Advertisment

କଂଗ୍ରେସକୁ ଅଡ଼ୁଆ ଆପଣା ବିଧାୟକ!

ସରକାରଙ୍କ ବିପକ୍ଷରେ ଦୁର୍ନୀତି, ପ୍ରଶାସନିକ ଅପାରଗତା ଓ ଅନ୍ୟାନ୍ୟ ଅଭିଯୋଗ ଆଣିଛନ୍ତି ତାଙ୍କ ନିଜ ବିଧାୟକ। ଫଳରେ ଏହା ଉଭୟ ସରକାର ଓ ଦଳର ଚିନ୍ତା ବଢ଼ାଇଛି।

author-image
Jitendra Garnayak
Chief Minister Siddaramaiah and his deputy DK Shivakumar

Chief Minister Siddaramaiah and his deputy DK Shivakumar

କର୍ଣ୍ଣାଟକାର କଂଗ୍ରେସ ସରକାରରେ ସବୁ କିଛି ଠିକ୍‌ଠାକ ଚାଲି ନାହିଁ। ନେତୃତ୍ୱ ପରିବର୍ତ୍ତନ ନେଇ ବହୁ ଦିନରୁ ଚର୍ଚ୍ଚା ହେଉଥିବା ବେଳେ ୟା ଭିତରେ ସରକାରଙ୍କ ବିପକ୍ଷରେ ଦୁର୍ନୀତି, ପ୍ରଶାସନିକ ଅପାରଗତା ଓ ଅନ୍ୟାନ୍ୟ ଅଭିଯୋଗ ଆଣିଛନ୍ତି ତାଙ୍କ ନିଜ ବିଧାୟକ। ଫଳରେ ଏହା ଉଭୟ ସରକାର ଓ ଦଳର ଚିନ୍ତା ବଢ଼ାଇଛି। ଏହି ସମସ୍ୟାର ସମାଧାନ ପାଇଁ ଆସନ୍ତାକାଲି କଂଗ୍ରେସ ମହାସଚିବ ରଣଦୀପ ସିଂହ ସୁରଜେୱାଲା ଦୁଇ ଦିନିଆ ଗସ୍ତରେ ବେଙ୍ଗାଲୁରୁରେ ଆସିବେ।

Advertisment

ଏହି ଗସ୍ତ ପୂର୍ବରୁ ସୁରଜେୱାଲା ଏକାଧିକ ଥର ବୈଠକ କରିଥିଲେ, ଯେଉଁଥିରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଅସନ୍ତୁଷ୍ଟ କଂଗ୍ରେସ ବିଧାୟକମାନଙ୍କୁ ଭେଟିଥିଲେ। ସେହି ବିଧାୟକମାନେ ନିଜ ସରକାର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି।

ଗୃହ ନିର୍ମାଣ ବିଭାଗରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ବିଧାୟକ ବିଆର ପାଟିଲ ଅଭିଯୋଗ କରିଥିବା ବେଳେ ବିଧାୟକ ରାଜୁ କାଗେ ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ ପ୍ରଶାସନିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି।

Advertisment

ସେମାନଙ୍କ ଭଳି ଆଉ କିଛି ଦଳୀୟ ବିଧାୟକ ମଧ୍ୟ ଏପରି ଅଭିଯୋଗମାନ ଆଣିଛନ୍ତି। ଫଳରେ ସରକାରଙ୍କୁ ଟାର୍ଗେଟ କରିବାକୁ ବିରୋଧୀ ବିଜେପି ଓ ଜେଡି (ଏସ୍‌)କୁ ଏକ ସୁଯୋଗ ମିଳିଯାଇଛି। ସେମାନେ ଗୃହ ବଣ୍ଟନ ଦୁର୍ନୀତି ନେଇ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଗୃହ ନିର୍ମାଣ ମନ୍ତ୍ରୀ ଜମୀର ଅହମଦ ଖାନଙ୍କ ଇସ୍ତଫା ଦାବି କରୁଛନ୍ତି।

ଅନ୍ୟପକ୍ଷରେ ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ବୁଧବାର ଉଭୟ ବିଧାୟକ ବିଆର ପାଟିଲ ଓ ରାଜୁ କାଗେଙ୍କୁ ସାକ୍ଷାତ କରି ସେମାନେ ଉଠାଇଥିବା ପ୍ରସଙ୍ଗର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସୂଚନା ଅନୁଯାୟୀ, ବେଙ୍ଗାଲୁରୁରେ ସୁରଜେୱାଲା ଦଳର ସେହି ବିଧାୟକମାନଙ୍କ ମଧ୍ୟରୁ କିଛି ଜଣଙ୍କ ସହିତ ୱାନ୍‌-ଟୁ-ୱାନ୍‌ ଆଲୋଚନା କରିବେ। କାରଣ ସର୍ବସାଧାରଣରେ ସେମାନଙ୍କ ମନ୍ତବ୍ୟ ଉଭୟ ଦଳ ଓ ସରକାରଙ୍କୁ ଅଡ଼ୁଆରେ ପକାଉଛି। ତା’ସହିତ କର୍ଣ୍ଣାଟକା କଂଗ୍ରେସର ଏକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସେହିଭଳି କର୍ଣ୍ଣାଟକାର କଂଗ୍ରେସ ସରକାରର ନେତୃତ୍ୱ ପରିବର୍ତ୍ତନକୁ ନେଇ ଯେଉଁ ଚର୍ଚ୍ଚା ହେଉଛି, ତା’ ବିଷୟରେ ମଧ୍ୟ ଆଲୋଚନା କରିବେ କଂଗ୍ରେସ ମହାସଚିବ ସୁରଜେୱାଲା। ଯାହା ଜଣାପଡ଼ିଛି ଏହି ପ୍ରସଙ୍ଗରେ ସର୍ବସାଧାରଣରେ କୌଣସି ମନ୍ତବ୍ୟ ନଦେବା ପାଇଁ ଦଳୀୟ ନେତାଙ୍କୁ ସୁରଜେୱାଲା କଡ଼ା ବାର୍ତ୍ତା ଦେଇପାରନ୍ତି।

ନିକଟରେ କଂଗ୍ରେସ ବିଧାୟକ ଏଚ୍‌ଏ ଇକବାଲ ହୁସେନ କହିଥିଲେ ଯେ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ହେବାର ପ୍ରବଳ ସମ୍ଭାବନା ରହିଛି। ହାଇକମାଣ୍ଡ ମୁଣ୍ଡରେ ଏହି କଥା ରହିଛି। ଯଥା ସମୟରେ ହାଇକମାଣ୍ଡ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ସୁଯୋଗ ଦେବେ। ଚଳିତ ବର୍ଷ ଏହା ହୋଇଯିବାର ସମ୍ଭାବନା ରହିଛି। ସବୁ ନେତା ବଡ଼ ରାଜନୀତିକ ପରିବର୍ତ୍ତନ ହେବ ବୋଲି ଆଲୋଚନା କରୁଛନ୍ତି। ମୁଁ ଏହି କଥାକୁ ସିଧାସଳଖ କହି ଦେଉଛି। ଦୁଇ ତିନି ମାସ ଭିତରେ ଏନେଇ ନିଷ୍ପତ୍ତି ହେବ।

Congress