Advertisment

କର୍ଣ୍ଣାଟକାର ପ୍ରଥମ କ୍ୟାବିନେଟ୍‌: କଂଗ୍ରେସର ୫ ଗ୍ୟାରେଣ୍ଟି ଲାଗୁ କରିବାକୁ ମିଳିଲା ଅନୁମତି

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ୫ ଗ୍ୟାରେଣ୍ଟିକୁ ଲାଗୁ କରିବାକୁ ଅନୁମତି ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କୁ ବାର୍ଷିକ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

Congress

Congress

Advertisment

କର୍ଣ୍ଣାଟକା ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ଦେଇଥିବା କଥା ରଖିଛି। ନୂଆ ସରକାର ଦାୟିତ୍ୱ ନେବା କ୍ଷଣି ପ୍ରଚାର ବେଳେ କଂଗ୍ରେସ ଦେଇଥିବା ୫ ନିର୍ବାଚନୀ ପ୍ରତିଶ୍ରୁତିକୁ ଲାଗୁ କରିବା ପାଇଁ କ୍ୟାବିନେଟ ଅନୁମତି ଦେଇଛି। ଏ ସଂକ୍ରାନ୍ତରେ ଗୋଟିଏ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ସୂଚନା ଦେଇଛନ୍ତି। 

Advertisment

କର୍ଣ୍ଣାଟକାରେ କଂଗ୍ରେସ ସରକାର ଗଠନ କରିବା ପରେ ଆଜି ପ୍ରଥମ କ୍ୟାବିନେଟ ବୈଠକ ବସିଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ୫ ଗ୍ୟାରେଣ୍ଟିକୁ ଲାଗୁ କରିବାକୁ ଅନୁମତି ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କୁ ବାର୍ଷିକ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

ଆଜି ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ, ଡିକେ ଶିବକୁମାର ଉପ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ୮ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ତୁରନ୍ତ ସମସ୍ତେ ବିଧାନ ସୌଧକୁ ଯାଇ ନୂଆ ସରକାରର ପ୍ରଥମ କ୍ୟାବିନେଟ ବୈଠକ କରିଥିଲେ। କଂଗ୍ରେସ ପୂର୍ବ ପ୍ରତିଶ୍ରୁତି ମୁତାବକ ପ୍ରଥମ କ୍ୟାବିନେଟ ବୈଠକରେ ହିଁ ୫ ଗ୍ୟାରେଣ୍ଟିକୁ ଲାଗୁ କରିବାକୁ ଅନୁମତି ଦେଇଛି। ହେଲେ ଏହାକୁ କେମିତି କାର୍ଯ୍ୟକାରୀ କରାଯିବ, ତା’ର ଖସଡ଼ା ପ୍ରସ୍ତୁତ ହୋଇନି। 

Advertisment

ସିଦ୍ଦରମୈୟା କହିଛନ୍ତି, ରାଜ୍ୟ ସରକାର ପ୍ରଥମେ ଗୃହ ଜ୍ୟୋତି ସ୍କିମ ଲଞ୍ଚ କରିବେ। ଏହି ଯୋଜନାରେ ସମସ୍ତଙ୍କୁ ୨୦୦ ୟୁନିଟ ଯାଏ ବିଜୁଳି ମାଗଣା ମିଳିବ। ଏଥିପାଇଁ ପ୍ରାୟ ୧୨ ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ବର୍ଷକ ମଧ୍ୟରେ ୫୦ ହଜାର କୋଟି ଟଙ୍କା ରାଜସ୍ୱ ପାଇବା ଆଦୌ ବଡ଼ କଥା ନୁହେଁ। 

ମହିଳାମାନଙ୍କୁ ମାସିକ ୨ ହଜାର ଟଙ୍କା ଭତ୍ତା ଗୃହ ଲକ୍ଷ୍ମୀ ଯୋଜନାରେ ମିଳିବ। ଏହାକୁ ଆମେ ଶୀଘ୍ର ଲାଗୁ କରିବୁ। ଏହି ଯୋଜନାରେ କେତେ ଟଙ୍କା ଖର୍ଚ୍ଚ ହେବ, ତା’ ଉପରେ କାମ ଚାଲିଛି। ଆସନ୍ତା କ୍ୟାବିନେଟ ବୈଠକ ପରେ ଏହି ଯୋଜନା ସମ୍ପର୍କରେ ବିସ୍ତୃତ ତଥ୍ୟ ଦିଆଯିବ। 

୧୮ରୁ ୨୫ ବର୍ଷ ବୟସ ମଧ୍ୟରେ ଥିବା ଗ୍ରାଜ୍ୟୁଏଟ ମାନଙ୍କୁ ମାସିକ ୩ ହଜାର ଓ ଡିପ୍ଲୋମାଧାରୀଙ୍କୁ ମାସିକ ୧୫ଶହ ଟଙ୍କାର ଭତ୍ତା ଦିଆଯିବ। ଏହି ଯୋଜନାକୁ ଚଳିତ ଶିକ୍ଷା ବର୍ଷରୁ ଲାଗୁ କରାଯିବ। 

ମହିଳାମାନଙ୍କୁ ସକ୍ଷୀ ଯୋଜନାରେ ମାଗଣା ବସ୍‌ ଯାତ୍ରାର ସୁବିଧା ମିଳିବ। ଏନେଇ ମହିଳାମାନଙ୍କୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପାସ୍‌ ଦିଆଯିବ। କେବଳ କାନ୍ନାଡିଗାସ ବା କର୍ଣ୍ଣାଟକାବାସୀଙ୍କୁ ମିଳିବ। ବାହାର ମହିଳାଙ୍କୁ ମିଳିବନି। ଏଥିପାଇଁ ଯେତେ ଟଙ୍କା ଖର୍ଚ୍ଚ ହେଲେ ମଧ୍ୟ କାର୍ଯ୍ୟକାରୀ କରାଯିବ। 

ଏହି ସବୁ ଯୋଜନା ଓ ଗ୍ୟାରେଣ୍ଟି ସମ୍ପର୍କରେ ବିସ୍ତୃତ ତଥ୍ୟ ଆସନ୍ତା କ୍ୟାବିନେଟ ବୈଠକ ପରେ ସମସ୍ତେ ଜାଣି ପାରିବେ। ଆମେ ସବୁ ତଥ୍ୟ ଦେବୁ। କେଉଁ ଯୁବଗୋଷ୍ଠୀ ବେକାରୀ ତାଲିକାରେ ରହିବେ ଓ କେଉଁମାନେ ଯୋଜନାରେ ସାମିଲ ହେବ, ତା’ ଉପରେ କାମ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

ବୈଠକ ପରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି, “ସମସ୍ତେ ରାଜି। ଆମେ ଆମ ପ୍ରତିଶ୍ରୁତିରୁ ଓହରିବୁ ନାହିଁ। ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରାଯିବ। ନିର୍ବାଚନ ବେଳେ ଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ବାର୍ଷିକ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଛି।

ଆଜିର ବୈଠକରେ ୫ ଗ୍ୟାରେଣ୍ଟିକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ପାରିତ କରାଯାଇଛି। ନିର୍ବାଚନ ପୂର୍ବରୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରାଯିବ। ରାଜ୍ୟର ଋଣ ଭାର ନ ବଢ଼ାଇ ଓ ରାଜ୍ୟକୁ ଦେବାଳିଆ ସ୍ଥିତିକୁ ନ ନେଇ ସମସ୍ତ ଗ୍ୟାରେଣ୍ଟି ସ୍କିମ ଲାଗୁ ହେବ।

ଯେତେବେଳେ ଆମେ ଋଣ ବାବଦ ସୁଧ ପାଇଁ ବର୍ଷକୁ ୫୬ ହଜାର କୋଟି ଟଙ୍କାର ଦେଉଛୁ ସେତେବେଳେ କ’ଣ ଲୋକଙ୍କ ପାଇଁ ୫୦ ହଜାର କୋଟି ଟଙ୍କା ଦିଆଯାଇ ପାରିବ ନାହିଁ? ଆମେ ଆଜିର ବୈଠକରେ ପ୍ରତିଶ୍ରୁତିକୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛୁ। ଏହା କେମିତି କାର୍ଯ୍ୟକାରୀ ହେବ, ତା’ର ବିସ୍ତୃତ ତଥ୍ୟ ସପ୍ତାହକ ମଧ୍ୟରେ ବସିଥିବାକୁ ଥିବା କ୍ୟାବିନେଟ ବୈଠକ ପରେ ସମସ୍ତଙ୍କୁ ଅବଗତ କରାଯିବ। ଏ ସମ୍ପର୍କରେ ନିର୍ଦ୍ଦେଶନାମା ଜାରି କରିବାକୁ ମୁଁ କହି ସାରିଛି। ଯାହା ବି ଆର୍ଥିକ ଚାପ ପଡ଼ୁ, ଆମେ ଆମର ୫ ଗ୍ୟାରେଣ୍ଟିକୁ କାର୍ଯ୍ୟକାରୀ କରିବୁ।”

କଂଗ୍ରେସ ତା’ର ନିର୍ବାଚନ ଇସ୍ତାହାରରେ ୫ ବଡ଼ ପ୍ରତିଶ୍ରୁତି ଦେଇଥିଲା। ସେଗୁଡ଼ିକ ହେଲା- ଗୃହ ଜ୍ୟୋତି ଯୋଜନାରେ ସମସ୍ତଙ୍କୁ ୨୦୦ ୟୁନିଟ ଯାଏ ମାଗଣା ବିଜୁଳି, ଗୃହ ଲକ୍ଷ୍ମୀ ଯୋଜନାରେ ପ୍ରତି ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨ ହଜାର ଟଙ୍କାର ଭତ୍ତା, ଅନ୍ନ ଭାଗ୍ୟ ଯୋଜନାରେ ପ୍ରତି ବିପିଏଲ ପରିବାରର ସଦସ୍ୟଙ୍କୁ ୧୦ କେଜି ଲେଖାଏ ଚାଉଳ, ୧୮ରୁ ୨୫ ବର୍ଷ ବୟସ ମଧ୍ୟରେ ଥିବା ଗ୍ରାଜ୍ୟୁଏଟ ମାନଙ୍କୁ ମାସିକ ୩ ହଜାର ଓ ଡିପ୍ଲୋମାଧାରୀଙ୍କୁ ମାସିକ ୧୫ଶହ ଟଙ୍କାର ଭତ୍ତା ଏବଂ ମହିଳାମାନଙ୍କୁ ସକ୍ଷୀ ଯୋଜନାରେ ମାଗଣା ବସ୍‌ ଯାତ୍ରାର ସୁବିଧା ମିଳିବ। ଏହି ୫ ପ୍ରତିଶ୍ରୁତିକୁ ଦଳ କ୍ଷମତାକୁ ଆସିବାର ପ୍ରଥମ ଦିନରେ ହିଁ କାର୍ଯ୍ୟକାରୀ କରିବ ବୋଲି କହିଥିଲା। ଏବେ ପ୍ରଥମ କ୍ୟାବିନେଟରେ ଏହାକୁ ପାଳନ କରିବାକୁ ନିର୍ଦ୍ଦଶ ଦିଆଯାଇଛି।

ଅନ୍ୟପକ୍ଷରେ କର୍ଣ୍ଣାଟକା ବିଧାନସଭା ଅଧିବେଶନ ସୋମବାର, ମଙ୍ଗଳବାର ଓ ବୁଧବାର ଅନୁଷ୍ଠିତ ହେବ। ବରିଷ୍ଠ ବିଧାୟକ ଆରବି ଦେଶପାଣ୍ଡେଙ୍କୁ ପୋରଟମ ବାଚସ୍ପତି ଭାବେ କାମ କରିବାକୁ କୁହାଯାଇଛି। ସେ ବିଧାୟକମାନଙ୍କ ଶପଥ ପାଠ କରାଇବେ। ୩ ଦିନିଆ ଅଧିବେଶନରେ ବାଚସ୍ପତିଙ୍କୁ ମଧ୍ୟ ଚୟନ କରାଯିବ। 

Congress Karnataka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe