Advertisment

୮ମ ଶ୍ରେଣୀ ଛାତ୍ରଙ୍କୁ ଇଟାରେ ପିଟିପିଟି ମାରି ଦେଲେ, ଡ୍ରେନରୁ ମିଳିଲା ମୃତଦେହ

ନିର୍ମମ ହତ୍ୟାର ଶିକାର ହୋଇଥିବା ଛାତ୍ର ଜଣଙ୍କ ହେଲେ ଦିଲ୍ଲୀର ମୋଲାରବ୍ୟାଣ୍ଡ ଗାଁର ବିଲାପୁର କ୍ୟାମ୍ପରେ ରହୁଥିବା ୧୨ ବର୍ଷୀୟ ସୌରଭ।

author-image
Hemant Lenka
Death With Bricks

Death With Bricks

ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ଅତ୍ୟନ୍ତ ବର୍ବରକାଣ୍ଡ। ଦୁଇ ଜଣ ବ୍ୟକ୍ତି ଏମସିଡି ସ୍କୁଲରେ ପାଠ ପଢ଼ୁଥିବା ଜଣେ ୮ମ ଶ୍ରେଣୀ ଛାତ୍ରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ତାଙ୍କୁ ପ୍ରଥମେ ଇଟା ମାଡ଼ କରି ପିଟିପିଟି ହତ୍ୟା କରିଥିଲେ। ଏହାପରେ ତାଙ୍କ ମୃତଦେହକୁ ଦକ୍ଷିଣ ଦିଲ୍ଲୀର ବାଦ୍ରାପୁର ଅଞ୍ଚଳରେ ଥିବା ଗୋଟିଏ ଡ୍ରେନ ଫିଙ୍ଗି ଦେଇଥିଲେ। ଡ୍ରେନରୁ ଛାତ୍ରଙ୍କ ମୃତଦେହ ମିଳିବା ପରେ ପୂରା ହଇଚଇ ସୃଷ୍ଟି ହୋଇଛି।

Advertisment

ନିର୍ମମ ହତ୍ୟାର ଶିକାର ହୋଇଥିବା ଛାତ୍ର ଜଣଙ୍କ ହେଲେ ଦିଲ୍ଲୀର ମୋଲାରବ୍ୟାଣ୍ଡ ଗାଁର ବିଲାପୁର କ୍ୟାମ୍ପରେ ରହୁଥିବା ୧୨ ବର୍ଷୀୟ ସୌରଭ। ସେ ଦିଲ୍ଲୀ ମହାନଗର ନିଗମ ଦ୍ୱାରା ପରିଚାଳିତ ତାଜପୁର ପହରି ସ୍କୁଲରେ ପଢ଼ୁଥିଲେ।

ଗୁରୁବାର ରାତି ପ୍ରାୟ ୮.୨୦ରେ ବାଦ୍ରାପୁର ପୁଲିସ୍‌ ଷ୍ଟେସନର ପିସିଆରକୁ ଗୋଟିଏ କଲ ଯାଇଥିଲା। ଜଣେ ସ୍କୁଲ ପିଲାକୁ ୨ ଜଣ ହତ୍ୟା କରିଥିବା ଏହି ଫୋନ କଲରେ ପୁଲିସ୍‌କୁ ସୂଚନା ମିଳିଥିଲା। ଖବର ପାଇ ପୁଲିସ୍‌ ଖାତୁଶ୍ୟାମ ପାର୍କ ଓ ତାଜପୁର ରୋଡ ଗାଁ ମଧ୍ୟରେ ଥିବା ଗୋଟିଏ ସ୍ଥାନରେ ପହଞ୍ଚିଥିଲା। ସେଠାରେ ଥିବା ଗୋଟିଏ ଡ୍ରେନରେ ସ୍କୁଲ ୟୁନିଫର୍ମରେ ଥିବା ପିଲାଟିର ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲା।

Advertisment

ଘଟଣା ସ୍ଥଳରୁ ମିଳିଥିବା ସ୍କୁଲ ବ୍ୟାଗରେ କିଛି ବହି ଓ ଅନ୍ୟାନ୍ୟ ପାଠପଢ଼ା ଜିନିଷ ରହିଥିଲା। ବ୍ୟାଗ ପଡ଼ିଥିବା ସ୍ଥାନରୁ ପ୍ରାୟ ୬ ଗଜ ଦୂରରେ ରକ୍ତ ଚିହ୍ନ ଲାଗିଥିବା ୪ରୁ ୫ଟି ଇଟା ଓ ରକ୍ତ ଲଗା କଟନ ଟାୱେଲ ମଧ୍ୟ ମିଳିଥିଲା ବୋଲି ଡେପୁଟି କମିଶନର ଅଫ ପୁଲିସ୍‌(ଦକ୍ଷିଣ ପୂର୍ବ) ରାଜେଶ ଦେଓ କହିଛନ୍ତି। ପୁଲିସ୍‌ ଉକ୍ତ ଅଞ୍ଚଳର ଫଟୋ ଉଠାଇଥିଲା ଓ ଘଟଣାସ୍ଥଳକୁ ମିଳିଥିବା ଜିନିଷଗୁଡ଼ିକୁ ଜବତ କରିଥିଲା।

ମୃତଦେହକୁ ଯାଞ୍ଚ କରିବା ସମୟରେ ମୁଣ୍ଡରେ ଏକାଧିକ ଆଘାତ ରହିଥିବା ଜଣାପଡ଼ିଥିଲା। ଘଟଣାସ୍ଥଳରୁ ମିଳିଥିବା ଇଟା ଦ୍ୱାରା ହିଁ ପିଲାଟିକୁ ପିଟିପିଟି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଥିବା ସେ କହିଛନ୍ତି।

ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏମ୍ସକୁ ପଠାଇଛି ଓ ଘଟଣା ପଛରେ ଥିବା ଲୋକଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଦୁଇ ଜଣ ଲୋକ ପୂରା ଘଟଣା ଘଟାଇଛନ୍ତି। ହେଲେ ସେମାନଙ୍କ ସମ୍ପର୍କରେ ପୁଲିସ କିଛି ବି ସୂଚନା ଦେଇନି।

Delhi Students Beaten To Death