/odisha-reporter/media/post_attachments/uploadimage/library/16_9/16_9_0/UP_1681736681.jpg)
UP
ଉତ୍ତର ପ୍ରଦେଶରେ ପୁଣି ଚାଲିଛି ଗୁଳି। ସ୍ପଷ୍ଟ ଦିବାଲୋକରେ ୨ ଜଣ ବାଇକଧାରୀ ଯୁବକ ଗୁଳି କରି ଜଣେ କଲେଜ ଛାତ୍ରୀଙ୍କୁ ହତ୍ୟା କରିଛନ୍ତି। ଛାତ୍ରୀ ଜଣଙ୍କ ପରୀକ୍ଷା ଦେଇ ଘରକୁ ଫେରୁଥିବା ବେଳେ ଏପରି ଘଟଣା ଘଟିଝଛି। ଉତ୍ତର ପ୍ରଦେଶର ଜାଲାଉନ ଜିଲ୍ଲାରେ ଆଜି ଏପରି ଘଟଣା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିର ଅସଲ ଚେହେରାକୁ ପଦାରେ ପକାଇ ଦେଇଛି।
ଗୁଳି ମାରିବା ପରେ ଦୁଇ ଯୁବକ ଘଟଣାସ୍ଥଳରେ ସେମାନଙ୍କ ବନ୍ଧୁକ ଛାଡ଼ି ଦେଇଥିଲେ। ସେହିପରି ସ୍ଥାନୀୟ ପୁଲିସ୍ ଷ୍ଟେସନ ଠାରୁ ମାତ୍ର ୨୦୦ ମିଟର ଦୂରରେ ଏହି ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଗୁଳି ମାଡ଼ରେ ପ୍ରାଣ ହରାଇଥିବା ଛାତ୍ରୀ ଜଣଙ୍କ ହେଲେ ୨୧ ବର୍ଷୀୟ ରୋଶଣି ଅହିରୱାର। ସେ +୩ର ଛାତ୍ର। ଆଜି ସେ ଆଇତରେ ଥିବା ରାମ ଲକ୍ଷ୍ମଣ ପଟେଲ ମହାବିଦ୍ୟାଳୟରେ ପରୀକ୍ଷା ଦେଇ ଘରକୁ ଫେରୁଥିଲେ। ସମୟ ପ୍ରାୟ ଦିନ ୧୧ଟାରେ ସେ ଘରକୁ ଫେରୁଥିବା ବେଳେ ୨ ଜଣ ଯୁବକ ପଲସର ଗାଡ଼ି ଧରି ତାଙ୍କ ପାଖରେ ପହଞ୍ଚିଥିଲେ।
ସେମାନଙ୍କ ହାତରେ ଗୋଟିଏ ଦେଶୀ ବନ୍ଧୁକ ରହିଥିଲା। ଗାଡ଼ିଟି ରୋଶଣିଙ୍କ ପାଖରେ ପହଞ୍ଚିବା କ୍ଷଣି ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଦେଶୀ ବନ୍ଧୁକରୁ ଗୁଳି ଚଳାଇଥିଲେ। ଏହା ସିଧା ଯାଇ ରୋଶଣିଙ୍କ ମୁଣ୍ଡରେ ବାଜିଥିଲା ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ବିଚ୍ ରାସ୍ତାରେ ଏପରି ଘଟଣା ଘଟିଥିବା ବେଳେ ସ୍ଥାନୀୟ ଲୋକମାନେ ଗୁଳି ମାଡ଼ କରିଥିବା ଦୁଇ ଯୁବକଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।
ରୋଶଣିଙ୍କ ପରିବାର ଲୋକ ସ୍ଥାନୀୟ ଥାନାରେ ରାଜ ଅହିରୱାର ନାମକ ଜଣେ ଯୁବକଙ୍କ ନାଁରେ ଅଭିଯୋଗ କରିଛନ୍ତି। ପୁଲିସ୍ ଏହି ଅଭିଯୋଗ ଆଧାରରେ ରାଜକୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି।
ଗୁଳିମାଡ଼ ଯୋଗୁ ରୋଶଣି ରାସ୍ତା ଉପରେ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିଲେ। ତାଙ୍କୁ ପୁଲିସ ଓ ସ୍ଥାନୀୟ ଲୋକ ଘେରି ରହିଥିବା ବେଳର ଭିଡିଓ ସାମ୍ନାକୁ ଆସିଛି। ଛାତ୍ରୀ ଜଣଙ୍କ କଲେଜ ୟୁନିଫର୍ମ ପିନ୍ଧିଥିବା ବେଳେ ବନ୍ଧୁକ ପାଖରେ ପଡ଼ିଥିବା ଦେଖିବାକୁ ମିଳିଛି।
ସୋଶାଲ ମିଡିଆରେ ଭିଡିଓ ଭାଇରାଲ ହେବାରୁ ଉତ୍ତର ପ୍ରଦେଶର କ୍ଷମତାସୀନ ଯୋଗୀ ଆଦିତ୍ୟନାଥଙ୍କ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଉଛି। ଅନେକ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ମଧ୍ୟ ଉଠାଇବା ଆରମ୍ଭ କରିଛନ୍ତି।
ଏହାପୂର୍ବରୁ ଶନିବାର ୩ ଜଣ ଯୁବକ କ୍ୟାମେରା ସାମ୍ନାରେ ଓ ପୁଲିସ୍ ଉପସ୍ଥିତିରେ ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣା ପୂରା ଦେଶରେ ହଇଚଇ ସୃଷ୍ଟି କରିଛି।
ଏବେ ପୁଣି ଗୁଳି ମାରି ହତ୍ୟା ଘଟଣା ରାଜ୍ୟ ସରକାରଙ୍କ ଅଡ଼ୁଆ ବଢ଼ାଇଛି। ଆରଜେଡି ପକ୍ଷରୁ ରୋଶଣି ତଳେ ରକ୍ତାକ ଅବସ୍ଥାରେ ପଡ଼ି ରହିଥିବା ଭିଡିଓକୁ ଟ୍ୱିଟ କରାଯାଇଛି। ଏଥିସହ ୟୁପି ସରକାରଙ୍କୁ ଦଳ ଟାର୍ଗେଟ କରିଛି।
ଜାଲାଉନ ଏସ୍ପି ଡ. ଇରାଜ ରାଜା କହିଛନ୍ତି, ଛାତ୍ରୀ ଜଣଙ୍କ ବିଏସ୍ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ସେ କଲେଜରୁ ଘରକୁ ଫେରୁଥିବା ବେଳେ ଘଟଣା ଘଟିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଛି। ସେମାନେ ଖୁବଶୀଘ୍ର ଧରାପଡ଼ିବେ। ଅନେକ ପ୍ରମାଣ ମିଳିଛି ଓ ତଦନ୍ତ କରାଯାଉଥିବା ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
