Advertisment

ସୁପ୍ରିମକୋର୍ଟ ପାଇଁ ୩ ଜଣ ଓ ହାଇକୋର୍ଟ ପାଇଁ ୫ ଜଣ ବିଚାରପତିଙ୍କୁ ବାଛିଲେ କଲେଜିୟମ

ସୁପ୍ରିମକୋର୍ଟରେ ସର୍ବାଧିକ ୩୪ ଜଣ ବିଚାରପତି ରହିବାର ପ୍ରାବଧାନ ରହିଛି। ଏବେ ସର୍ବୋଚ୍ଚ ଅଦାଲତରେ ୩୧ ଜଣ ବିଚାରପତି ଥିବା ବେଳେ କଲେଜିୟମ ଆଉ ୩ ଜଣଙ୍କ ନାଁ ଉପରେ ମୋହର ମାରିଛନ୍ତି।

SC

SC

Advertisment

ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗବାଇଙ୍କ ନେତୃତ୍ୱାଧୀନ ସୁପ୍ରିମକୋର୍ଟ କଲେଜିୟମ ହାଇକୋର୍ଟର ୩ ଜଣ ବିଚାରପତିଙ୍କୁ ସର୍ବୋଚ୍ଚ ଅଦାଲତକୁ ଓ ଅନ୍ୟ ୫ ଜଣଙ୍କୁ ବିଭିନ୍ନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବାକୁ ସୁପାରିଶ କରିଛନ୍ତି। ସୋମବାର ବିଚାରପତି ନିଯୁକ୍ତି ପାଇଁ ୫ ଜଣ ସଦସ୍ୟ ବିଶିଷ୍ଟ କଲେଜିୟମ ପକ୍ଷରୁ ଘନଘନ ବୈଠକ ହୋଇଥିଲା।

Advertisment

ଏହାପରେ କର୍ଣ୍ଣାଟକା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏନଭି ଅଞ୍ଜାରିଆ, ଗୁହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିଜୟ ବିଷ୍ଣୋଇ ଓ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ ଏଏସ୍‌ ଚନ୍ଦୁରକରଙ୍କୁ ସୁପ୍ରିମକୋର୍ଟକୁ ପଦୋନ୍ନତି ଦେବାକୁ କହିଛନ୍ତି। ସୁପ୍ରିମକୋର୍ଟରେ ସର୍ବାଧିକ ୩୪ ଜଣ ବିଚାରପତି ରହିବାର ପ୍ରାବଧାନ ରହିଛି। ଏବେ ସର୍ବୋଚ୍ଚ ଅଦାଲତରେ ୩୧ ଜଣ ବିଚାରପତି ଥିବା ବେଳେ କଲେଜିୟମ ଆଉ ୩ ଜଣଙ୍କ ନାଁ ଉପରେ ମୋହର ମାରିଛନ୍ତି।

ଜଷ୍ଟିସ ଅଞ୍ଜାରିଆ ୨୦୧୧ ନଭେମ୍ବର ୨୧ରୁ ଗୁଜରାଟ ହାଇକୋର୍ଟରୁ ତାଙ୍କ ବିଚାରପତି କ୍ୟାରିୟର ଆରମ୍ଭ କରିଥିଲେ। ୨୦୨୪ ମସିହା ଫେବୃଆରୀ ୨୫ରେ ସେ କର୍ଣ୍ଣାଟକା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଥିଲେ।

Advertisment

ଜଷ୍ଟିସ ବିଷ୍ଣୋଇ ୨୦୧୩ ମସିହା ଜାନୁଆରୀ ୮ରେ ପ୍ରଥମଥର ପାଇଁ ରାଜସ୍ଥାନ ହାଇକୋର୍ଟର ବିଚାରପତି ହୋଇଥିଲେ। ୨୦୨୪ ଫେବୃଆରୀ ୫ରେ ଗୁହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ପଦ ଅଳଙ୍କୃତ କରିଥିଲେ।

ଜଷ୍ଟିସ ଚନ୍ଦୁରକର ୧୯୯୨ରୁ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ କାମ ଆରମ୍ଭ କରିଥିଲେ। ୨୦୧୩ ଜୁନ ୨୧ରେ ତାଙ୍କୁ ବିଚାରପତି ଭାବେ ପଦୋନ୍ନତି ମିଳିଥିଲା।

୫ ହାଇକୋର୍ଟ ମୁଖ୍ୟ ବିଚାରପତି

ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ୫ ହାଇକୋର୍ଟର ମୁଖ୍ୟ ବିଚାରପତି ପଦ ପାଇଁ ୫ ଜଣଙ୍କ ନାଁ ଉପରେ ମୋହର ଲଗାଯାଇଛି। ମଧ୍ୟପ୍ରଦେଶ, କର୍ଣ୍ଣାଟକା, ଗୁହାଟୀ, ପାଟନା ଓ ଝାରଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କେଉଁମାନେ କାମ କରିବେ, ତା’ର ନିଷ୍ପତ୍ତି କଲେଜିୟମ ନେଇଛନ୍ତି।

ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୀବ ସଚ୍ଚଦେବାଙ୍କୁ ସେଠାରେ ମୁଖ୍ୟ ବିଚାରପତି କରିବାକୁ କଲେଜିୟମ ପ୍ରସ୍ତାବ ଦେଇଛନ୍ତି। ସେହିପରି ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ବିଭୁ ବାଖରୁଙ୍କୁ କର୍ଣ୍ଣାଟକା ହାଇକୋର୍ଟର ମୁଖ୍ୟ ବିଚାରପତି, ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ଆଶୁତୋଷ କୁମାରଙ୍କୁ ଗୁହାଟୀର ମୁଖ୍ୟ ବିଚାରପତି ଓ ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ବିପୂଲ ମନୁଭାଇ ପାଞ୍ଚୋଲିଙ୍କୁ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ଦେବାକୁ କଲେଜିୟମ ସୁପାରିଶ କରିଛନ୍ତି। ଏହାବାଦ ହିମାଚଳ ପ୍ରଦେଶ ହାଇକୋର୍ଟର ବିଚାରପତି ଭାବେ କାମ କରୁଥିବା ଜଷ୍ଟିସ ତାରଲୋକ ସିଂହ ଚୌହାନଙ୍କୁ ଝାରଖଣ୍ଡର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଦେବାକୁ କଲେଜିୟମ କହିଛନ୍ତି।

ସୁପ୍ରିମକୋର୍ଟ କଲେଜିୟମରେ ସିଜେଆଇ ଜଷ୍ଟିସ ଗବାଇଙ୍କ ବ୍ୟତୀତ ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ଜେକେ ମାହେଶ୍ୱରୀ ଓ ଜଷ୍ଟିସ ବିଭି ନାଗରତ୍ନା ରହିଛନ୍ତି। ବରିଷ୍ଠତା ଆଧାରରେ କଲେଜିୟମ ଗଠନ କରାଯାଇଛି।

Supreme Court Supreme Court Collegium
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe