Advertisment

ପବନ ଖେଡାଙ୍କୁ ବିମାନରୁ ଓହ୍ଲାଇ ଦେଲା ଇଣ୍ଡିଗୋ, ରନୱେ ନିକଟରେ କଂଗ୍ରେସର ବିକ୍ଷୋଭ

ବରିଷ୍ଠ କଂଗ୍ରେସ ନେତା ପବନ ଖେଡା ଦିଲ୍ଲୀରୁ ଛତିଶଗଡ଼ର ରାୟପୁର ଯିବାକୁ ଚାହୁଁଥିବା ବେଳେ ତାଙ୍କୁ ବିମାନରୁ ଓହ୍ଲାଇ ଦେଇଛି ଇଣ୍ଡିଗୋ ଏୟାରଲାଇନ୍ସ।

author-image
Hemant Lenka
ଅଦ୍ୟତନ ହୋଇଛି
Indigo

Indigo

ଦିଲ୍ଲୀ ଏୟାରପୋର୍ଟରେ ଆଜି ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଛି। ବରିଷ୍ଠ କଂଗ୍ରେସ ନେତା ପବନ ଖେଡା ଦିଲ୍ଲୀରୁ ଛତିଶଗଡ଼ର ରାୟପୁର ଯିବାକୁ ଚାହୁଁଥିବା ବେଳେ ତାଙ୍କୁ ବିମାନରୁ ଓହ୍ଲାଇ ଦେଇଛି ଇଣ୍ଡିଗୋ ଏୟାରଲାଇନ୍ସ। ହଠାତ୍‌ ପବନ ଖେଡାଙ୍କ ସହ ବିମାନ କର୍ତ୍ତୃପକ୍ଷ ଏପରି ଆଚରଣ କରିଥିବାରୁ ଏହାକୁ ବିରୋଧ କରି କଂଗ୍ରେସ ନେତାମାନେ ରନୱେ ନିକଟରେ ହିଁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Advertisment

ଆଜି ସକାଳୁ ପବନ ଖେଡାଙ୍କ ସମେତ କଂଗ୍ରେସର ଆଉ କିଛି ନେତା ଦିଲ୍ଲୀରୁ ରାୟପୁର ଯିବାର ଥିଲା। ସେଠାରେ ଦଳର ପୂର୍ଣ୍ଣ ସମାବେଶ ଆରମ୍ଭ ହେବାକୁ ଥିବାରୁ ଏମାନେ ଯାଉଥିଲେ। ପବନ ଖେଡାଙ୍କ ପାଖରେ ବୋର୍ଡିଂ ପାସ୍‌ ଥିଲେ ମଧ୍ୟ ତାଙ୍କୁ ଇଣ୍ଡିଗୋ କର୍ତ୍ତୃପକ୍ଷ ବିମାନରୁ ବଳପୂର୍ବକ ବାହାର କରି ଦେଇଥିଲେ। ଏହା ଦେଖି ଅନ୍ୟ କଂଗ୍ରେସର ଅନ୍ୟ ନେତାମାନେ ବିମାନରୁ ଓହ୍ଲାଇ ପଡ଼ିଥିଲେ। ବିମାନ କମ୍ପାନୀର ଏପରି ଆଚରଣକୁ ବିରୋଧ କରି ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ପବନ ଖେଡା କହିଛନ୍ତି, “ମୋ ବ୍ୟାଗରେ ସମସ୍ୟା ଥିବା ପ୍ରଥମେ ମୋତେ କୁହାଯାଇଥିଲା। ତେବେ ମୁଁ କେବଳ ଗୋଟିଏ ହ୍ୟାଣ୍ଡ ବ୍ୟାଗ ରଖିଥିବା ସେମାନଙ୍କୁ କହିଥିଲି। ଏହାପରେ ସେମାନେ କହିଥିଲେ ଯେ ମୋତେ ଉଡ଼ାଣ ପାଇଁ ଅନୁମତି ନାହିଁ। ତା’ପରେ କହିଥିଲେ ଡିସିପି ଆପଣଙ୍କୁ ଭେଟିବେ। ଏଠାରେ ମୁଁ ଏଠାରେ ଦୀର୍ଘ ସମୟ ହେଲା ଅପେକ୍ଷା କରିଛି। ହେଲେ କାହାର ଦେଖାନାହିଁ। ଏଠାରେ ଆଇନ ଶୃଙ୍ଖଳା ସ୍ଥିତି ଭୁଶୁଡ଼ି ପଡ଼ିଛି।”

Advertisment

କଂଗ୍ରେସର ଅନ୍ୟ ନେତାମାନେ ରନୱେ ନିକଟରେ ବିକ୍ଷୋଭ କରିବା ସହ ବିମାନକୁ ଲାଗି ରହି ବିଭିନ୍ନ ପ୍ରକାରର ନାରାବାଜୀ କରିଛନ୍ତି। କଂଗ୍ରେସ କହିଛି ଯେ ବିନା ୱାରେଣ୍ଟରେ ପବନ ଖେଡାଙ୍କୁ ଅଟକା ଯାଇଛି। ଆସାମ ପୁଲିସ୍‌ର ଗୋଟିଏ ଟିମ ତାଙ୍କୁ ଗିରଫ କରିବାକୁ ଏୟାରପୋର୍ଟକୁ ଆସିଛି। ଏହା ସରକାରର ଅତ୍ୟାଚାର ଛଡ଼ା ଆଉ କିଛି ନୁହେଁ ବୋଲି ଦଳର ନେତ୍ରୀ ସୁପ୍ରିୟା ସ୍ରିନେଟ କହିଛନ୍ତି।

ଇଣ୍ଡିଗୋ ଏୟାରଲାଇନ୍ସର ଜଣେ ଅଧିକାରୀ କହିଛନ୍ତି ପବନ ଖେଡାଙ୍କୁ ଉଡ଼ାଣ ପାଇଁ ଅନୁମତି ଦେବାକୁ ସେମାନଙ୍କୁ ବାରଣ କରାଯାଇଛି। ତାଙ୍କ ନାଁରେ ମାମଲା ରହିଛି। ତେଣୁ ଆମେ ତାଙ୍କୁ ଉଡ଼ାଣ ପାଇଁ ଅନୁମତି ଦେଇନାହିଁ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାମ୍ବାଦିକ ସମ୍ମିଳନୀରେ ଅପମାନିତ କରିଥିବାରୁ ବିଜେପି ପବନ ଖେଡାଙ୍କ ଗିରଫଦାରୀ ନେଇ ଦାବି କରିଛି। ବିଜେପିର ଜଣେ ନେତା ମଧ୍ୟ ପୁଲିସ୍‌ରେ ଏନେଇ ଅଭିଯୋଗ କରିଛନ୍ତି।

ନିକଟରେ ଶ୍ରୀ ଖେଡା ଗୋଟିଏ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ ଗୌତମ ଆଦାନୀ ପ୍ରସଙ୍ଗ ଉଠାଇ ଜେପିସି ତଦନ୍ତ ଦାବି କରିଥିଲେ। ସେ କହିଥିଲେ ଯେ “ଯଦି ନରସୀମା ରାଓ ଜେପିସି ଗଠନ କରିପାରିବେ, ଯଦି ଅଟଳ ବିହାରୀ ବାଜପେୟୀ ଜେପିସି ତଦନ୍ତ କରିପାରିବେ, ତେବେ ନରେନ୍ଦ୍ର ଗୌତମ ଦାସ ମୋଦି କାହିଁକି ଜେପିସି ତଦନ୍ତ ପାଇଁ କରି ପାରିବେ ନାହିଁ। ସରି, ଦାମୋଦର ଦାସ ମୋଦିଙ୍କ ଜେପିସି ତଦନ୍ତରେ ସମସ୍ୟା କ’ଣ?” ଏପରି କି ମୋଦିଙ୍କ ମଧ୍ୟମ ନାଁ କ’ଣ ବୋଲି ସେ ତାଙ୍କର ଜଣେ ସହଯୋଗୀଙ୍କୁ ସ୍ମିତ ହାସ୍ୟ ଦେଇ ପଚାରିଥିଲେ।

ପବନ ଖେଡା ନରେନ୍ଦ୍ର ମୋଦିଙ୍କ ମଧ୍ୟମ ନାଁ ଭୁଲି ଯାଇଥିବାରୁ ଏପରି କହିଥିବା ଚର୍ଚ୍ଚା ହେଉଥିଲା। ହେଲେ ବିଜେପି ପାଲଟା ଅଭିଯୋଗ କରି ଶ୍ରୀ ଖେଡା ଜାଣିଶୁଣି ମୋଦିଙ୍କୁ ଅପମାନିତ କରିବା ପାଇଁ ଗୌତମ ଦାସ କହିଥିବା ଅଭିଯୋଗ କରିଛି।

Bjp Congress Delhi Police Indigo Airlines