କର୍ଣ୍ଣାଟକା ବାଲ୍ମିକି କର୍ପୋରେସନ ସ୍କାମ ମାମଲାରେ ଇଡି କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ବି ନାଗେନ୍ଦ୍ରଙ୍କୁ ବାନ୍ଧିଛି। ମହର୍ଷି ବାଲ୍ମିକି ଅନୁସୂଚିତ ଜନଜାତି ବିକାଶ ନିଗମ ଲିମିଟେଡରେ ହୋଇଥିବା ଦୁର୍ନୀତିରେ ସେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା ।
ଇଡି ପକ୍ଷରୁ ଗତକାଲି ତାଙ୍କୁ ୧୩ ଘଣ୍ଟା କାଳ ପଚରାଉଚରା ପରେ ରାତି ପ୍ରାୟ ସାଢେ ୧୦ଟାରେ ଗିରଫ କରାଯାଇଛି। ଆଜି ତାଙ୍କୁ ପିଏମଏଲଏ କୋର୍ଟରେ ହାଜର କରାଯିବ । ଅଧିକ ପଚରାଉଚରା ପାଇଁ ଇଡି ତାଙ୍କୁ ରିମାଣ୍ଡରେ ମାଗିପାରେ ବୋଲି ଜଣାଯାଇଛି।
ଏହି ମାମଲାରେ ଗୁରୁବାର କର୍ଣ୍ଣାଟକା ସମେତ ୪ ରାଜ୍ୟରେ ଇଡି ରେଡ କରିବା ସହ ୫୦ ଲକ୍ଷ ଟଙ୍କା ସମେତ ବହୁ ଡକ୍ୟୁମେଣ୍ଟ ଜବତ କରିଛି।
ବାଲ୍ମିକି କର୍ପୋରେସନରେ ମନି ଲଣ୍ଡ୍ରିଂ ମାମଲା ସେତେବେଳେ ସାମନାକୁ ଆସିଥିଲା ଯେତେବେଳେ କର୍ପୋରେସନର ଲେଖା ଅଧିକ୍ଷକ ପି ଚନ୍ଦ୍ରଶେଖରନ ଗତ ମେ’ ୨ରେ ଆତ୍ମହତ୍ୟା କରିଥିଲେ। ବରିଷ୍ଠ ଅଧିକାରୀ ୮୭ କୋଟି ଟଙ୍କା ହେରାଫେରି କରିଥିବା ବେଳେ ଏଥିରେ ଫସିବା ଆଶଙ୍କାରେ ପି ଚନ୍ଦ୍ରଶେଖରନ ଆତ୍ମହତ୍ୟା କରିଥିବା ଉଲ୍ଲେଖ କରିଥିଲେ। ଏପରିକି ଏଥିପାଇଁ ୨ ଜଣ ଅଧିକାରୀଙ୍କୁ ସେ ଦାୟୀ କରି ସେମାନଙ୍କ ନାମ ଉଲ୍ଲେଖ କରିଥିଲେ।
ଏହି ମାମଲାକୁ କର୍ଣ୍ଣାଟକା ସରକାର ଗୁରୁତର ସହ ନେଇ ଏହାର ଖୋଳତାଡ଼ ନିମନ୍ତେ SIT ଟିମ୍ ଗଠନ କରିଥିଲେ। ଏହି ମାମଲାରେ ସମ୍ପୃକ୍ତି ଅଭିଯୋଗରେ SIT ଟିମ୍ ପୂର୍ବରୁ ବି. ନାଗେନ୍ଦ୍ରଙ୍କୁ ପଚରାଉଚରା କରିଥିଲା । ପରେ ଏହି ମାମଲାରେ ଇଡି ଗତକାଲି ତାଙ୍କୁ ବାନ୍ଧିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।