ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଲଢ଼େଇକୁ ତୁରନ୍ତ ବନ୍ଦ କରିବା ସପକ୍ଷରେ ମତ ରଖିଛି କଂଗ୍ରେସ। ଏଥିସହ ଦୀର୍ଘଦିନ ହେଲା ପାଲେଷ୍ଟାଇନର ଲୋକମାନେ ନିଜର ଅଧିକାର, ଜମି, ନିଜସ୍ୱ ସରକାର ଓ ସମ୍ମାନର ସହ ବଞ୍ଚିବା ପାଇଁ କରୁଥିବା ସଂଘର୍ଷକୁ ଦଳ ସମର୍ଥନ ଘୋଷଣା କରିଛି।
ଆଜି ଦିଲ୍ଲୀରେ କଂଗ୍ରେସ ୱାର୍କିଂ କମିଟି(CWC) ବୈଠକ ବସିଥିଲା। ଏହାପରେ ଦଳ ପକ୍ଷରୁ ଇସ୍ରାଏଲ ଓ ଆତଙ୍କୀ ସଂଗଠନ ହମାସ ମଧ୍ୟରେ ଚାଲିଥିବା ଲଢ଼େଇ ସମ୍ପର୍କରେ ମତ ରଖାଯାଇଛି।
ଦଳ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ CWC ତୁରନ୍ତ ଦୁଇ ପକ୍ଷଙ୍କୁ ଉତ୍ତେଜନା ହ୍ରାସ ପାଇଁ ଆହ୍ୱାନ କରୁଛି। ଏଥିସହ ବର୍ତ୍ତମାନ ସଂଘର୍ଷ ସୃଷ୍ଟି କରୁଥିବା ସବୁ ପ୍ରସଙ୍ଗ ସମେତ ସବୁ ପ୍ରକାରର ବିବାଦ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଦଳ ପରାମର୍ଶ ଦେଉଛି।
ଏହାର ଦିନକ ପୂର୍ବରୁ କଂଗ୍ରେସ ଇସ୍ରାଏଲର ସାଧାରଣ ଲୋକଙ୍କ ଉପରେ ହମାସ ପକ୍ଷରୁ କରାଯାଇଥିବା ଆକ୍ରମଣକୁ ନିନ୍ଦା କରାଯାଇଥିଲା।
କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ପାଲେଷ୍ଟାଇନ ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ ହେବା ସପକ୍ଷରେ ଦଳ ରହିଛି। ଆଲୋଚନା ଓ ଇସ୍ରାଏଲର ଜାତୀୟ ସୁରକ୍ଷାକୁ ନିଶ୍ଚିତ କରି ପାଲେଷ୍ଟାଇନର ବୈଧ ଅଧିକାରକୁ ପୂରଣ କରାଯାଉ ବୋଲି ସେ କହିଛନ୍ତି।
ସୋମବାର ହମାସ ଓ ଇସ୍ରାଏଲ ମଧ୍ୟରେ ଆରମ୍ଭ ହୋଇଥିବା ଲଢ଼େଇ ତୃତୀୟ ଦିନରେ ପହଞ୍ଚିଛି। ଇସ୍ରାଏଲ ସେନା ଗାଜା ଷ୍ଟ୍ରିପକୁ ସଂପୂର୍ଣ୍ଣ ଭାବେ ଦଖଲ କରିବାକୁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି।
ଦୁଇ ପକ୍ଷ ମଧ୍ୟରେ ଚାଲିଥିବା ଲଢ଼େଇରେ ୧୧ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଅନେକ ଘର ଓ ପ୍ରତିଷ୍ଠାନ ମାଟିରେ ମିଶି ଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।