Cloudbrust
ପ୍ରକୃତିରେ ତାଣ୍ଡବରେ ପୁଣି ବେହାଲ ହୋଇଛି ଉତ୍ତରାଖଣ୍ଡର ଚମୋଲି ଓ ରୁଦ୍ରପ୍ରୟାଗ ଜିଲ୍ଲା। ଏଠାରେ ବାଦଲ ଫଟା ବର୍ଷା ଯୋଗୁ ପାହାଡ଼ରୁ ମାଡ଼ି ଆସିଛି କାଦୁଅ ମିଶା ବନ୍ୟା। ଏଥିରେ ଅନେକ ଲୋକ ନିଖୋଜ ହୋଇଯାଇଥିବା ବେଳେ ଘରଦ୍ୱାର ମାଟିରେ ମିଶି ଯାଇଛି। ସେହିପରି କାଦୁଅ ତଳୁ କିଛି ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଦେୱାଲର ମୋପାଟା ଅଞ୍ଚଳରେ ୨ ଜଣ ନିଖୋଜ ହୋଇ ଯାଇଥିବା ବେଳେ ବିକ୍ରମ ସିଂହ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ପତ୍ନୀ ଆହତ ହୋଇଛନ୍ତି। ସେମାନଙ୍କ ଗୋଶାଳା ଭୁଶୁଡ଼ି ପଡ଼ିବାରୁ ମାଟି ତଳେ ୧୫ରୁ ୨୦ ପଶୁ ଫସି ଯାଇଛନ୍ତି।
ବାଦଲ ଫଟା ବର୍ଷାର ପ୍ରଭାବ ବିଭିନ୍ନ ଅଞ୍ଚଳରେ ପଡ଼ିଛି। ରୁଦ୍ରପ୍ରୟାଗର ଜିଲ୍ଲାରେ ୬ ଜଣ ଲୋକ ନିଖୋଜ ହୋଇ ଯାଇଛନ୍ତି। ଅଳକାନନ୍ଦା ଓ ମନ୍ଦାକିନୀ ନଦୀର ଜଳ ନିୟମିତ ଭାବେ ବଢ଼ି ଚାଲିଛି। କେଦାରନାଥର ଲାୱାରା ଗାଁରେ ବନ୍ୟା ଜଳର ପ୍ରଖର ସ୍ରୋତରେ ଗୋଟିଏ ବ୍ରିଜ ଭାସି ଯାଇଛି। ଚେନାଗଡ଼ରେ ମଧ୍ୟ ସ୍ଥିତି ବେକାବୁ ରହିଛି।
ଶୁକ୍ରବାର ସକାଳ ସୁଦ୍ଧା ରୁଦ୍ରପ୍ରୟାଗ ଠାରେ ଅଳକାନନ୍ଦା ବିପଦ ସଙ୍କେତ ପାର କରିବାରୁ ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି। ଆବାସିକ ଅଞ୍ଚଳଗୁଡ଼ିକରେ ପାଣି ପଶୁ ଥିବାରୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ରୁଦ୍ରପ୍ରୟାଗର ପ୍ରସିଦ୍ଧ ହନୁମାନ ମନ୍ଦିର ଏବେ ସଂପୂର୍ଣ୍ଣ ପାଣିରେ ବୁଡ଼ି ଯାଇଛି।
ଦୁଇ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଆବଶ୍ୟକ ସହଯୋଗ କରାଯାଉଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଏନଡିଆରଏଫ, ଏସଡିଆରଏଫ ଓ ରେଭିନ୍ୟୁ ଅଧିକାରୀମାନେ ସାମିଲ ହୋଇଛନ୍ତି।
ରୁଦ୍ରପ୍ରୟାଗ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରତୀକ ଜୈନ କହିଛନ୍ତି ଯେ ବାସୁକେଦାର ଠାରେ ପ୍ରବଳ ବର୍ଷା ଯୋଗୁ ୪ଟି ଘର ଭାସି ଯାଇଛି। ତେବେ ଏଠାରେ କେହି ବି ନିଖୋଜ ହୋଇ ନାହାନ୍ତି। ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ କରାଯାଉଥିବା ସେ ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1756457245.jpg)