Advertisment

ରାହୁଲଙ୍କ ପାଇଁ ଦେଶବ୍ୟାପୀ ‘ଗଣତନ୍ତ୍ର ବଞ୍ଚାଅ’ ଅଭିଯାନ ଆରମ୍ଭ କରିବ କଂଗ୍ରେସ

ରାହୁଲ ଗାନ୍ଧିଙ୍କ ସପକ୍ଷରେ କଂଗ୍ରେସ ପକ୍ଷରୁ ସମଗ୍ର ଦେଶରେ ‘ଗଣତନ୍ତ୍ର ବଞ୍ଚାଅ’ ଅଭିଯାନ କରାଯିବ।

author-image
Hemant Lenka
Congress

Congress

ରାହୁଲ ଗାନ୍ଧିଙ୍କ ସଦସ୍ୟ ପଦ ରଦ୍ଦ ହେବା ପରେ ବିଜେପି ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଇଛି କଂଗ୍ରେସ। ରାହୁଲ ଗାନ୍ଧିଙ୍କ ସପକ୍ଷରେ କଂଗ୍ରେସ ପକ୍ଷରୁ ସମଗ୍ର ଦେଶରେ ‘ଗଣତନ୍ତ୍ର ବଞ୍ଚାଅ’ ଅଭିଯାନ କରାଯିବ। ଆଜି ଲୋକସଭା ସଚିବାଳୟ ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ କରିଥିଲେ।

Advertisment

ଗୁରୁବାର ସୁରତ କୋର୍ଟ ତାଙ୍କୁ ଅପରାଧିକ ମାନହାନୀ ମାମଲାରେ ୨ ବର୍ଷ ଜେଲଦଣ୍ଡ ଶୁଣାଇବା ପରେ ଆଜି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ତେବେ କଂଗ୍ରେସ ଏହାକୁ ଗଣତନ୍ତ୍ର ହତ୍ୟା ବୋଲି କହି କେନ୍ଦ୍ର ଓ ବିଜେପି ଉପରେ ବର୍ଷିଛି।

ଆଗାମୀ ରଣନୀତି ପ୍ରସ୍ତୁତ କରିବା ପାଇଁ ଆଜି ସନ୍ଧ୍ୟାରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ, ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ରା, ପି ଚିଦାମ୍ବରମଙ୍କ ସମେତ ବରିଷ୍ଠ ନେତା ଓ ସାଂସଦମାନେ ଯୋଗ ଦେଇଥିଲେ। ବୈଠକରେ କଂଗ୍ରେସ ସମଗ୍ର ଦେଶରେ ଗଣତନ୍ତ୍ର ବଞ୍ଚାଅ ଆନ୍ଦୋଳନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି।

Advertisment

ବୈଠକ ପରେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, “ଆମେ ରାହୁଲ ଗାନ୍ଧିଙ୍କ ସଭ୍ୟ ପଦ୍ଦ ରଦ୍ଦକୁ ନେଇ ରାଜନୀତିକ ରଣନୀତି ସମ୍ପର୍କରେ ଆଲୋଚନା କରିଛୁ। ଅଭିଷେକ ମନୁସିଙ୍ଘଭୀ ଆଇନଗତ ରଣନୀତି ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ଆଗାମୀ ଦିନରେ ଆମେ ପୂରା ଦେଶରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛୁ।” ସବୁ ବିରୋଧୀ କଂଗ୍ରେସକୁ ସମର୍ଥନ କରିଥିବାରୁ ଏହାକୁ ଦଳ ସ୍ୱାଗତ କରିଛି। ଏଥିସହ ବ୍ୟବସ୍ଥିତ ବିରୋଧୀ ଏକତା କଥା ମଧ୍ୟ କହିଛି।

ରାହୁଲ ଗାନ୍ଧିଙ୍କୁ ସମସ୍ତ କଂଗ୍ରେସ ସାଂସଦ ଓ ବିଧାୟକଙ୍କ ସମେତ ଆଞ୍ଚଳିକ ଦଳର ନେତାମାନେ ସମର୍ଥନ କରିଛନ୍ତି। ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିୱାଲ, ଉଦ୍ଧବ ଠାକରେ, ଏମକେ ଷ୍ଟାଲିନ, କେସିଆର ଓ ଅଖିଲେଶ ଯାଦବଙ୍କ ଭଳି ନେତାମାନେ ଖୋଲାଖୋଲି ଭାବେ କେନ୍ଦ୍ର ସରକାରଙ୍କୁ ବିରୋଧ କରିଛନ୍ତି। ଏଥିସହ ବିଜେପି ସରକାର ଏକଛତ୍ରବାଦୀ ଶାସନ ଚଳାଇଥିବା ମଧ୍ୟ ସେମାନେ କହିଛନ୍ତି।

ଜୟରାମ କହିଛନ୍ତି, “ସମସ୍ତ ବିରୋଧୀ ଦଳର ନେତାମାନେ ଦେଇଥିବା ବୟାନକୁ କଂଗ୍ରେସ ସ୍ୱାଗତ କରୁଛି। ଆମେ ଏବେ ବିରୋଧୀ ଏକତାକୁ ବ୍ୟବସ୍ଥିତ ଢଙ୍ଗରେ ଆଗକୁ ନେବୁ। କଂଗ୍ରେସ ସଭାପତି ପ୍ରତିଦିନ ବିରୋଧୀ ଦଳଗୁଡ଼ିକ ସହ ଯୋଗାଯୋଗରେ ଅଛନ୍ତି। ସଂସଦ ଭିତରେ ସବୁ କିଛି ହେଉଥିଲା। ଏବେ ବାହାରେ ମଧ୍ୟ ଏହା ଦେଖିବାକୁ ମିଳିବ।”

ରାହୁଲ ଗାନ୍ଧିଙ୍କ ସଦସ୍ୟତା ପଦ ରଦ୍ଦ ହେବା ପରେ ଏହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ବିବାଦ ମଧ୍ୟରେ ରାହୁଲ ଗାନ୍ଧି ଟ୍ୱିଟ କରି ଦେଶର ସ୍ୱର ପାଇଁ ଲଢ଼େଇ କରିବେ ଓ ଏଥିପାଇଁ ସବୁ ପ୍ରକାରର ମୂଲ୍ୟ ଦେବାକୁ ସେ ପ୍ରସ୍ତୁତ ଥିବା କହିଛନ୍ତି।

Rahul Gandhi Sonia Gandhi Congress Mallikarjun Kharge