Advertisment

କଂଗ୍ରେସର ‘ବ୍ଲାକ ପ୍ରୋଟେଷ୍ଟ’ରେ ଅଚାନକ ଏଣ୍ଟ୍ରି କଲା ଟିଏମସି

ଆଜି କଂଗ୍ରେସ ସାଂସଦମାନେ କଳା ପୋଷାକ ପିନ୍ଧି ସଂସଦକୁ ଆସିବା ସହ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

author-image
Hemant Lenka
Congress

Congress

ରାହୁଲ ଗାନ୍ଧି ପ୍ରସଙ୍ଗରେ ବିରୋଧୀଙ୍କ ଏକାତା ଦିନକୁ ଦିନ ସୁଦୃଢ଼ ହେବାରେ ଲାଗିଛି। ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ କରାଯାଇଥିବାରରୁ କଂଗ୍ରେସ ବ୍ଲାକ ପ୍ରୋଟେଷ୍ଟ କରୁଛି। ଆଜି କଂଗ୍ରେସ ସାଂସଦମାନେ କଳା ପୋଷାକ ପିନ୍ଧି ସଂସଦକୁ ଆସିବା ସହ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ସେହିପରି ସେମାନେ ଆଦାନୀ ପ୍ରସଙ୍ଗରେ ମଧ୍ୟ ଗାନ୍ଧି ପ୍ରତିମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ସାମିଲ ହୋଇଛନ୍ତି। ସମସ୍ତେ ଇଡି ଉପରେ ଚାପ ପକାଇ ଆଦାନୀ ପ୍ରସଙ୍ଗର ତଦନ୍ତ କରିବାକୁ ଦାବି କରିଛନ୍ତି।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କଂଗ୍ରେସର ବ୍ଲାକ ପ୍ରୋଟେଷ୍ଟକୁ ମମତା ବାନାର୍ଜୀଙ୍କ ଟିଏମସି ସମର୍ଥନ କରିଛି। ଏହା ଦେଖି ରାଜନୀତିକ ପଣ୍ଡିତମାନେ ସାମାନ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି। କାରଣ ଟିଏମସି ସବୁବେଳେ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ରଖିବ ବୋଲି କହି ଆସୁଥିଲା। ପୂର୍ବରୁ କଂଗ୍ରେସ ଡାକିଥିବା ବୈଠକକୁ ଯାଇ ନଥିଲା। ହେଲେ ଆଜି କଂଗ୍ରେସର ବଡ଼ ରଣନୀତିକ ବୈଠକରେ ଟିଏମସି ଯୋଗଦେଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଚ୍ୟାମ୍ବରରେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ବିଜେପି ଓ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି। ଏଥିରେ ଟିଏମସି ମଧ୍ୟ ନିଜ ମତ ରଖିଛି। 

Advertisment

ଏହି ବୈଠକରେ ଟିଏମସିର ପ୍ରସୂନ ବାନାର୍ଜୀ ଓ ଜୱହର ସିରକାର ଯୋଗଦେଇଥିଲେ। ବିଭିନ୍ନ ପ୍ରସଙ୍ଗ ଓ କୌଣସି ସାମ୍ମୁଖ୍ୟ ନୁହେଁ, ବରଂ ରାହୁଲ ଗାନ୍ଧି ଓ ଆଦାନି ପ୍ରସଙ୍ଗରେ ସବୁ ବିରୋଧୀ ଏକାଠି ରହିବା ଉପରେ ମାନସମନ୍ଥନ ହୋଇଛି। 

ଖଡଗେ କହିଛନ୍ତି, “ଏହାକୁ ସମର୍ଥନ କରୁଥିବା ପ୍ରତି ଦଳକୁ ଧନ୍ୟବାଦ। ଗତକାଲି ମୁଁ ସମର୍ଥନ କରିଥିବା ନେତାମାନଙ୍କୁ ଧନ୍ୟବାଦ ଜଣାଇଥିଲି। ଆଜି ମଧ୍ୟ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ଦେଶର ଗଣତନ୍ତ୍ର, ସମ୍ବିଧାନ ଓ ଲୋକଙ୍କ ସୁରକ୍ଷା ପାଇଁ ଯେଉଁମାନେ ଆଗେଇ ଆସିବେ, ଆମେ ସେମାନଙ୍କୁ ସ୍ୱାଗତ କରିବୁ। ଆମକୁ ସମର୍ଥନକ କରୁଥିବା ଲୋକଙ୍କୁ କୃତଜ୍ଞତା ଜଣାଉଛୁ।”

ରାହୁଲ ଗାନ୍ଧିଙ୍କୁ ଅଯୋଗ୍ୟ କରାଯିବା ଘଟଣାରେ ଆଜି କଂଗ୍ରେସ କଳା ଶାର୍ଟ ପିନ୍ଧି ବିରୋଧ ପ୍ରଦର୍ଶନ କରିଛି। କେ ଚନ୍ଦ୍ର ଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି ଏହି କଳା ଶାର୍ଟ ବିକ୍ଷୋଭରେ ସାମିଲ ହୋଇଛି। ଉଦ୍ଧବ ଠାକରେଙ୍କ ଶିବସେନାର ସଦସ୍ୟମାନେ ମଧ୍ୟ କଂଗ୍ରେସକୁ ସମର୍ଥନ କରି କଳା ଶାର୍ଟ ପିନ୍ଧିଥିଲେ। 

ଖଡଗେଙ୍କ ନେତୃତ୍ୱରେ ବସିଥିବା ବୈଠକରେ ୧୭ଟି ବିରୋଧୀ ଦଳର ସଦସ୍ୟ ସାମିଲ ହୋଇଥିଲେ। କଂଗ୍ରେସ ବାଦ ବୈଠକରେ ଡିଏମକେ, ସପା, ଜେଡିୟୁ, ବିଆରଏସ, ସିପିଏମ, ଆରଜେଡି, ଏନସିପି, ସିପିଆଇ, ଆଇୟୁଏମଏଲ, ଏମଡିଏମକେ, କେସି, ଟିଏମସି, ଆରଏସ୍‌ପି, ଆପ୍‌, ଜମ୍ମୁ-କଶ୍ମୀର ଏନ୍‌ସି ଓ ଉଦ୍ଧବ ଠାକରେଙ୍କ ଶିବସେନା(ୟୁବିଟି)ର ନେତା ଯୋଗଦେଇଥିଲେ।

ରାହୁଲ ଗାନ୍ଧି ଅଯୋଗ୍ୟ ଘୋଷଣା ହେବା ପରେ ଟିଏମସି ବେଶ ମାପିଚୁପି ବୟାନ ଦେଉଥିଲା। ଏଥିସହ ପୂର୍ବରୁ କଂଗ୍ରେସ ଡାକୁଥିବା ବିରୋଧୀଙ୍କ ବୈଠକରେ ଟିଏମସି ଯୋଗ ଦେଉ ନଥିଲା। କିନ୍ତୁ ଆଜି ଖଡଗେ ଡାକିଥିବା ବୈଠକରେ ଟିଏମସି ସାମିଲ ହେବା ସହ ଆଗାମୀ ରଣନୀତି ସମ୍ପର୍କରେ ମଧ୍ୟ ମତ ରଖିଛି।

Congress Rahul Gandhi TMC Mallikarjun Kharge