ଘଟଣା ବେଳର ଦୃଶ୍ୟ
କେନ୍ଦ୍ର ସଂସଦୀୟ ମନ୍ତ୍ରୀ କିରଣ ରିଜିଜୁ ଗୁରୁବାର ଅଭିଯୋଗ କରିଛନ୍ତି ଯେ କିଛି କଂଗ୍ରେସ ସାଂସଦ ଲୋକସଭା(Lok Sabha) ବାଚସ୍ପତି ଓମ ବିର୍ଲାଙ୍କ ଚ୍ୟାମ୍ବର ଭିତରକୁ ଧସେଇ ପଶିବା ସହ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଏପରି ତାଙ୍କ ସାମ୍ନାରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଧମକ ଦେଇଥିଲେ। ସଂସଦରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଓ ଶାସକ ଦଳ ମଧ୍ୟରେ ବିବାଦ ଚାଲିଥିବା ବେଳେ ଏପରି ଘଟଣା ଘଟିଥିବା ରିଜିଜୁ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ରିଜିଜୁ ଏପରି ଅଭିଯୋଗ କରିବା ସହ ବାଚସ୍ପତିଙ୍କ ଚ୍ୟାମ୍ବର ଭିତରେ କଂଗ୍ରେସର ମହିଳା ଓ ପୁରୁଷ ସାଂସଦମାନେ କରୁଥିବା ନାରାବାଜୀର ଗୋଟିଏ ଭିଡିଓ ମଧ୍ୟ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଭିଡିଓକୁ ବେଆଇନ ଭାବେ ରେକର୍ଡ କରାଯାଇଥିବା ସେ ଅଭିଯୋଗ କରିବାରୁ ପୁଣି ରାଜନୀତିକ ବାବଦ ବିବାଦ ଦେଖିବାକୁ ମିଳିଛି।
ରିଜିଜୁ ଏକ୍ସରେ ଲେଖିଛନ୍ତି ଯେ “ଏହା ଏକ ବେଆଇନ ଭିଡିଓ କ୍ଲିପ ଯାହାକୁ ଜଣେ କଂଗ୍ରେସ ସାଂସଦ ଉତ୍ତୋଳନ କରିଛନ୍ତି। ୨୦ରୁ ୨୫ ଜଣ ସାଂସଦ ସମ୍ମାନୀୟ ବାଚସ୍ପତିଙ୍କ ଚ୍ୟାମ୍ବରରେ ପ୍ରବେଶ କରିବା ସହ ତାଙ୍କୁ ଦୁର୍ବ୍ୟବହାର କରିଥିଲେ ଓ ସମ୍ମାନୀୟ ପ୍ରଧାନମନ୍ତ୍ରୀଙ୍କୁ ଧମକ ଦେଇଥିଲେ। ସେହି ସମୟରେ ଏହାକୁ ରେକର୍ଡ କରାଯାଇଛି। ଆମ ଦଳ ବିତର୍କ ଓ ଆଲୋଚନାରେ ବିଶ୍ୱାସ କରେ। ଆମ ଦଳ କେବେ ହେଲେ ସାଂସଦମାନଙ୍କୁ ଶାରୀରିକ ଧମକ ଦେବାକୁ ଉତ୍ସାହିତ କରେନାହିଁ।”
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକାଧିକ ମହିଳା ଓ ପୁରୁଷ କଂଗ୍ରେସ ସାଂସଦ ବାଚସ୍ପତିଙ୍କ ଚ୍ୟାମ୍ବରରେ ରହିଛନ୍ତି। ଚ୍ୟାମ୍ବରରେ ଥିବା ବ୍ୟକ୍ତିବିଶେଷଙ୍କ ସହ ସେମାନେ ଜୋରଦାର ଯୁକ୍ତିତର୍କ କରୁଛନ୍ତି। ସମ୍ଭବତଃ ସେମାନେ ବିଜେପି ସାଂସଦଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହି ସମୟରେ ବାଚସ୍ପତି ତାଙ୍କ ଆସନରେ ବସି ରହିଥିଲେ। ସେହିପରି ରିଜିଜୁ ବାଚସ୍ପତିଙ୍କ ଆସନ ନିକଟରେ ଛିଡ଼ା ହୋଇଥିବା ଭିଡିଓରେ ଦେଖା ଯାଉଛି।
ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମଏମ ନରଭାଣେଙ୍କ ଅପ୍ରକାଶିତ ବହିରେ ଥିବା କିଛି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଲୋକସଭାରେ ଉଠାଇବାରୁ ଏହାକୁ ନେଇ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ରାହୁଲ ଗାନ୍ଧିଙ୍କୁ ବହିରେ ଥିବା ବିଷୟବସ୍ତୁ ସମ୍ପର୍କରେ କହିବାକୁ ଅନୁମତି ନ ମିଳିବାରୁ ବିରୋଧୀ ଓ ଶାସକ ଦଳ ମଧ୍ୟରେ କଥା କଟାକଟି ହୋଇଥିଲା।
କଂଗ୍ରେସର ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କ ବିରୋଧରେ ପ୍ରକାଶିତ ବହିରେ ଥିବା ତଥ୍ୟକୁ ଉପସ୍ଥାପନ ପାଇଁ ବିଜେପି ସାଂସଦ ନିଶିକାନ୍ତ ଦୁବେ ଅନୁମତି ପାଇଥିବା ବେଳେ ରାହୁଲ ଗାନ୍ଧିଙ୍କୁ ଅନୁମତି ନ ମିଳିବା ବିରୋଧୀଙ୍କ ସ୍ୱରକୁ ଆହୁରି ତୀବ୍ର କରିଥିଲା।
ଏଥିଯୋଗୁ ଗୃହ କାର୍ଯ୍ୟ ବାରମ୍ବାର ମୁଲତବୀ ହେବାରୁ କଂଗ୍ରେସର କିଛି ସାଂସଦ ବାଚସ୍ପତିଙ୍କ ଚ୍ୟାମ୍ବରକୁ ଯାଇ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ବାଚସ୍ପତିଙ୍କ ଆଭିମୁଖ୍ୟକୁ ସେମାନେ ପକ୍ଷପାତିତା ବୋଲି କହିବା ସହ ସେ କାହିଁକି ବିରୋଧୀ ଦଳର ନେତା ରାହୁଲ ଗାନ୍ଧିଙ୍କୁ ଗୃହରେ କମିବାକୁ ଅନୁମତି ଦେଉ ନାହାନ୍ତି ବୋଲି ପ୍ରଶ୍ନ କରିଥିଲେ।
କେନ୍ଦ୍ରମନ୍ତ୍ରୀ ରିଜିଜୁ କହିଛନ୍ତି ଯେ “ପୂରା ଘଟଣାରେ ବାଚସ୍ପତି ଗଭୀର ଭାବେ ମର୍ମାହତ ହୋଇଛନ୍ତି। ମୁଁ ତାଙ୍କ ସହ କଥା ହୋଇଛି। ସେମାନେ(କଂଗ୍ରେସ ସାଂସଦ) ତାଙ୍କ ଚ୍ୟାମ୍ବରକୁ ଯାଇ ଦୁର୍ବ୍ୟବହାର କରିଛନ୍ତି। ଏହା ଗୋଟିଏ ନିନ୍ଦାର ବିଷୟ।
ବାଚସ୍ପତି ରୁଲିଂ ଦେଇଥିଲେ। କିନ୍ତୁ ଏହାକୁ ଅନୁସରଣ କରାଯାଇ ନଥିଲା। ଏହାପରେ ରାହୁଲ ଗାନ୍ଧି ନିଜ ଆସନରେ ଛିଡ଼ା ହୋଇ ତାଙ୍କୁ କହିବା ପାଇଁ କାହାର ଅନୁମତି ଦରକାର ନାଁ ବୋଲି କହିଥିଲେ। ବିନା ରୁଲିଂରେ ସେ ନିଜ ଇଚ୍ଛାରେ ସବୁ କିଛି କହିବେ ବୋଲି ଘୋଷଣା କରିଛନ୍ତି। ହେଲେ ବାଚସ୍ପତିଙ୍କ ଅନୁମତି ବିନା ଗୃହରେ କେହି କିଛି କହି ପାରିବେ ନାହିଁ ବୋଲି ପ୍ରାବଧାନ ରହିଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/12/mp-2026-02-12-13-29-32.jpg)