Advertisment

ବାଦଲ ଫଟା ବର୍ଷା ପରେ ଧସିଲା ପାହାଡ଼: ଭାସିଗଲେ ଲୋକେ, ମାଟିଲେ ମିଶିଲା ଘର ଓ ହୋଟେଲ୍‌

ଅଚାନକ ବନ୍ୟାରେ ଭୁଶୁଡ଼ି ପଡ଼ିଛି ଶହଶହ ଘର। ଭାସି ଯାଇଛନ୍ତି ଶତାଧିକ ଲୋକ।

author-image
Hemant Lenka
Rain

Rain

ପ୍ରକୃତିର ତାଣ୍ଡବ। ଛାରଖାର ହୋଇଛି ଉତ୍ତରକାଶୀ। ଧରାଶାୟୀ ହୋଇଛି ଧରାଲି ଗାଁ। ଭୁଶୁଡ଼ି ଯାଇଛି ହୋଟେଲେ ଓ ପୋତି ହୋଇଯାଇଛି ମାର୍କେଟ। ବାଦଲ ଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ ସୃଷ୍ଟି କରିଛି ସାଂଘାତିକ ସ୍ଥିତି। ପାହାଡ଼ ଧସିବାରୁ ଜନବସତିକୁ ମାଡ଼ି ଯାଇଛି ମାଟି ମିଶା ପାଣି। ଅଚାନକ ବନ୍ୟାରେ ଭୁଶୁଡ଼ି ପଡ଼ିଛି ଶହଶହ ଘର। ଭାସି ଯାଇଛନ୍ତି ଶତାଧିକ ଲୋକ। ପ୍ରକୃତି ରଚିଛି ଧ୍ୱଂସଲୀଳା। ଏଥିରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ମାଟି ତଳୁ ଖୋଜା ଚାଲିଛି ଜୀବନ। 

Advertisment

ଉତ୍ତରାଖଣ୍ଡର ହର୍ସିଲ ଠାରୁ ୪ କିମି ଦୂର ଧରାଲି ଗାଁରେ ପ୍ରକୃତିର ଭୟଙ୍କର ତାଣ୍ଡବ ପୂରା ଦେଶକୁ ସ୍ତବ୍ଧ କରି ଦେଇଛି। ସେଠାରୁ ଆସୁଥିବା ଗୋଟିଏ ପରେ ଗୋଟିଏ ଭିଡିଓକୁ ସମସ୍ତଙ୍କୁ ବିଚଳିତ କରିଛି। ଆଜି ଅପରାହ୍ନ ୧.୪୫ରେ ଭୂସ୍ଖଳ ହେବା ପରେ ମାଟି ମିଶା ପାଣି ଜନବସତି ଆଡ଼କୁ ଘୁଘୁ କରି ମାଡ଼ି ଆସିଥିଲା। ଭୂସ୍ଖଳନ ଯୋଗୁ ପବିତ୍ର ଗଙ୍ଗୋତ୍ରୀ ଧାମ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ଏହି ବିପର୍ଯ୍ୟୟରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ ଠାରୁ ସେନା ଯବାନମାନେ ଲାଗି ପଡ଼ିଛନ୍ତି। ପ୍ରଭାବିତ ଅଞ୍ଚଳଟି ମୁଖବା ଓ ଗଙ୍ଗୋତ୍ରୀ ଧାମର ଅତ୍ୟନ୍ତ ନିକଟବର୍ତ୍ତୀ। ପାହାଡ଼ର ଧ୍ୱଂସାବଶେଷ ସହ ପାଣି କେମିତି ଭୟଙ୍କର ଢଙ୍ଗରେ ତଳିଆ ଅଞ୍ଚଳକୁ ଆସୁଛି ଓ ଶତାଧିକ ଘର, ହୋଟେଲ, ହୋମ ଷ୍ଟେ ଓ ରେଷ୍ଟୁରାଣ୍ଟକୁ ଭସାଇ ନେଉଛି, ତା’ର ଭିଡିଓ ସାମ୍ନାକୁ ଆସିଛି।

Advertisment

ଉକ୍ତ ଅଞ୍ଚଳରେ ଥିବା ଏକାଧିକ ହୋଟେଲ ଠାରୁ ଆରମ୍ଭ କରି ସବୁ କିଛି ଧ୍ୱଂସ ହୋଇଯାଇଛି। ପୂର୍ବରୁ ମୁଁ ଏମିତି ଭୟଙ୍କର ବିପର୍ଯ୍ୟୟ କେବେ ଦେଖି ନଥିଲି ବୋଲି ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି।

ହର୍ସିଲର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ନିକଟରେ ଧରାଲି ରହିଛି। ଘଟଣା ବେଳେ ଏଠାରେ ଶତାଧିକ ପର୍ଯ୍ୟଟକ ରହିଥିଲେ। ଅଚାନକ ବନ୍ୟା ଯୋଗୁ ସେମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ହୋଟେଲ ଓ ଘରଦ୍ୱାର ଭୁଶୁଡ଼ି ପଡ଼ିବାରୁ ଏହା ତଳେ ଲୋକମାନେ ଫସି ରହିଥିବା ଆଶଙ୍କା କରାଯାଉଛି। ସେହିପରି କିଛି ଲୋକ ମଧ୍ୟ ବନ୍ୟାର ସ୍ରୋତରେ ଭାସି ଯାଇଛନ୍ତି। ପ୍ରକୃତିର ତାଣ୍ଡବରୁ ହୋଟେଲ ଠାରୁ ଆରମ୍ଭ କରି ହୋମ ଷ୍ଟେ ଭଳି ବଡ଼ବଡ଼ କୋଠା ମଧ୍ୟ ବର୍ତ୍ତି ନାହାନ୍ତି। ୨୦ରୁ ୨୫ଟି ହୋଟେଲ ଏବଂ ହୋମ ଷ୍ଟେ ପାଣିର ସ୍ରୋତରେ ଭାସି ଯାଇଛି। କ୍ଷୀର ଗଙ୍ଗା ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଧରାଲି ମାର୍କେଟ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି।

ହର୍ସିଲ ଅଞ୍ଚଳରେ ସୀମା ଲଙ୍ଘିଥିବା କ୍ଷୀର ଗଙ୍ଗା ବିପର୍ଯ୍ୟୟକୁ ଆହୁରି ସାଂଘାତିକ କରିଛି। ଏଥିଯୋଗୁ ଉତ୍ତରକାଶୀ ପୁଲିସ୍‌, ଏସଡିଆରଏଫ, ଆର୍ମି ଓ ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ଭୂସ୍ଖଳନ ସ୍ଥଳର ଅତି ନିକଟରେ ଭାରତୀୟ ସ୍ଥଳ ସେନାର କ୍ୟାମ୍ପ ରହିଥିଲା। ତେଣୁ ଯବାନମାନେ ବିପର୍ଯ୍ୟୟର ଉଦ୍ଧାରରେ ପ୍ରଥମେ ସାମିଲ ହୋଇ ସେଠାରେ ଫସିଥିବା ୧୫ ଜଣ ଲୋକଙ୍କୁ ଉଦ୍ଧାର କରିଛନ୍ତି।

ଜିଲ୍ଲା ପ୍ରଶାସନର କହିବା କଥା ଯେ ବନ୍ଦ ହୋଇ ଯାଇଥିବା ରାସ୍ତା ଓ ଅବିଶ୍ରାନ୍ତ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହେଉଛି। ତଥାପି ନିଖୋଜଙ୍କୁ ଠାବ କରିବା ଓ ପ୍ରଭାବିତଙ୍କୁ ସହାୟତା ଯୋଗାଇ ଦେବାକୁ ସବୁ ପ୍ରକାରର ଚେଷ୍ଟା କରାଯାଉଛି। ଚାରି ଧାମ ମଧ୍ୟରୁ ଗୋଟିଏ ହେଉଛି ଗଙ୍ଗୋତ୍ରୀ ଧାମ। ପ୍ରାକୃତି ବିପର୍ଯ୍ୟୟ ପରେ ଗଙ୍ଗୋତ୍ରୀ ଧାମ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ଇଣ୍ଡୋ-ତିବ୍ବତ ବର୍ଡର ପୁଲିସ୍‌ର ୧୬ ଜଣିଆ ଟିମ ଧରାଲିରେ ପହଞ୍ଚିଛନ୍ତି। ଘଟଣାରେ ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ କଥା ହୋଇ ସବୁ ପ୍ରକାରର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଧରାଲି ବିପର୍ଯ୍ୟୟର ପ୍ରାୟ ୩ ଘଣ୍ଟା ପରେ ଏଠାରୁ ୧୬ କିମି ଦୂର ସୁକ୍କିରେ ମଧ୍ୟ ସମାନ ସ୍ଥିତି ଦେଖାଯାଇଛି। ବାଦଲ ଫଟା ବର୍ଷା ସାଙ୍ଗକୁ ପାହାଡ଼ ମଧ୍ୟ ଏଠାରେ ଧସିଛି। ମାଟି ମିଶା ପାଣି ପାହାଡ଼ରୁ ତଳକୁ ଦ୍ରୁତଗତିରେ ଘଞ୍ଚ ଜଙ୍ଗଲକୁ କାଟି ଆଗକୁ ମାଡ଼ି ଆସୁଥିବା ଭିଡିଓ ସମସ୍ତଙ୍କୁ ଚକିତ କରିଛି। ତେବେ ଏଥିରେ କେହି ମୃତାହତ ହେବାର ସୂଚନା ମିଳିଛି।

Uttarakhand Land Slide Flash Flood