ପାର୍ଥ ସାରଥି (ଫାଇଲ ଫଟୋ)
ଓଡ଼ିଶାରେ ଜନ୍ମ ହୋଇ ଦିଲ୍ଲୀ(Delhi)ରେ ଆଶ୍ରମ ଚଳାଉଥିବା ଭଣ୍ଡ ବାବା ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥ ସାରଥିଙ୍କ ଯୌନ କଳେଙ୍କାରୀର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳରେ ଥିବା ଗୋଟିଏ ଘରୋଇ ମ୍ୟାନେଜମେଣ୍ଟ ସଂସ୍ଥାର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ ପାର୍ଥ ସାରଥି।
ଏହି ସମୟରେ ନିଜ ଶିକ୍ଷାନୁଷ୍ଠାନର ଛାତ୍ରୀମାନଙ୍କ ସହ ସେ କେଉଁ ଭଳି ଆଚରଣ କରୁଥିଲେ, ତା’ର ମୁଖା ଖୋଲି ଯାଇଛି। ମୋ ରୁମକୁ ଆସ, ମୁଁ ତୁମକୁ ବିଦେଶ ବୁଲାଇ ନେବି। ଏଥିପାଇଁ ତୁମକୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଏଭଳି ଅଭଦ୍ର ମେସେଜ ପଠାଇ ଛାତ୍ରୀମାନଙ୍କୁ ନିଜ ପାଖକୁ ଡାକୁଥିଲେ ଭଣ୍ଡ ବାବା।
ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆନ ମ୍ୟାନେଜମେଣ୍ଟର ୫୦ ଜଣ ଯୁବତୀଙ୍କ ହ୍ୱାଟସଆପ୍ରୁ ଏପରି ମେସେଜ ମିଳିଛି। ଦୀର୍ଘ ବର୍ଷ ହେଲା ଏଠାକାର ଯୁବତୀମାନେ କେମିତି ଯୌନ ନିର୍ଯାତନାର ଶିକାର ହେଉଥିଲେ, ତା’ର କିଛି ତଥ୍ୟ ପୁଲିସ୍ ହାତରେ ଲାଗିଛି। ବାବା ପାର୍ଥ ସାରଥି ଅଶାଳୀନ ମେସେଜ ଓ ବଳପୂର୍ବକ ଶାରିରୀକ ସମ୍ପର୍କ ରଖିବାକୁ ଯୁବତୀମାନଙ୍କୁ ବାଧ୍ୟ କରୁଥିଲେ।
ଧନ ସମ୍ପତ୍ତିର କଥା କହି ପାର୍ଥ ସାରଥି ଜଣେ ମହିଳାଙ୍କୁ ପ୍ରଲୋଭିତ କରିବାର ମେସେଜ ସାମ୍ନାକୁ ଆସିଛି। ଆଉ ଏକ ମେସେଜରେ ସେ ଜଣେ ଛାତ୍ରୀଙ୍କୁ ତାଙ୍କ କଥାରେ ନ ଚାଲିଲେ, ପରୀକ୍ଷାରେ ଫେଲ କରିବାର ଧମକ ଦେଇଥିଲେ।
ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତ ଓ ମିଳିଥିବା ମେସେଜରୁ ପୁଲିସ୍ ଜାଣିବାକୁ ପାଇଛି ଯେ ଓଡ଼ିଶାରେ ଜନ୍ମ ହୋଇଥିବା ପାର୍ଥ ସାରଥି ଦୀର୍ଘ ବର୍ଷ ହେଲା ଏପରି ଯୌନ କଳେଙ୍କାରୀରେ ମାତିଥିଲେ। ଏପରି କି ୨୦୦୯ ଓ ୨୦୧୬ରେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଅସଦାଚରଣ ଅଭିଯୋଗରୁ ମଧ୍ୟ ସେ ବେଶ କୌଶଳକ୍ରମେ ଖସିଯିବାକୁ ସକ୍ଷମ ହୋଇଥିଲେ।
୨୦୧୬ରେ ଖୋଦ ବସନ୍ତ କୁଞ୍ଜ ଆଶ୍ରମର ଜଣେ ଯୁବତୀ ବାବା ପାର୍ଥ ସାରଥିଙ୍କ ବିରୋଧରେ ଅଭିଯୋଗ କରିଥିଲେ। ତଥାପି ପୁଲିସ୍ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ଆତ୍ମଘୋଷିତ ବାବା ପାର୍ଥ ସାରଥି ହ୍ୱାଟସଆପ ଫୋନ କଲ କିମ୍ବା ମେସେଜ ଦ୍ୱାରା ଯୁବତୀମାନଙ୍କୁ ଯୋଗାଯୋଗ କରୁଥିଲେ।
ପ୍ରଥମ ମସେଜେରେ କୌଣସି ଧମକପୂର୍ଣ୍ଣ କଥା ନଥାଏ। କିନ୍ତୁ ଯଦି ସେ ଚାହୁଁଥିବା ଢଙ୍ଗରେ ଯୁବତୀମାନେ ଜବାବ ନ ଦିଅନ୍ତି, ତା’ହେଲେ ବାବା ଜଣଙ୍କ ସେମାନଙ୍କୁ ପରୀକ୍ଷାରେ ଫେଲ କରିବାର ଧମକ ଦେଇ ବ୍ଲାକମେଲ କରନ୍ତି। ଆର୍ଥିକ ଦୁର୍ବଳ ବର୍ଗର ଛାତ୍ରୀ ବା ଯୁବତୀମାନଙ୍କୁ ହିଁ ବାବା ଟାର୍ଗେଟ କରୁଥିଲେ। କାରଣ ସେମାନେ ଏସବୁ ବିଷୟରେ ମୁହଁ ଖୋଲିବାକୁ ସକ୍ଷମ ହେବେ ନାହିଁ ବୋଲି ବାବାଙ୍କୁ ବେଶ ଭଲ ଭାବେ ଜଣାଥିଲା। ତେଣୁ ସେହି ବର୍ଗର ଯୁବତୀଙ୍କୁ ବାବା ନିଜର ଯୌନ ଭୋକ ମେଣ୍ଟାଇବାକୁ ଚିହ୍ନଟ କରୁଥିଲେ।
ବାବାଙ୍କ ଏପରି କାଣ୍ଡ କାରନାମାରେ ତାଙ୍କୁ ସମ୍ଭବତଃ ସହାୟତା କରୁଥିଲେ ୩ ଜଣ ମହିଳା ୱାର୍ଡେନ। ସେମାନେ ମଧ୍ୟ ହ୍ୱାଟସଆପରେ ଯୁବତୀମାନଙ୍କୁ ମେସେଜ ଓ କଲ କରି ବାବାଙ୍କ ପ୍ରତି ଆକୃଷ୍ଟ କରିବାକୁ ଉଦ୍ୟମ କରୁଥିଲେ। ପୁଲିସ୍ ୩ ୱାର୍ଡେନଙ୍କ ବୟାନକୁ ରେକର୍ଡ କରିଛି।
ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ କେଉଁଠି?
୧୭ ଜଣ ଯୁବତୀ ଦିଲ୍ଲୀର ଡିଫେନ୍ସ କୋଲନୀ ପୁଲିସ୍ ଷ୍ଟେସନରେ ଚଳିତ ବର୍ଷ ଅଗଷ୍ଟରେ ବାବାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହି ସମୟରେ ବାବା ଲଣ୍ଡନରେ ଥିଲା। ଶେଷଥର ପାଇଁ ତାଙ୍କୁ ଆଗ୍ରାରେ ଦେଖିବାକୁ ମିଳିଥିବା ପୁଲିସ୍ କହିଛି। ୨୦୦୯ରେ ରୁଜୁ ହୋଇଥିବା ଠକେଇ ଓ ଅସଦାଚରଣ ମାମଲାରେ ପୁଲିସ୍ ତାଙ୍କୁ ଗିରଫ କରିଥିଲା। ହେଲେ ୨୦୧୬ ମାମଲାରେ କୌଣସି ଗିରଫଦାରୀ ହୋଇ ନଥିଲା।
ଗୋଟିଏ କମଳା ରଙ୍ଗର ଭୋଲଭୋ ସେଡାନକୁ ପୁଲିସ୍ ବାବାଙ୍କ ଆଶ୍ରମରୁ ଜବତ କରିଛି। ଏଥିରେ ମିଳିତ ଜାତିସଂଘର ନକଲି କୂଟନୀତିକ ନମ୍ବର ରହିଛି। ସେହିପରି ଏକାଧିକ ନମ୍ବର ପ୍ଲେଟ ମଧ୍ୟ ତାଙ୍କୁ ଆଶ୍ରମରୁ ପୁଲିସ୍ ଜବତ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/09/24/baba1-2025-09-24-16-31-44.jpg)