Advertisment

ଅଜିତ ପାୱାରଙ୍କ ବିଦ୍ରୋହ ପରେ ବିରୋଧୀ ଦଳ ପଦକୁ ନେଇ ବଡ଼ କଥା କହିଲା କଂଗ୍ରେସ

କଂଗ୍ରେସ ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ପଦ ପାଇଁ ଦାବି କରିବ ବୋଲି କହିଛି। ଏଥିସହ ଏପରି ବିପର୍ଯ୍ୟୟରୁ ମୁକୁଳି ମହା ବିକାଶ ଅଘାଡି ଅଧିକ ଶକ୍ତିଶାଳୀ ହେବ ବୋଲି ମଧ୍ୟ କଂଗ୍ରେସ ଦମ୍ଭୋକ୍ତି କରିଛି।

author-image
Hemant Lenka
Congress

Congress

ଏନସିପି ନେତା ଅଜିତ ପାୱାରଙ୍କ ବଡ଼ଧରଣର ବିଦ୍ରୋହ ପରେ ଏବେ ଶରଦ ପାୱାରଙ୍କ ପାଖରେ କେତେ ଜଣ ବିଧାୟକ ରହିଛନ୍ତି, ତା’କୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଛି। ବିଜେପି ଓ ସିନ୍ଦେ ସରକାରଙ୍କୁ ସମର୍ଥନ କରି ଉପ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଅଜିତ ପାୱାର ବିରୋଧୀ ଦଳ ନେତା ଭାବେ କାମ କରୁଥିଲେ।

Advertisment

ଅବଶ୍ୟକ ସେ କିଛି ଦିନ ତଳେ ଏହି ପଦ ଛାଡ଼ିବାକୁ ପ୍ରସ୍ତାବ ଦେଇଥିଲେ। ଏବେ ସେ ସରକାରରେ ମିଶି ଯାଇଥିବାରୁ ମହା ବିକାଶ ଅଘାଡିରେ ଥିବା କଂଗ୍ରେସ ବିରୋଧୀ ଦଳ ନେତା ପଦକୁ ନେଇ ବଡ଼ ଦାବି କରିଛି।

କଂଗ୍ରେସ ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ପଦ ପାଇଁ ଦାବି କରିବ ବୋଲି କହିଛି। ଏଥିସହ ଏପରି ବିପର୍ଯ୍ୟୟରୁ ମୁକୁଳି ମହା ବିକାଶ ଅଘାଡି ଅଧିକ ଶକ୍ତିଶାଳୀ ହେବ ବୋଲି ମଧ୍ୟ କଂଗ୍ରେସ ଦମ୍ଭୋକ୍ତି କରିଛି। 

Advertisment

କଂଗ୍ରେସ ବିଧାୟକ ଦଳ ନେତା ବାଲାସାହେବ ଥୋରାଟ ଆଜି ବିରୋଧୀ ଦଳ ନେତା ପଦ ପାଇଁ ଦଳ ଦାବି କରିବ ବୋଲି କହିଛନ୍ତି। ଅଜିତ ପାୱାରଙ୍କ ବିଦ୍ରୋହ ପରେ ମହାରାଷ୍ଟ୍ର ଏନସିପି ସଭାପତି ଜୟନ୍ତ ପାଟିଲ ଜିତେନ୍ଦ୍ର ଅୱହାଦ ବିରୋଧୀ ଦଳ ନେତା ହେବେ ବୋଲି କହିଥିଲେ। ତାଙ୍କର ଏପରି ବୟାନ ପରେ ଥୋରାଟ ନିଜର ମତ ରଖିଛନ୍ତି।

ସେ କହିଛନ୍ତି, “ବିରୋଧୀ ଦଳଗୁଡ଼ିକ ମଧ୍ୟରେ କଂଗ୍ରେସ ସବୁଠାରୁ ଶକ୍ତିଶାଳୀ। ଆମ ବିଧାୟକ ଅତୁଟ ରହିଛନ୍ତି। ୨୦୧୯ରେ ଆମ ପାଖରେ ୪୪ ବିଧାୟକ ଥିଲେ। ଏବେ ଏହା ୪୫ ଛୁଇଁଛି। ଅଧିକ ବିଧାୟକ ଥିବା ଦଳର ନେତା ହିଁ ବିରୋଧୀ ଦଳର ନେତା ହୁଅନ୍ତି।

ଏହିକ୍ରମରେ ଆମେ ବିରୋଧୀ ଦଳ ନେତା ପଦ ପାଇଁ ଆବେଦନ କରିବୁ। ଆମେ ଆସନ୍ତାକାଲି ବିଧାୟକ ଦଳ ବୈଠକ ଡାକିଛୁ। ବୈଠକରେ ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ହେବ।

ମହା ବିକାଶ ଅଘାଡି ଶକ୍ତିଶାଳୀ ହୋଇ ଉଭା ହେବ। କାରଣ ସିନ୍ଦେ-ଫଡନାଭିସ ସରକାର ବିରୋଧରେ ଲୋକମାନେ ରହିଛନ୍ତି। ସେମାନେ ଶିବସେନା ଓ ଏନସିପି ସହ ଅନ୍ୟାୟ କରିଛନ୍ତି। ଲୋକମାନେ ସବୁ ଦେଖୁଛନ୍ତି। ମହା ବିକାଶ ଅଘାଡିର ଗୋଟିଏ ବୈଠକ ଖୁବଶୀଘ୍ର ଅନୁଷ୍ଠିତ ହେବ।”

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଗତବର୍ଷ ଠାରୁ ହଟଚମଟ ଦେଖିବାକୁ ମିଳିଛି। ପ୍ରଥମେ ଏକନାଥ ସିନ୍ଦେ ଶିବସେନା ବିରୋଧରେ ବିଦ୍ରୋହ କରିଥିଲେ। ଏବେ ଅଜିତ ପାୱାର ଏନସିପିରେ ବିଦ୍ରୋହ କରିଛନ୍ତି। ଏବେ କଂଗ୍ରେସ ପାଖରେ ୪୫ ବିଧାୟକ ଥିବା ବେଳେ ଉଦ୍ଧବ ଠାକରେଙ୍କ ଶିବସେନା ପାଖରେ ୧୭ ଜଣ ବିଧାୟକ ରହିଛନ୍ତି।

ଅଜିତ ପାୱାର ଦାବି କରିଛନ୍ତି ଯେ ତାଙ୍କ ସହ ୪୦ ଏନସିପି ବିଧାୟକ ରହିଛନ୍ତି। ଯଦି ଏହା ସତ, ତା’ହେଲେ ଶରଦ ପାୱାରଙ୍କ ପାଖରେ ମାତ୍ର ୧୩ ଜଣ ବିଧାୟକ ରହିବେ।

ଯଦି ଏପରି ସ୍ଥିତି ସୃଷ୍ଟି ହୁଏ, ତା’ହେଲେ କଂଗ୍ରେସ ବିରୋଧୀଙ୍କ ମଧ୍ୟରେ ସବୁଠାରୁ ବଡ଼ ଦଳ ଭାବେ ଉଭା ହେବ। ୨୦୧୯ରେ ମହା ବିକାଶ ଅଘାଡି ଗଠନ ହେବା ବେଳେ କଂଗ୍ରେସର ବିଧାୟକ ସଂଖ୍ୟା ଏନସିପି ଓ ଶିବସେନା ତୁଳନାରେ କମ ଥିଲା। କିନ୍ତୁ ଏବେକାର ସ୍ଥିତି ପୂରା ବଦଳି ଯାଇଛି।

Congress Maharashtra Govt Maharashtra Politics NCP