Advertisment

କେନ୍ଦ୍ରର ଦିଲ୍ଲୀ ଅଧ୍ୟାଦେଶ: ଆପ୍‌କୁ ସମର୍ଥନ କରିବନି କଂଗ୍ରେସ!

ନିଜେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଭିନ୍ନ ବିରୋଧୀ ଦଳର ନେତାଙ୍କୁ ଭେଟି ସମର୍ଥନ ମାଗିଛନ୍ତି। ସମସ୍ତେ କେଜ୍ରିୱାଲଙ୍କୁ ଅଧ୍ୟାଦେଶ ପ୍ରସଙ୍ଗରେ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କଂଗ୍ରେସ ମଧ୍ୟ ରାଜ୍ୟସଭାରେ ଆପର ସମର୍ଥନ କରିବ ବୋଲି କିଛି ଦିନ ତଳେ ରିପୋର୍ଟ ପ୍ରକାଶ ପାଇଥିଲା।

author-image
Hemant Lenka
Mallikarjun Kharge

Mallikarjun Kharge

ଦିଲ୍ଲୀର ପୋଷ୍ଟିଂ ଓ ବଦଳିକୁ କେନ୍ଦ୍ର ସରକାର ଜାରି କରିଥିବା ଅଧ୍ୟାଦେଶ ପ୍ରସଙ୍ଗରେ ଆମ ଆଦମୀ ପାର୍ଟି(ଆପ୍‌)କୁ ମିଳିବନି କଂଗ୍ରେସର ସମର୍ଥନ। କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିଥିବା ବେଳେ ଏହାକୁ ରାଜ୍ୟସଭାରେ ମାତ ଦେବାକୁ ଦିଲ୍ଲୀର କ୍ଷମତାସୀନ ଆପ୍‌ ସବୁ ବିରୋଧୀଙ୍କ ସହଯୋଗ ଲୋଡ଼ିଛି।

Advertisment

ନିଜେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଭିନ୍ନ ବିରୋଧୀ ଦଳର ନେତାଙ୍କୁ ଭେଟି ସମର୍ଥନ ମାଗିଛନ୍ତି। ସମସ୍ତେ କେଜ୍ରିୱାଲଙ୍କୁ ଅଧ୍ୟାଦେଶ ପ୍ରସଙ୍ଗରେ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କଂଗ୍ରେସ ମଧ୍ୟ ରାଜ୍ୟସଭାରେ ଆପର ସମର୍ଥନ କରିବ ବୋଲି କିଛି ଦିନ ତଳେ ରିପୋର୍ଟ ପ୍ରକାଶ ପାଇଥିଲା।

ତେବେ କଂଗ୍ରେସ ଏବେ ନିଜର ଆଭିମୁଖ୍ୟ ବଦଳାଇ ଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଅଧ୍ୟାଦେଶ ପ୍ରସଙ୍ଗରେ ଆପ୍‌କୁ ରାଜ୍ୟସଭାରେ କଂଗ୍ରେସର ସହାୟତା ମିଳିବ ନାହିଁ ବୋଲି ଦଳୀୟ ସୂତ୍ରରୁ ଖବର ମିଳିଛି।

Advertisment

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଆଜି ଅଧ୍ୟାଦେଶ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ କ’ଣ ରହିବ, ସେ ବିଷୟରେ ପଞ୍ଜାବ ଓ ଦିଲ୍ଲୀର ଦଳୀୟ ନେତାଙ୍କ ସହ ଆଲୋଚନା କରିଥିଲେ। ଏହି ମିଟିଂରେ ରାହୁଲ ଗାନ୍ଧି ମଧ୍ୟ ଉପସ୍ଥିତ ଥିଲେ।

ସୂତ୍ର ଅନୁସାରେ ଉଭୟ ରାଜ୍ୟର ନେତାମାନେ ହାଇକମାଣ୍ଡଙ୍କୁ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କୁ ସମର୍ଥନ କରିବାର ଆବଶ୍ୟକ ନାହିଁ। କାରଣ ସେ ବିଜେପିର ବି ଟମ। ଆପ୍‌ କେବଳ ଦିଲ୍ଲୀ କିମ୍ବା ପଞ୍ଜାବରେ ନୁହେଁ, ବରଂ ବିଭିନ୍ନ ରାଜ୍ୟରେ କଂଗ୍ରେସର ସ୍ୱାର୍ଥକୁ କ୍ଷତି ପହଞ୍ଚାଇଛି।

ତେଣୁ ଆପ୍‌କୁ କୌଣସି ପ୍ରକାରର ସମର୍ଥନ କରିବା ଠିକ ନୁହେଁ ବୋଲି ଦଳର ନେତାମାନେ ହାଇକମାଣ୍ତଙ୍କୁ ଜଣାଇ ଦେଇଛନ୍ତି। ଏବେ ହାଇକମାଣ୍ଡ ଏହା ଉପରେ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

କିଛି ଦିନ ତଳେ ଖଡେଗ ଓ ରାହୁଲ ଗାନ୍ଧିଙ୍କୁ ଅଧ୍ୟାଦେଶ ପ୍ରସଙ୍ଗରେ ଭେଟିବା ପାଇଁ କେଜ୍ରିୱାଲ ସମୟ ମାଗିଥିଲେ। ଏହାପରେ ହିଁ ପଞ୍ଜାବ ଓ ଦିଲ୍ଲୀର କଂଗ୍ରେସ ନେତାଙ୍କ ସହ ହାଇକମାଣ୍ଡ ଆଜି ବୈଠକ କରିଛନ୍ତି।

ଆଜି ଖଡଗେ ଓ ରାହୁଲ ଗାନ୍ଧି କେବଳ ପଞ୍ଜାବ ଏବଂ ଦିଲ୍ଲୀର କଂଗ୍ରେସ ନେତାଙ୍କୁ ଭେଟିଛନ୍ତି। ଖୁବଶୀଘ୍ର ଅନ୍ୟ କିଛି ରାଜ୍ୟର ନେତାଙ୍କୁ ମଧ୍ୟ ସେମାନେ ଭେଟିବେ। ଏହାପରେ ଦଳ ଆପ୍‌କୁ ସମର୍ଥନ କରିବ କି ନାହିଁ, ସେନେଇ ବିଧିବଦ୍ଧ ଭାବେ ଘୋଷଣା କରିବ।

ବୈଠକ ପରେ ପଞ୍ଜାବ କଂଗ୍ରେସ ସଭାପତି ଅମରିନ୍ଦ ସିଂହ ରାଜା ୱାର୍ଣ୍ଣିଂ କହିଛନ୍ତି ଯେ “ଅଧ୍ୟାଦେଶ ଓ ଆପ୍‌କୁ ସମର୍ଥନ ସମ୍ପର୍କରେ ଆମେ ଆମର ମତାମତ ହାଇକମାଣ୍ଡଙ୍କ ପାଖରେ ଉପସ୍ଥାପନ କରିଛୁ। ସମସ୍ତ ନେତା ହାଇକମାଣ୍ଡଙ୍କୁ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ କହିଛୁ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡେଗ ସବୁ କିଛି ଘୋଷଣା କରିବେ।”

ସୁପ୍ରିମକୋର୍ଟ ଦିଲ୍ଲୀର ନିର୍ବାଚିତ ସରକାରଙ୍କୁ ପ୍ରଶାସନିକ ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି ଅଧିକାର ଦେଇଥିଲେ। ହେଲେ ଏହାକୁ ଅକାମୀ କରିବା ପାଇଁ ହଠାତ୍‌ କେନ୍ଦ୍ର ସରକାର ଗୋଟିଏ ଅଧ୍ୟାଦେଶ ଜାରି କରିଛନ୍ତି। ନିର୍ବାଚିତ ସରକାର ନୁହନ୍ତି, ବରଂ ଉପ ରାଜ୍ୟପାଳ ହିଁ ବଦଳି ଓ ପୋଷ୍ଟିଂ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଏହି ଅଧ୍ୟାଦେଶରେ କୁହାଯାଇଛି। ତେଣୁ ଏହାକୁ କେଜ୍ରିୱାଲ ଓ ଆପ ବିରୋଧ କରିବାରେ ଲାଗିଛନ୍ତି।

Congress Delhi AAP