/odisha-reporter/media/post_attachments/uploadimage/library/16_9/16_9_0/Congress_1685104885.jpg)
Congress
ପ୍ରଧାନମନ୍ତ୍ରୀ ଭାବେ ଆଜି ନରେନ୍ଦ୍ର ମୋଦି ଶାସନ ଗାଦିରେ ୯ ବର୍ଷ ପୂରଣ କରିଛନ୍ତି। ୨୦୧୪ ମସିହା ମେ’ ୨୬ରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପ୍ରଚଣ୍ଡ ଜନମତ ସହ ବିଜେପି କେନ୍ଦ୍ରରେ ସରକାର ଗଠନ କରିଥିଲା। ଆଜି ବିଜେପି ସରକାରକୁ ୯ ବର୍ଷ ପୂରିଛି। ବିଜେପି ଏହାକୁ ଧୂମଧାମରେ ପାଳନ କରୁଥିବା ବେଳେ କଂଗ୍ରେସ ଏହାକୁ କ୍ଷମା ମାଗିବା ଦିବସ ବା ମାଫି ଦିବସ ଭାବେ ପାଳନ କରିବାକୁ କହିଛି।
ଏଥିସହ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୯ଟି ପ୍ରଶ୍ନ କରାଯାଇଛି। ଦରବୃଦ୍ଧି, ବେକାରୀ ଓ ଚାଷୀଙ୍କ ଆୟ ଆଦି ପ୍ରସଙ୍ଗରେ ଦଳ ୯ଟି ପ୍ରଶ୍ନ ପଚାରିଛି। ଶାସନ ଗାଦରେ ବସି ମୋଦି ଧୋକା ଦେଇଥିବାରୁ କଂଗ୍ରେସ ତାଙ୍କୁ କ୍ଷମା ମାଗିବାକୁ ମଧ୍ୟ କହିଛି। ସରକାର ଆଜିର ଦିନକୁ ମାଫି ଦିବସ ଭାବେ ପାଳନ କରିବା ଉଚିତ ବୋଲି ଦଳ କହିଛି।
କଂଗ୍ରେସ ନେତା ରାହୁଲ ଗାନ୍ଧି ଭାରତ ଯୋଡ଼ୋ ଯାତ୍ରା ବେଳେ ଅନେକ ପ୍ରସଙ୍ଗ ଉଠାଇଥିଲେ। ଆଜି ଦଳ ସେହିସବୁ ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ୯ଟି ପ୍ରଶ୍ନ ପ୍ରସ୍ତୁତ କରିଛି।
ଦିଲ୍ଲୀରେ ଥିବା କଂଗ୍ରେସ ମୁଖ୍ୟାଳୟରେ ବରିଷ୍ଠ ନେତା ଜୟରାମ ରମେଶ, ପବନ ଖେଡା ଓ ସୁପ୍ରିୟା ଶ୍ରିନେଟ ଗୋଟିଏ ବୁକଲେଟ ରିଲିଜ୍ କରି ୯ ପ୍ରଶ୍ନ କରିଛନ୍ତି। ଏହାର ନାଁ ‘ନୂଆ ବର୍ଷ, ନୂଆ ପ୍ରଶ୍ନ’ ରହିଛି। ରମେଶ କହିଛନ୍ତି, “ପିଏମ ମୋଦି ୯ ବର୍ଷ ତଳେ ଆଜିର ଦିନରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ତେଣୁ ଦଳ ତାଙ୍କୁ ୯ଟି ପ୍ରଶ୍ନ ପଚାରିବାକୁ ଚାହୁଁଛି। ପ୍ରଧାନମନ୍ତ୍ରୀ ଏହି ୯ ପ୍ରଶ୍ନ ଉପରେ ନିଜର ନୀରବତା ଭାଙ୍ଗନ୍ତୁ।”
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେ ପ୍ରଶ୍ନ କରିଛନ୍ତି ଯେ “ଭାରତରେ ମୁଦ୍ରାସ୍ଫୀତି ଓ ବେକାରୀ ହାର କାହିଁକି ଆକାଶ ଛୁଆଁ ହୋଇଛି? କାହିଁକି ଧନୀମାନେ ଧନୀ ହେଉଛନ୍ତି ଓ ଗିରବ ମାନେ ଆହୁରି ଗରିବ ହେବାରେ ଲାଗିଛନ୍ତି? ଆର୍ଥିକ ତାରତମ୍ୟ ବୃଦ୍ଧି ପାଇବାରେ ଲାଗିଥିବା ବେଳେ କାହିଁକି ପ୍ରଧାନମନ୍ତ୍ରୀ ମୋଦିଙ୍କ ବନ୍ଧୁମାନଙ୍କୁ ସର୍ବସାଧାରଣଙ୍କ ସମ୍ପତ୍ତି ବିକ୍ରି କରାଯାଉଛି?
୩ କଳା କୃଷି ଆଇନ ପ୍ରତ୍ୟାହାର କରିବା ବେଳେ ଚାଷୀମାନଙ୍କ ସହ ହୋଇଥିବା ବୁଝାମଣାକୁ କାହିଁକି ପୂରଣ କରାଯାଇନି ଓ ଏମଏସ୍ପିକୁ କାହିଁକି ଏଯାଏ ଆଇନଗତ ମାନ୍ୟତା ମିଳିନି? ଗତ ୯ ବର୍ଷ ମଧ୍ୟରେ କାହିଁକି ଚାଷୀଙ୍କ ଆୟ ଦୁଇ ଗୁଣ ବୃଦ୍ଧି ପାଇ ନାହିଁ?
ଏଲଆଇସି ଓ ଏସବିଆଇରେ ଲୋକମାନେ ଜମା କରିଥିବା ଟଙ୍କାକୁ କାହିଁକି ପ୍ରଧାନମନ୍ତ୍ରୀ ତାଙ୍କ ବନ୍ଧୁ ଆଦାନିଙ୍କୁ ଫାଇଦା ଦେବାକୁ ବ୍ୟବହାର କରୁଛନ୍ତି? ଆପଣ କାହିଁକି ଚୋମାନଙ୍କୁ ଦେଶରୁ ଖସି ଯିବାକୁ ସୁଯୋଗ ଦେଇଛନ୍ତି? ବିଜେପି ଶାସିତ ରାଜ୍ୟରେ ଚାଲିଥିବା ଦୁର୍ନୀତି ପ୍ରସଙ୍ଗରେ କାହିଁକି ଚୁପ ରହିଛନ୍ତି? କାହିଁକି ଭାରତୀୟମାନଙ୍କୁ ଏତେ କଷ୍ଟ ସହିବାକୁ ପଡ଼ୁଛି?”
ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଜୟରାମ କହିଛନ୍ତି, “କଂଗ୍ରେସ ପଚାରିବାକୁ ଚାହୁଁଛି ଯେ ୨୦୨୦ରେ ଆପଣ ଚାଇନାକୁ କ୍ଲିନଚିଟ ଦେଇଥିବା ବେଳେ ସେମାନେ ଏବେ ବି ଭାରତୀୟ ଅଞ୍ଚଳକୁ କାହିଁକି ଦଖଲ କରି ରହିଛନ୍ତି? କାହିଁକି ନିର୍ବାଚନରେ ଫାଇଦା ହାସଲ ପାଇଁ ଘୃଣାର ରାଜନୀତି କରାଯାଉଛି?
ମହିଳା, ଦଳିତ, ଏସ୍ସି, ଏସ୍ଔଟି, ଓବିସି ଓ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାର ଦେଖି ଆପଣ କାହିଁକି ଚୁପ ରହୁଛନ୍ତି? କାହିଁକି ଆପଣ ଜାତିଭିତ୍ତିକ ଜନଗଣନାକୁ ବିରୋଧ କରୁଛନ୍ତି?”
ଜୟରାମ ରମେଶ ସରକାରଙ୍କୁ ଗଣତନ୍ତ୍ର ଓ ସଂଘୀୟ ବ୍ୟବସ୍ଥା ଉପରେ ପ୍ରଶ୍ନ କରି ୯ ବର୍ଷ ହେଲା ଦେଶର ସାମ୍ବିଧାନିକ ମୂଲ୍ୟବୋଧ ଓ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକ ଦୁର୍ବଳ ହୋଇଯାଇଥିବା କହିଛନ୍ତି।
୯ ବର୍ଷ ହେଲା ସରକାର ଦେଇଥିବା ପ୍ରତିଶ୍ରୁତିକୁ ପୂରଣ ନ କରି ଧୋକା ଦେଇଥିବା ଅନ୍ୟତମ କଂଗ୍ରେସ ନେତା ପବନ ଖେଡା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ଆମେ ଆଜି ପଚାରିଥିବା ପ୍ରଶ୍ନର ଉତ୍ତର ଚାହୁଁଛୁ। ଦୟା କରି ଆମକୁ ୯୦୦ ବର୍ଷ ପଛକୁ ନିଅନ୍ତୁ ନାହିଁ? ଆପଣ ଏହି ୯ ବର୍ଷ ମଧ୍ୟରେ କ’ଣ ସବୁ କରିଛନ୍ତି, ସେକଥା ସମସ୍ତେ ଜାଣିବାକୁ ଚାହୁଁଛନ୍ତି। ଆସନ୍ତା ୫ ଦିନ ମଧ୍ୟରେ ଆପଣ କରିବାକୁ ଥିବା କାର୍ଯ୍ୟକ୍ରମରେ କ୍ଷମା ମାଗନ୍ତୁ ବୋଲି ଆମେ ଆପଣଙ୍କୁ ଅନୁରୋଧ କରୁଛୁ।”
ଜୟରାମ ରମେଶ ପୁଣି ପ୍ରଶ୍ନ କରିଛନ୍ତି ଯେ “ବିରୋଧୀ ଦଳଗୁଡ଼ିକ ବିରୋଧରେ ଆପଣ କାହିଁକି ଆକ୍ରୋଶର ରାଜନୀତିକୁ ପ୍ରଶ୍ରୟ ଦେଉଛନ୍ତି ଓ ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାରଙ୍କୁ ଟଙ୍କା ବଳରେ ଅସ୍ଥିର କରିବାକୁ ଚାହୁଁଛନ୍ତି?
କୋଭିଡ ୧୯ ସମୟରେ ୪୦ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ହେଁ ମୋଦି ସରକାର କାହିଁକି ସେମାନଙ୍କ ପରିବାର ଲୋକଙ୍କୁ କ୍ଷତି ପୂରଣ ଦେବାକୁ ଅରାଜି ହେଉଥିଲେ? କାହିଁକି ଆପଣ ହଠାତ୍ ଲକଡାଉନ ଲାଗୁ କରି ଲକ୍ଷାଧିକ ଲୋକଙ୍କୁ ସେମାନଙ୍କ ଘରକୁ ଫେରିବା ପାଇଁ ବାଧ୍ୟ କରିଥିଲେ?”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
