Advertisment

ସମଲିଙ୍ଗୀଙ୍କ ପାଇଁ କମିଟି ଗଠନ କରିବେ କେନ୍ଦ୍ର ସରକାର

ସମଲିଙ୍ଗୀ ଦମ୍ପତିଙ୍କ ଚିନ୍ତା ଦୂର କରିବା ପାଇଁ ଉକ୍ତ କମିଟି ଆବଶ୍ୟକ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି।

author-image
Hemant Lenka
same-sex couples

same-sex couples

ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ବିରୋଧରେ ଥିବା କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ସମଲିଙ୍ଗୀ ଦମ୍ପତିଙ୍କୁ ଆଇନଗତ ମାନ୍ୟତା ନ ଦେଇ ମଧ୍ୟ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ କେନ୍ଦ୍ର ସରକାର ଗୋଟିଏ କମିଟି ଗଠନ କରିବେ। ଏହି କମିଟି କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ହେବ।

Advertisment

ସମଲିଙ୍ଗୀ ଦମ୍ପତିଙ୍କ ଚିନ୍ତା ଦୂର କରିବା ପାଇଁ ଉକ୍ତ କମିଟି ଆବଶ୍ୟକ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠଙ୍କୁ କହିଛନ୍ତି ଯେ ଏହି ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତ ଦେଇଥିବା (ପ୍ରଶାସନିକ ପଦକ୍ଷେପ କ’ଣ ସବୁ ହୋଇପାରିବ) ପ୍ରସ୍ତାବ ଉପରେ ସକରାର ସକାରାତ୍ମକ ଆଭିମୁଖ୍ୟ ରଖିଛନ୍ତି।

ଏହି ପ୍ରଶାସନିକ ପଦକ୍ଷେପ ପାଇଁ ଏକାଧିକ ମନ୍ତ୍ରଣାଳୟ ମଧ୍ୟରେ ସମନ୍ୱୟ ଆବଶ୍ୟକ। ତେଣୁ ସରକାର ଗୋଟିଏ କମିଟି ଗଠନ କରିବାକୁ ରାଜି ଅଛନ୍ତି। ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ବ୍ୟତୀତ ସାମ୍ବିଧାନିକ ଖଣ୍ଡପୀଠରେ ଜଷ୍ଟିସ ଏସ୍‌କେ କୌଲ, ଜଷ୍ଟିସ ଏସ୍‌ଆର ଭଟ, ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ପିଏସ ନରସୀମା ରହିଛନ୍ତି।

Advertisment

ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପ୍ରଦାନ ଦାବିରେ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଆଗତ କରାଯାଇଛି। ଏହାର ଶୁଣାଣି ୭ମ ଦିନ ପାଇଁ ଆଜି ସର୍ବୋଚ୍ଚ ଅଦାଲତ କରିଛନ୍ତି। ଶୁଣାଣି ବେଳେ ମେହେଟା କହିଛନ୍ତି, ଆବେଦନକାରୀ ଏହି ପ୍ରସଙ୍ଗରେ କ’ଣ ସବୁ ପ୍ରଶାସନିକ ପଦକ୍ଷେପ ନିଆଯାଇ ପାରିବ, ସେ ବାବଦରେ ପ୍ରସ୍ତାବ ଦେଇ ପାରିବେ। ଉକ୍ତ ପ୍ରସ୍ତାବକୁ କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ହେବାକୁ ଥିବା କମିଟି ତର୍ଜମା କରି ଆବଶ୍ୟକ ପଦକ୍ଷେପ ନେବ। 

ଏପ୍ରିଲ ୨୭ରେ ଏହି ପ୍ରସଙ୍ଗରେ ଶୁଣାଣି କରି ସାମ୍ବିଧାନିକ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ପଚାରିଥିଲେ ଯେ କ’ଣ ସମଲିଙ୍ଗୀ ଦମ୍ପତିଙ୍କ ସମ୍ପର୍କକୁ ଆଇନଗତ ମାନ୍ୟତା ନ ଦେଇ, ସେମାନଙ୍କୁ ସମାଜିକ କଲ୍ୟାଣର ଫାଇଦା ଦିଆଯାଇ ପାରିବ? ଏହାପରେ ଆଜି କେନ୍ଦ୍ର ପକ୍ଷରୁ ଏପରି କମିଟି ଗଠନ ସମ୍ପର୍କରେ ପ୍ରସ୍ତାବ ଦିଆଯାଇଛି।

Supreme Court Same Sex Marriage