/odisha-reporter/media/post_attachments/uploadimage/library/16_9/16_9_0/Congress__1677031675.jpg)
Congress
ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ହରାଇବା ପାଇଁ କଂଗ୍ରେସ ବିଭିନ୍ନ ଦଳ ସହ ମେଣ୍ଟ କରିବାର ସଙ୍କେତ ଦେଇଛି। ପୂର୍ବରୁ ନୀତୀଶ କୁମାର, କେସିଆର ଓ ମମତା ବାନାର୍ଜୀଙ୍କ ଭଳି ଅଣ ବିଜେପି ରାଜନେତାମାନେ ତୃତୀୟ ସାମ୍ମୁଖ୍ୟ ଗଠନ କରିବା ଦିଗରେ ମତ ରଖିଥିଲେ। ହେଲେ ଏଥିରେ କଂଗ୍ରେସ ସାମିଲ ହେବ କି ନାହିଁ, ସେକଥା ସ୍ପଷ୍ଟ ହୋଇ ନଥିଲା। ସେହିପରି ତୃତୀୟ ସାମ୍ମୁଖ୍ୟର ନେତୃତ୍ୱ କାହା ପାଖରେ ରହିବ, ତା’କୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଥିଲା।
ଏସବୁ ଭିତରେ ପ୍ରଥମଥର ପାଇଁ କଂଗ୍ରେସ ମେଣ୍ଟ ସପକ୍ଷରେ ସଙ୍କେତ ଦେଇଛି। ଏଥିସହ କଂଗ୍ରେସ ନିଜେ ହିଁ ବିଜେପି ବିରୋଧୀ ମେଣ୍ଟର ନେତୃତ୍ୱ ନେବ ବୋଲି କହିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ “୨୦୨୪ରେ କଂଗ୍ରେସ ନେତୃତ୍ୱାଧୀନ ଗୋଟିଏ ବ୍ଲକ ବିଜେପିକୁ କ୍ଷମତାଚ୍ୟୁତ କରିବ। ଏହି ବ୍ଲକରେ ଅଣ ବିଜେପି ଦଳଗୁଡ଼ିକ ରହିବେ।” ତେବେ କଂଗ୍ରେସ ସହ କେଉଁ ସବୁ ଦଳ ସାମିଲ ହେବେ ସେ ସମ୍ପର୍କରେ ଖଡଗେ କିଛି ବି କହି ନାହାନ୍ତି।
ନାଗାଲାଣ୍ଡର ଦିମାପୁରରେ ଆୟୋଜିତ ନିର୍ବାଚନ ରାଲିରେ କଂଗ୍ରେସ ସଭାପତି ଖଡଗେ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ ଲୋକମାନେ ଆପଣମାନଙ୍କୁ(ବିଜେପି) ୨୦୨୪ରେ ଉଚିତ ଶିକ୍ଷା ଦେବେ। ଗୋଟିଏ ମେଣ୍ଟ ସରକାର କେନ୍ଦ୍ରରେ କ୍ଷମତା ଦଖଲ କରିବ ଓ କଂଗ୍ରେସ ଏହାର ନେତୃତ୍ୱ ନେବ।
କଂଗ୍ରେସ ନିୟମିତ ଭାବେ ଅନ୍ୟ ଦଳଗୁଡ଼ିକ ସହ ଏ ସମ୍ପର୍କରେ ଆଲୋଚନା କରୁଛି। କାରଣ ଗଣତନ୍ତ୍ରର ସୁରକ୍ଷା ଓ ସମ୍ବିଧାନର ରକ୍ଷା ପାଇଁ ବିଜେପି ହାରିବା ନିହାତି ଜରୁରୀ। ଆମେ ସବୁ ଦଳଗୁଡ଼ିକୁ ଆଲୋଚନା ପାଇଁ ଡାକୁଛୁ ଓ ସେମାନଙ୍କ ସହ ୨୦୨୪ରେ କେମିତି ନିର୍ବାଚନ ଜିତି ହେବ, ସେ ବିଷୟରେ ଆମର ପକ୍ଷ ରଖୁଛୁ।
ବିଜେପି ୨୦୨୪ରେ ସଂଖ୍ୟାଗରିଷ୍ଠତା ହାସଲ କରିପାରିବ ନାହିଁ। ଅନ୍ୟ ସମସ୍ତ ଦଳ ମିଳିତ ଭାବେ ସଂଖ୍ୟାଗରିଷ୍ଠତା ହାସଲ କରିବେ। ଏଇଟା ହିଁ ସତ ଯେ ଏହି ମେଣ୍ଟ ସରକାରର ନେତୃତ୍ୱ କଂଗ୍ରେସ ନେବ। ୧୦୦ ଜଣ ମୋଦି(ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି) ଓ ଅମିତ ଶାହ ଆସନ୍ତୁ ପଛେ, ହେଲେ କୌଣସି ଫରକ ପଡ଼ିବନି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
