Smriti Irani and Bhupesh Baghel
ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ। ଏଥିପାଇଁ ପ୍ରଚାର ଜୋରସୋର୍ରେ ଚାଲିଛି। ସମସ୍ତ ରାଜନୈତିକ ଦଳ ମଇଦାନକୁ ଓହ୍ଲାଇ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲାଗିପଡିଛନ୍ତି। ଏହାରି ଭିତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ନାଁରେ ଏକ ଗୁରୁତର ଅଭିଯୋଗ ଆସିଛି। ମହାଦେବ ବେଟିଂ ଆପ୍ରେ ତାଙ୍କ ନାଁ ଥିବା ସାମ୍ନାକୁ ଆସିବା ପରେ ତାଙ୍କୁ ଜୋରଦାର ଟାର୍ଗେଟ୍ କରିଛି ବିଜେପି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ଛତିଶଗଡ କଂଗ୍ରେସ ଉପରେ ବଡ଼ ପ୍ରଶ୍ନ ଉଠାଇଛନ୍ତି।
ଆଜି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ସାମ୍ବାଦିକ ସମ୍ମିଳନୀ କରି ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଜୋରଦାର ଟାର୍ଗେଟ୍ କରିଛନ୍ତି। ସତ୍ତାରେ ରହି ସଟ୍ଟା ଖେଳିବା ଛତିଶଗଡ଼ କଂଗ୍ରେସର ଚେହେରା ପାଲଟି ଯାଇଛି ବୋଲି କହିଛନ୍ତି। ଗତକାଲି ଭୂପେଶ ବଘେଲଙ୍କ ସହ ଜଡିତ ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଥିଲା। ଅସିମ ଦାସ ନାମକ ଜଣେ ବ୍ୟକ୍ତିଙ୍କ ନିକଟରୁ ଇଡି ୫୩୦ କୋଟି ଟଙ୍କା ଜବତ କରିଥିଲା। ତେବେ ଶୁଭମ ସୋନିଙ୍କ ମାଧ୍ୟମରେ ଅସିମ ଦାସଙ୍କ ଠାରୁ କଂଗ୍ରେସ ନେତାମାନେ ଟଙ୍କା ପାଇଛନ୍ତି କି ବୋଲି ସ୍ମୃତି ଇରାନୀ ପ୍ରଶ୍ନ କରିଛନ୍ତି।
ଶୁଭମ ସୋନିଙ୍କ ମାଧ୍ୟମରେ ଅସିମ ଦାସ ଟଙ୍କା ପହଞ୍ଚାଉ ଥିଲେ କି? ସେ ବଘେଲଙ୍କୁ ନିର୍ବାଚନ ନାଁରେ ଟଙ୍କା ଦେଉଥିଲେ କି? ଟ୍ରାଇଡେଣ୍ଡ ହୋଟେଲରୁ ଟଙ୍କା ଜବତ ହୋଇଛି, ଏହା ସତ କି? ଭୂପେଶ ବଘେଲଙ୍କୁ ଟଙ୍କା ଦେବା ପାଇଁ ଦୁବାଇରୁ ଅସିମ ଦାସଙ୍କୁ ନିର୍ଦ୍ଦେଶ ମିଳୁଥିବା କଥା ସତ କି ବୋଲି ପ୍ରଶ୍ନ କରିଛନ୍ତି ସ୍ମୃତି ଇରାନୀ।
ଶୁଭମ ସୋନି ମହାଦେବ ବେଟିଂ ଆପ୍ର ଟପ୍ ଲେବଲ୍ ମ୍ୟାନେଜମେଣ୍ଟରେ ସାମିଲ ଥିବା ଅସିମ ଦାସ ସ୍ୱୀକାର କରିଛନ୍ତି। ମହାଦେବ ବେଟିଂ ଆପ୍ର ପ୍ରମୋଟର ଭୂପେଶ ବଘେଲଙ୍କୁ ୫୦୮ କୋଟି ଟଙ୍କା ଲାଞ୍ଚ ଦେଇଥିବା ଶୁଭମ ସୋନି ନିଜ ଲିଖିତ ବୟାନରେ କହିଛନ୍ତି। ଭୂପେଶ ବଘେଲଙ୍କୁ ଲାଞ୍ଚ ଦିଆଯାଇଥିବା ନେଇ ପ୍ରମାଣ ସ୍ୱରୂପ ଇଡି ପାଖରେ ଶୁଭମ ସୋନିଙ୍କ ଭଏସ ମେସେଜ ଅଛି ବୋଲି ସ୍ମୃତି ଇରାନୀ କହିଛନ୍ତି।
ଅନ୍ୟ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ପ୍ରଶାସନ ଏବଂ କଂଗ୍ରେସର ସଂରକ୍ଷଣ ଚାହୁଁଥିବା ମହାଦେବ ଅନଲାଇନ୍ ବୁକ୍ର ପ୍ରମୋଟରମାନେ ଚନ୍ଦ୍ରଭୂଷଣ ବର୍ମା ନାମକ ଜଣେ ଅଧିକାରୀଙ୍କ ମାଧ୍ୟମରେ ଟଙ୍କା ପଠାଉଥିଲେ। ଚନ୍ଦ୍ରଭୂଷଣ ବର୍ତ୍ତମାନ ପର୍ଯ୍ୟନ୍ତ ମହାଦେବ ଆପର ପ୍ରମୋଟରଙ୍କୁ ୬୫କୋଟି ଟଙ୍କା ଲାଞ୍ଚ ଦେଇଛନ୍ତି। ଭାରତର ନିର୍ବାଚନ ଇତିହାସରେ କଂଗ୍ରେସ ସରକାର ହାୱାଲା ଅପରେଟରଙ୍କ ମାଧ୍ୟମରେ ଗରିବ ଲୋକଙ୍କୁ ଲୁଟ୍ କରି ଜୁଆ ଖେଳିଛନ୍ତି। ଏକାଧିକ ଚଢ଼ାଉ ପରେ ଅନୁସନ୍ଧାନକାରୀ ସଂସ୍ଥା ୪୫୦ କୋଟି ଟଙ୍କା ଜବତ କରିଛି। କଂଗ୍ରେସ ଦଳ ହାୱାଲା ଅପରେଟର ବ୍ୟବହାର କରି ଛତିଶଗଡ଼ରେ ନିର୍ବାଚନ ଲଢ଼ୁଛି ବୋଲି ସ୍ମୃତି ଅଭିଯୋଗ ଆଣିଛନ୍ତି।
ସୂଚନା ମୁତବକ, ଗତକାଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ନାମରେ ଏକ ଗୁରୁତର ଅଭିଯୋଗ ଆସିଥିଲା। ମହାଦେବ ବେଟିଂ ଆପ୍ ପ୍ରତିଷ୍ଠାତାମାନଙ୍କ ଠାରୁ ମୁଖ୍ୟମନ୍ତ୍ରୀ ବଘେଲ ୫୦୮ କୋଟି ଟଙ୍କା ନେଇଥିବା ଇଡି କହିଛି। ଏ ବାବଦରେ କେତେକ ବଳିଷ୍ଠ ପ୍ରମାଣ ହସ୍ତଗତ ହୋଇଛି ବୋଲି ଇଡି କହିଥିଲା। ଶୁକ୍ରବାର ରାଜ୍ୟରେ ଇଡି ଚଢ଼ାଉ କରି ୫.୩୯ କୋଟି ଟଙ୍କା ଜବତ କରିବା ସହ ଏହି ମାମଲାରେ ମହାଦେବ ଆପ୍ର ଅର୍ଥବାହକ ଅସୀମ ଦାସଙ୍କୁ ଗିରଫ କରିଥିଲା। ଏହି ମାମଲାରେ ଇଡିର ତଦନ୍ତ ଜାରି ରହିଛି ଏବଂ ଆଗକୁ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଇଛି।
ଆଗକୁ ଛତିଶଗଡ଼ରେ ୭ ଓ ୧୭ ନଭେମ୍ବରରେ ଦୁଇଟି ପର୍ଯ୍ୟାୟରେ ଭୋଟ୍ ହେବ। ତେବେ ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ବଘେଲଙ୍କ ବିରୋଧରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ କଂଗ୍ରେସର ଚିନ୍ତା ବଢ଼ାଇ ଦେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1699080711.jpg)