କଂଗ୍ରେସ ଜାରି କଲା ଆଉ ୪୩ ପ୍ରାର୍ଥୀଙ୍କ ନାଁ, ସିଦ୍ଦରମୈୟାଙ୍କ ଉପରେ ନେଲା ବଡ଼ ନିଷ୍ପତ୍ତି

ସିଦ୍ଧରମୈୟା କୋଲାର ଓ ବରୁଣାରୁ ଲଢ଼ିବାକୁ ଚାହୁଁଥିଲେ। ଦଳ ତାଙ୍କୁ ବରୁଣାରୁ ପ୍ରାର୍ଥୀ କରିଥିଲା।

ବରିଷ୍ଠ ନେତା ସିଦ୍ଦରମୈୟା (ଫାଇଲ ଫଟୋ)

  • Published: Saturday, 15 April 2023
  • , Updated: 15 April 2023, 05:58 PM IST

କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ଆଜି କଂଗ୍ରେସ ତୃତୀୟ ପର୍ଯ୍ୟାୟରେ ଆଉ ୪୩ ଜଣଙ୍କ ନାଁ ଘୋଷଣା କରିଛି। ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ସହ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଉପରେ ବଡ଼ ନିଷ୍ପତ୍ତି ନିଆଯାଇଛି। ସେ ଦୁଇଟି ଆସନରୁ ଲଢ଼ିବାକୁ ଚାହୁଁଥିଲେ ହେଁ କଂଗ୍ରେସ ହାଇକମାଣ୍ଡ ଏଥିରେ ରାଜି ହୋଇ ନାହାନ୍ତି।

ସିଦ୍ଦରମୈୟା କୋଲାର ଓ ବରୁଣାରୁ ଲଢ଼ିବାକୁ ଚାହୁଁଥିଲେ। ଦଳ ତାଙ୍କୁ ବରୁଣାରୁ ପ୍ରାର୍ଥୀ କରିଥିଲା। ହେଲେ କୋଲାର ଆସନରୁ ମଧ୍ୟ ଟିକେଟ ଦେବାକୁ ସେ ଅନୁରୋଧ କରିଥିଲେ। କିନ୍ତୁ ଏହାକୁ ଦଳ ଗ୍ରହଣ କରନି। ଏହାର ଅର୍ଥ ସିଦ୍ଦରମୈୟା ଏବେ କେବଳ ନିଜର ଗଡ଼ ବରୁଣାରୁ ହିଁ ଲଢ଼ିବେ।

କୋଲାର ଆସନରୁ କଂଗ୍ରେସ କୋଥୁର ଜି ମଞ୍ଜୁନାଥଙ୍କୁ ଟିକେଟ ଦେଇଛି। ଯେତେବେଳେ ବରୁଣାରୁ କଂଗ୍ରେସ ସିଦ୍ଦରମୈୟାଙ୍କୁ ପ୍ରାର୍ଥୀ କରିଥିଲା ସେତେବେଳେ ସେ କୋଲାର ଆସନରୁ ମଧ୍ୟ ଲଢ଼ିବାକୁ ଇଚ୍ଛା ରଖିଥିବା କହିଥିଲେ। କିନ୍ତୁ ହାଇକମାଣ୍ଡ ଚାହିଁଲେ ହିଁ ସେ ଦୁଇଟି ଆସନରୁ ପ୍ରାର୍ଥୀ ହେବେ ବୋଲି ମତ ରଖିଥିଲେ।

ବର୍ତ୍ତମାନ ସେ ବାଦାମୀ ଆସନରୁ ଜିତି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ବରୁଣାରୁ ତାଙ୍କ ପୁଅ ଯତୀନ୍ଦ୍ର ସିଦ୍ଦରମୈୟା ବର୍ତ୍ତମାନ ବିଧାୟକ ରହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସିଦ୍ଦରମୈୟା ଦୁଇଟି ଆସନରୁ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିବା ପରେ କଂଗ୍ରେସ ଭିତରୁ ହିଁ ବିରୋଧାଭାଷ ସୃଷ୍ଟି ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ହାଇକମାଣ୍ଡ ସିଦ୍ଧରମୈୟାଙ୍କୁ କେବଳ ବରୁଣା ଆସନରୁ ଲଢ଼ିବାକୁ କହିଥିବା ଜଣାପଡ଼ିଛି।

ତୃତୀୟ ପର୍ଯ୍ୟାୟରେ କଂଗ୍ରେସ ଜାରି କରିଥିବା ୪୩ ଜଣିଆ ତାଲିକାରେ ନିକଟରେ ବିଜେପି ଛାଡ଼ିଥିବା ଲକ୍ଷ୍ମଣ ସାବାଡିଙ୍କ ନାଁ ରହିଛି। ସେ କର୍ଣ୍ଣାଟକାର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ। ବିଜେପି ତାଙ୍କୁ ଟିକେଟ ନ ଦେବାରୁ ସେ ଗତକାଲି କଂଗ୍ରେସରେ ମିଶିଥିଲେ। କଂଗ୍ରେସ ତାଙ୍କୁ ବେଲଗାବି ଜିଲ୍ଲାର ଅଥାନୀରୁ ପ୍ରାର୍ଥୀ କରିଛି।

ସେହିପରି ଜେଡିଏସ୍‌ରୁ ଆସିଥିବା ବରିଷ୍ଠ ନେତା କେଏମ ଶିବାଲିଙ୍ଗେ ଗୌଡାଙ୍କୁ କଂଗ୍ରେସ ଅରସିକେରେ ଆସନରୁ ଟିକେଟ ଦେଇଛି। ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୧୬ ଜଣ ନୂଆ ମୁହଁ ରହିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ନିକଟରେ ବିରୋଧୀ ମେଣ୍ଟ ପକ୍ଷରୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ମାର୍ଗାରେଟ ଆଲଭାଙ୍କ ପୁଅ ନିବେଦିତ ଆଲଭା ଓ ପୂର୍ବତନ ମନ୍ତ୍ରୀ ମୋତାମ୍ମାଙ୍କ ଝିଅ ନୟାନା ଜ୍ୟୋତି ଝାୱରଙ୍କୁ ଦଳ ଟିକେଟ ଦେଇଛି।

ପ୍ରଥମ ପର୍ଯ୍ୟାୟରେ ଦଳ ୧୨୪, ଦ୍ୱିତୀୟ ପର୍ଯ୍ୟାୟରେ ୪୨ ଓ ତୃତୀୟ ପର୍ଯ୍ୟାୟରେ ୪୩ଟି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଯାଏ ଦଳ ୨୨୪ଟି ବିଧାନସଭା ଆସନରୁ ୨୦୯ଟିରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ସାରିଛି। ତେବେ ଶିଗଗାଓଁରୁ କିଏ ପ୍ରାର୍ଥୀ ହେବେ, ସେକଥା ଦଳ ଏଯାଏ କହିନି। ଏଠାରେ ବିଜେପି ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କୁ ପ୍ରାର୍ଥୀ କରିଛି।

Related story