Advertisment

ବିମାନରୁ ଓହ୍ଲାଇ ଦେବା ପରେ ପବନ ଖେଡାଙ୍କୁ ଗିରଫ କଲା ପୁଲିସ୍‌

ବିଜେପିର ଅଭିଯୋଗକ୍ରମେ ଆସାମ ପୁଲିସ୍‌ ଶେଷରେ କଂଗ୍ରେସର ବରିଷ୍ଠ ନେତା ତଥା ମୁଖପାତ୍ର ପବନ ଖେଡାଙ୍କୁ ଗିରଫ କରିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Congress's Pawan Khera

Congress's Pawan Khera

ବିଜେପିର ଅଭିଯୋଗକ୍ରମେ ଆସାମ ପୁଲିସ୍‌ ଶେଷରେ କଂଗ୍ରେସର ବରିଷ୍ଠ ନେତା ତଥା ମୁଖପାତ୍ର ପବନ ଖେଡାଙ୍କୁ ଗିରଫ କରିଛି। ଆଜି ଶ୍ରୀ ଖେଡା ଦଳୀୟ ନେତାଙ୍କ ସହ ଦିଲ୍ଲୀରୁ ରାୟପୁର ଯିବାର ଥିଲା। ସେ ବିମାନରେ ବସି ସାରିଥିଲେ ହେଁ ତାଙ୍କୁ ଲଗେଜ ଚେକିଂ ନାଁରେ ତଳକୁ ଓହ୍ଲାଇ ଦିଆଯାଇଥିଲା।

Advertisment

ଏହାକୁ ନେଇ କଂଗ୍ରେସର ନେତାମାନେ ରନୱେରେ ଥିବା ବିମାନ ନିକଟରେ ବିକ୍ଷୋଭ ବି କରିଥିଲେ। ସେମାନେ ବିକ୍ଷୋଭ କରୁଥିବା ବେଳେ ଆସାମ ପୁଲିସ୍‌ର ଗୋଟିଏ ଟିମ ସେଠାରେ ପହଞ୍ଚି ପବନ ଖେଡାଙ୍କୁ ଗିରଫ କରିଛି।

ଗିରଫ ପରେ ଖେଡାଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟରେ ହାଜର କରାଯିବ। ସେଠାରୁ ତାଙ୍କୁ ପୁଲିସ୍‌ ନିଜ ସହ ଆସାମ ନେବ ବୋଲି ଜଣାପଡ଼ିଛି। ଶ୍ରୀ ଖେଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପମାନିତ କରିବା ଭଳି ବୟାନ ଦେଇଥିବାରୁ ବିଜେପି ତାଙ୍କ ଗିରଫଦାରୀ ଦାବି କରିଥିଲା। ଏପରି କି ବିଜେପିର ଜଣେ ଆସାମ ନେତା ଏନେଇ ପୁଲିସ୍‌ରେ ଅଭିଯୋଗ କରିଥିଲେ।

Advertisment

ଏହି ଅଭିଯୋଗକୁ ଭିତ୍ତି କରି ପବନ ଖେଡାଙ୍କ ନାଁରେ ଆସାମର ହାଫଲଙ୍ଗ ପୁଲିସ୍‌ ଷ୍ଟେସନରେ ମାମଲା ହୋଇଥିଲା। ଏହାପରେ ଆଜି ଆସାମ ପୁଲିସ୍‌ର ଗୋଟିଏ ଟିମ୍‌ ଦିଲ୍ଲୀ ଆସି ଶ୍ରୀ ଖେଡାଙ୍କୁ ଏୟାରପୋର୍ଟରୁ ଗିରଫ କରିଛି। ତେବେ କଂଗ୍ରେସ ଏପରି ଗିରଦାରୀକୁ ଅସାମ୍ବିଧାନିକ ବୋଲି କହିଛି।

ଛତିଶଗଡ଼ର ରାୟପୁରରେ କଂଗ୍ରେସ ସମାବେଶ କରିବାକୁ ଯାଉଥିବା ବେଳେ ଏହାକୁ ଭଣ୍ଡୁର କରିବା ପାଇଁ କ୍ଷମତାସୀନ ବିଜେପି ଏପରି ଷଡ଼ଯନ୍ତ୍ର କରିଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ପବନ ଖେଡାଙ୍କୁ ପୁଲିସ୍‌ ନିଜ ସହ ନେବା ବେଳେ ସେ କହିଛନ୍ତି ଯେ “ସେମାନେ ମୋତେ କେଉଁ ମାମଲାରେ ନେଉଛନ୍ତି, ତାହା ଦେଖିବାକୁ ପଡ଼ିବ। ଏହା ଗୋଟିଏ ଲମ୍ବା ଲଢ଼େଇ। ଏହି ଲଢ଼େଇ ପାଇଁ ମୁଁ ପ୍ରସ୍ତୁତ।”

ଆଜି ସକାଳୁ ପବନ ଖେଡାଙ୍କ ସମେତ କଂଗ୍ରେସର ଆଉ କିଛି ନେତା ଦିଲ୍ଲୀରୁ ରାୟପୁର ଯିବାର ଥିଲା। ଖେଡାଙ୍କ ପାଖରେ ବୋର୍ଡିଂ ପାସ୍‌ ଥିଲେ ମଧ୍ୟ ତାଙ୍କୁ ଇଣ୍ଡିଗୋ କର୍ତ୍ତୃପକ୍ଷ ବିମାନରୁ ବଳପୂର୍ବକ ବାହାର କରି ଦେଇଥିଲେ। ଏହା ଦେଖି କଂଗ୍ରେସର ଅନ୍ୟ ନେତାମାନେ ବିମାନରୁ ଓହ୍ଲାଇ ପଡ଼ିଥିଲେ। ଏହାପରେ ଆରମ୍ଭ ହୋଇଥିଲା।

ସେତେବେଳେ ପବନ ଖେଡା କହିଥିଲେ, “ମୋ ବ୍ୟାଗରେ ସମସ୍ୟା ଥିବା ପ୍ରଥମେ ମୋତେ କୁହାଯାଇଥିଲା। ତେବେ ମୁଁ କେବଳ ଗୋଟିଏ ହ୍ୟାଣ୍ଡ ବ୍ୟାଗ ରଖିଥିବା ସେମାନଙ୍କୁ କହିଥିଲି। ଏହାପରେ ସେମାନେ କହିଥିଲେ ଯେ ମୋତେ ଉଡ଼ାଣ ପାଇଁ ଅନୁମତି ନାହିଁ। ତା’ପରେ କହିଥିଲେ ଡିସିପି ଆପଣଙ୍କୁ ଭେଟିବେ। ଏଠାରେ ଆଇନ ଶୃଙ୍ଖଳା ସ୍ଥିତି ଭୁଶୁଡ଼ି ପଡ଼ିଛି। ସେମାନେ ମିଛ କହି ମୋତେ ବିମାନରୁ ଓହ୍ଲାଇ ଦେଇଛନ୍ତି। ଏହା ନିୟମର ଉଲ୍ଲଙ୍ଘନ।”

ନିକଟରେ ଶ୍ରୀ ଖେଡା ଗୋଟିଏ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ ଗୌତମ ଆଦାନୀ ପ୍ରସଙ୍ଗ ଉଠାଇ ଜେପିସି ତଦନ୍ତ ଦାବି କରିଥିଲେ। ସେ କହିଥିଲେ ଯେ “ଯଦି ନରସୀମା ରାଓ ଜେପିସି ଗଠନ କରିପାରିବେ, ଯଦି ଅଟଳ ବିହାରୀ ବାଜପେୟୀ ଜେପିସି ତଦନ୍ତ କରିପାରିବେ, ତେବେ ନରେନ୍ଦ୍ର ଗୌତମ ଦାସ ମୋଦି କାହିଁକି ଜେପିସି ତଦନ୍ତ କରି ପାରିବେ ନାହିଁ। ସରି, ଦାମୋଦର ଦାସ ମୋଦିଙ୍କ ଜେପିସି ତଦନ୍ତରେ ସମସ୍ୟା କ’ଣ?” ଏପରି କି ମୋଦିଙ୍କ ମଧ୍ୟମ ନାଁ କ’ଣ ବୋଲି ସେ ତାଙ୍କର ଜଣେ ସହଯୋଗୀଙ୍କୁ ସ୍ମିତ ହାସ୍ୟ ଦେଇ ପଚାରିଥିଲେ।

Congress Delhi Police Indigo Airlines Assam