ଅତିକ ଅହମଦଙ୍କ କବର ଉପରେ ତ୍ରିରଙ୍ଗା ପକାଇ ବିଦା ହେଲେ କଂଗ୍ରେସ ନେତା, ମାମଲା ରୁଜୁ

ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ ନେତା ରାଜ କୁମାର ସିଂହ ‘ରାଜୁ’ଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ କରାଯାଇଛି। ତ୍ରିରଙ୍ଗାକୁ ଅପମାନିତ କରିଥିବାରୁ ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି।

ବିଦା ହୋଇଥିବା କଂଗ୍ରେସ ନେତା ରାଜୁ (ଫାଇଲ ଫଟୋ)

  • Published: Wednesday, 19 April 2023
  • , Updated: 19 April 2023, 09:17 PM IST

ଗ୍ୟାଙ୍ଗଷ୍ଟରରୁ ରାଜନେତା ବିନିଥିବା ଅତିକ ଅହମଦଙ୍କ କବର ଉପରେ ତ୍ରିରଙ୍ଗା ପକାଇଛନ୍ତି ଜଣେ କଂଗ୍ରେସ ନେତା। ସେ କବର ଉପରେ ତ୍ରିରଙ୍ଗା ପକାଇବା ସହ ଏହାକୁ ସାଲ୍ୟୁଟ ମଧ୍ୟ କରିଛନ୍ତି। ଏହାର ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ ନେତା ରାଜ କୁମାର ସିଂହ ‘ରାଜୁ’ଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ କରାଯାଇଛି। ତ୍ରିରଙ୍ଗାକୁ ଅପମାନିତ କରିଥିବାରୁ ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି। ପୁଲିସ୍‌ ତାଙ୍କୁ ଅଟକ ରଖିଛି। 

ସାମ୍ନାକୁ ଆସିଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ଉତ୍ତର ପ୍ରଦେଶର ପ୍ରୟାଗରାଜ ସ୍ଥିତ କବରସ୍ଥାନରେ ରାଜୁ ପହଞ୍ଚିଥିଲେ। ତାଙ୍କ ହାତରେ ଗୋଟିଏ ତ୍ରିରଙ୍ଗା ରହିଥିଲା। ସେ ଅତିକଙ୍କ କବର ପାଖକୁ ଯିବା ସହ ତାଙ୍କୁ ସହିଦର ଆଖ୍ୟା ଦେଇଥିଲେ। ଏଥିସହ ତାଙ୍କ କବରରେ ତ୍ରିରଙ୍ଗା ଘୋଡ଼ାଇ ସାଲ୍ୟୁଟ ମାରିଥିଲେ।

ଏହାପରେ ତାଙ୍କୁ ଭାରତ ରତ୍ନ ଦେବାକୁ ମଧ୍ୟ ସେ ଦାବି କରିଥିଲେ। ଭିଡିଓ ପରେ କଂଗ୍ରେସ ତୁରନ୍ତ ରାଜୁଙ୍କୁ ଦଳରୁ ୬ ବର୍ଷ ପାଇଁ ନିଲମ୍ବିତ କରିଛି। ଏ ସମ୍ପର୍କରେ ପ୍ରୟାଗରାଜ କଂଗ୍ରେସ କମିଟି ପକ୍ଷରୁ ଗୋଟିଏ ବିବୃତି ଜାରି କରାଯାଇଛି।

ଏଥିରେ କୁହାଯାଇଛି ଯେ ଆଗାମୀ ପୌର ନିର୍ବାଚନ ପାଇଁ କଂଗ୍ରେସର ଆଜାଦ ଛକ ୱାର୍ଡ ନଂ ୪୩ର ପ୍ରାର୍ଥୀ ରାଜ କୁମାର ସିଂହ ‘ରାଜୁ’ଙ୍କୁ ୬ ବର୍ଷ ପାଇଁ ନିଲମ୍ବିତ କରାଯାଉଛି। ଅତିକ ଅହମଦଙ୍କ ସମ୍ପର୍କରେ ସେ ଦେଇଥିବା ବୟାନ ତାଙ୍କର ବ୍ୟକ୍ତିଗତ ମତ। ତାଙ୍କର ଏପରି ଆଚରଣ ପାଇଁ ତାଙ୍କ ପ୍ରାର୍ଥୀତ୍ୱକୁ ଦଳକ ପକ୍ଷରୁ ବାତିଲ କରାଯାଉଛି। ସେ ଆଉ କଂଗ୍ରେସର ପ୍ରାର୍ଥୀ ନୁହନ୍ତି ବୋଲି ଦଳ କହିଛି।

ଭିଡିଓ ଭାଇରାଲ ପରେ ପୁଲିସ୍‌ ତାଙ୍କୁ ନିଜ ହେପାଜତକୁ ନେଇଛି ଓ ତାଙ୍କ ନାଁରେ ଏଫଆଇଆର ରୁଜୁ କରାଯାଇଛି।

ଏପ୍ରିଲ ୧୫ରେ ଅତିକ ଓ ଅଶରଫ ପୁଲିସ ସୁରକ୍ଷା ବଳୟ ମଧ୍ୟରେ ପ୍ରୟାଗରାଜର ଗୋଟିଏ ହସ୍ପିଟାଲକୁ ଚେକଅପ ପାଇଁ ଯାଉଥିଲେ। ଏହି ସମୟରେ ସାମ୍ବାଦିକ ବେଶରେ ୩ ଜଣ ଯୁବକ ସେମାନଙ୍କ ପାଖରେ ପହଞ୍ଚିବା ସହ ପଏଣ୍ଟ ବ୍ଲାଙ୍କରୁ ଗୁଳି କରି ଉଭୟଙ୍କୁ ହତ୍ୟା କରିଥିଲେ। ଅତିକ ଓ ଅଶରଫଙ୍କୁ କସାରି ମଜାରି କବରସ୍ଥାନରେ କବର ଦିଆଯାଇଥିଲା। ଗୁଳି ମାଡ଼ କରିଥିବା ୩ ଯୁବକଙ୍କୁ ପୁଲିସ୍‌ ଗିରଫ କରି ଅଧିକ ତଦନ୍ତ ଚଳାଇଛି।

Related story