳକ ଜଣଙ୍କ ନିଜ ସହ ପୂର୍ବରୁ ମଦ ନେଇ ଆସିଥିଲେ। ସେଠାରେ ସେ ନିଜର ସାଙ୍ଗମାନଙ୍କ ସହ ଏହାକୁ ପିଇଥିଲେ।
ପୁଲିସ୍ ଏବେ ସିସିଟିଭି ଫୁଟେଜ ଆଧାରରେ ପୂରା ଘଟଣାକ୍ରମକୁ ବୁଝିବାକୁ ଚେଷ୍ଟା କରୁଛି। ଏଥିସହ ପବ କର୍ତ୍ତୃପକ୍ଷ ଦେଇଥିବା ସୂଚନାରେ କେତେ ସତ୍ୟତା ରହିଛି, ତା’କୁ ମଧ୍ୟ ସୀମକ୍ଷା କରୁଛି।
ପୁଲିସ୍ର କହିବା କଥା ଯେ ସେମାନେ ଘଟଣାର ସବୁ ଦିଗକୁ ତଦନ୍ତ କରୁଛନ୍ତି। ନାବାଳକ ଜଣଙ୍କ ପୂର୍ବରୁ ମଦ ପିଇଥିଲେ ନା ଶନିବାର ପ୍ରଥମଥର ମଦ ପିଇଥିଲେ? ମଦ ପିଇବା ପରେ ପରିବାର ଲୋକଙ୍କୁ ସାମ୍ନା କରିବାକୁ ସେ ଡରୁଥିଲେ କି? ତାଙ୍କ ଉପରେ କିଛି ପାଠପଢ଼ା ଚାପ ରହିଥିଲା କି? କୌଣସି ବ୍ୟକ୍ତିଗତ କାରଣରୁ ସେ ଜୀବନ ହାରିଛନ୍ତି କି, ସେସବୁ ପ୍ରଶ୍ନର ଉତ୍ତର ପୁଲିସ୍ ଖୋଜିବାରେ ଲାଗିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
