Advertisment

ସିଙ୍ଗାପୁରରେ ସିଡିଏସ୍‌ଙ୍କ ବୟାନ ପରେ ସରକାରଙ୍କୁ ଘେରିଲା କଂଗ୍ରେସ, ‘ବାଜପେୟୀ ସରକାର’ର ଦେଲା ଉଦାହରଣ

ଜୟରାମ ରମେଶ କହିଛନ୍ତି, ଆମେ ଚାହୁଁଥିଲୁ ପ୍ରଧାନମନ୍ତ୍ରୀ ଏକ ସର୍ବଦଳୀୟ ବୈଠକର ଅଧ୍ୟକ୍ଷତା କରନ୍ତୁ ଓ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକନ୍ତୁ। ଗତକାଲି ସିଙ୍ଗାପୁରରେ ଜେନେରାଲ ଚୌହାନ ଯାହା ସବୁ କହିଲେ, ସେଥିରୁ ଜଣାପଡ଼ୁଛି ଯେ ଆମ ଦାବିର ପ୍ରାସଙ୍ଗିକତା ଥିଲା। ଏବେ ମଧ୍ୟ ଏହାର ପ୍ରାସଙ୍ଗିକତା ରହିଛି।

Congress leader Jairam Ramesh and CDS Anil Chauhan

Congress leader Jairam Ramesh and CDS Anil Chauhan

Advertisment

ଅପରେସନ ସିନ୍ଦୂର ବେଳେ ପାକିସ୍ତାନ ସହ ହୋଇଥିବା ଲଢ଼େଇରେ ଭାରତ ଯୁଦ୍ଧ ବିମାନ ହରାଇଥିବା କଥାକୁ ତିନି ସେନାର ମୁଖ୍ୟ ବା ଚିଫ୍ ଡିଫେନ୍ସ ଷ୍ଟାଫ (ସିଡିଏସ୍‌) ଜେନେରାଲ ଅନୀଲ ଚୌହାନ ସିଙ୍ଗାପୁରରେ ସ୍ୱୀକାର ଥିବା ବେଳେ ଏହାକୁ ନେଇ ଜୋରଦାର ହୋଇଛି ରାଜନୀତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କୁ ଘେରିଛି କଂଗ୍ରେସ। ସିଡିଏସ୍‌ ବିଦେଶରେ ଯାଇ ଏ ସଂପର୍କରେ ସୂଚନା ଦେବା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ କାହିଁକି ରାଜନୀତିକ ଦଳଗୁଡ଼ିକୁ ଏ ବିଷୟରେ ସୂଚନା ଦେଲେ ନାହିଁ ବୋଲି ପ୍ରଶ୍ନ କରିଛି କଂଗ୍ରେସ।

Advertisment

କଂଗ୍ରେସ ସାଧାରଣ ସଂପାଦକ ଜୟରାମ ରମେଶ କହିଛନ୍ତି, ଆମେ କାହିଁକି ସିଙ୍ଗାପୁରରୁ ମନ୍ତବ୍ୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କଲୁ? ଆମକୁ ଗଣତନ୍ତ୍ରର ଜନନୀ କୁହାଯାଏ। ଯେଉଁ ପ୍ରସଙ୍ଗଗୁଡ଼ିକ ଜେନେରାଲ ଚୌହାନ ଉଠାଇଛନ୍ତି, ସେଗୁଡ଼ିକ ବେଶ୍ ଗୁରୁତର। ସେଗୁଡ଼ିକ କେବଳ ମିଲିଟାରୀ ଷ୍ଟ୍ରାଟେଜୀକୁ ନୁହେଁ, ବୈଦେଶିକ ନୀତି, ଅର୍ଥନୀତିକ ନୀତି ଓ କୁଟନୀତିକ କୌଶଳକୁ ମଧ୍ୟ ପ୍ରଭାବିତ କରିଛି। ଅପରେସନ ସିନ୍ଦୂର ପରେ ହୋଇଥିବା ସର୍ବଦଳୀୟ ବୈଠକରେ ଏସବୁ ବିଷୟରେ ପ୍ରତିରକ୍ଷା ମନ୍ତ୍ରୀ କହିବା ଉଚିତ୍ ହୋଇଥା’ନ୍ତା। ଜେନେରାଲ ଚୌହାନ ଏବେ ଯାହା ସବୁ କହିଛନ୍ତି, ତାହା ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଦୁଇଟି ସର୍ବଦଳୀୟ ବୈଠକରେ କହିଥିଲେ ଭଲ ହୋଇଥା’ନ୍ତା। ଜେନେରାଲ ଚୌହାନ ଦେଇଥିବା ସୂଚନା ସଂପର୍କରେ ପୂର୍ବରୁ ବିରୋଧୀ ଦଳଗୁଡ଼ିକୁ ଦେବା ଉଚିତ ହୋଇଥା’ନ୍ତା। ଅପରେସନ ସିନ୍ଦୂର ନେଇ ସରକାର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବା ଉଚିତ।

ଏହି ଅବସରରେ ଜୟରାମ ରମେଶ ବାଜପେୟୀ ସରକାରଙ୍କର ଏକ ଉଦାହରଣ ଦେଇଛନ୍ତି। ସେ କହିଛନ୍ତି, ୧୯୯୯ ମସିହା ଜୁଲାଇ ମାସରେ କାରଗିଲ ଯୁଦ୍ଧ ସମାପ୍ତ ହେବାର ମାତ୍ର ୩ ଦିନ ପରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ‘କାରଗିଲ ରିଭ୍ୟୁ କମିଟି’ ଗଠନ କରିଥିଲେ। ସେହି କମିଟିରେ ବର୍ତ୍ତମାନର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ବାପା ମଧ୍ୟ ସଦସ୍ୟ ଥିଲେ। ଏହି କମିଟି ଏକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦେଇଥିଲେ। ସେନାର ପ୍ରସଙ୍ଗକୁ ସେନା ସମାଧାନ କରିବା କଥା। କିନ୍ତୁ ରାଜନୀତିକ ପ୍ରସଙ୍ଗ ମଧ୍ୟ ରହିଛି। ତେଣୁ ସେଗୁଡ଼ିକୁ ଉଠାଯିବା ଜରୁରୀ। ଯେମିତିକି ଚୀନ ଓ ପାକିସ୍ତାନ ମଧ୍ୟରେ ସଂପର୍କ ବଢୁଛି।

Advertisment

ଜୟରାମ ରମେଶ କହିଛନ୍ତି, ଆମେ ଚାହୁଁଥିଲୁ ପ୍ରଧାନମନ୍ତ୍ରୀ ଏକ ସର୍ବଦଳୀୟ ବୈଠକର ଅଧ୍ୟକ୍ଷତା କରନ୍ତୁ ଓ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକନ୍ତୁ। ଗତକାଲି ସିଙ୍ଗାପୁରରେ ଜେନେରାଲ ଚୌହାନ ଯାହା ସବୁ କହିଲେ, ସେଥିରୁ ଜଣାପଡ଼ୁଛି ଯେ ଆମ ଦାବିର ପ୍ରାସଙ୍ଗିକତା ଥିଲା। ଏବେ ମଧ୍ୟ ଏହାର ପ୍ରାସଙ୍ଗିକତା ରହିଛି।

କ’ଣ କହିଛନ୍ତି ଜେନେରାଲ ଚୌହାନ

୩ ସେନାର ମୁଖ୍ୟ ବା ଭାରତୀୟ ସଶସ୍ତ୍ର ବଳର ଚିଫ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନେରାଲ ଅନୀଲ ଚୌହାନ କହିଛନ୍ତି ଯେ “ଜେଟ ଖସିବା ଗୁରୁତ୍ୱପୂର୍ଣ୍ଣ ନୁହେଁ, ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେଗୁଡ଼ିକ କାହିଁକି ଖସିଲା?”

ସିଙ୍ଗାପୁରରେ ଆୟୋଜିତ ଶଙ୍ଗ୍ରୀ ଲା ଡାଏଲଗ ବେଳେ ସିଡିଏସ୍‌ ଅନୀଲ ଚୌହାନ ବ୍ଲୁମବର୍ଗ ଟିଭକୁ ଗୋଟିଏ ସାକ୍ଷାତକାର ଦେଇଛନ୍ତି। ଏହି ସମୟରେ ଭାରତର ୬ଟି ଯୁଦ୍ଧ ବିମାନକୁ ପାକିସ୍ତାନ ଖସାଇ ଦେଇଥିବା ନେଇ କରୁଥିବା ଦାବିକୁ ସଂପୂର୍ଣ୍ଣ ମିଛ ବୋଲି ମଧ୍ୟ ସିଡିଏସ ସ୍ପଷ୍ଟ କରିଛନ୍ତି। ଜେଟ୍‌ ଖସିଥିବା କଥାକୁ ସେ ସ୍ୱୀକାର କରିଥିଲେ ହେଁ, ଲଢ଼େଇରେ ଭାରତ କେତୋଟି ବିମାନ ହରାଇଛି, ତା’ର ସଂଖ୍ୟା କହି ନାହାନ୍ତି।

ଯୁଦ୍ଧ ବିମାନ କ୍ଷୟକ୍ଷତି ସମ୍ପର୍କରେ ପ୍ରଶ୍ନର ଉତ୍ତରରେ ସିଡିଏସ୍‌ ଅନୀଲ ଚୌହାନ କହିଛନ୍ତି, “ସେଗୁଡ଼ିକ କାହିଁକି ଖସିଲା? ଆମେ କେଉଁ ପ୍ରକାରର ଭୁଲ କରିଥିଲୁ, ତାହା ଗୁରୁତ୍ୱପୂର୍ଣ୍ଣ। ସଂଖ୍ୟା ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ। ସବୁଠାରୁ ସକାରାତ୍ମକ ଘଟଣା ହେଲା ଆମେ କରିଥିବା ରଣନୀତିଗତ ତ୍ରୁଟିକୁ ବୁଝି ପାରିଥିଲୁ। ଏହାକୁ ସୁଧାରି ଥିଲୁ। ଏଥିରେ ସଂଶୋଧନ କରି ଆମେ ପୁଣି ଦୁଇ ଦିନ ପରେ ଏହାକୁ କାର୍ଯ୍ୟକାରୀ କରିଥିଲୁ ଓ ଆମର ସବୁ ଯୁଦ୍ଧ ବିମାନକୁ ଉଡ଼ାଇଥିଲୁ। ଦୂରଗାମୀ ଲକ୍ଷ୍ୟକୁ ଟାର୍ଗେଟ ବି କରିଥିଲୁ।”

ସୂଚନାଯୋଗ୍ୟ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଦାବି କରିଥିଲେ ଯେ ଇସଲାମାବାଦ ୬ଟି ଭାରତୀୟ ଯୁଦ୍ଧ ବିମାନକୁ ଖସାଇ ଦେଇଛି।ହେଲେ ପାକିସ୍ତାନ ପକ୍ଷରୁ ଏହାର ପ୍ରମାଣ ଦିଆଯାଇ ପାରିନି। ଶରିଫ ଓ ପାକିସ୍ତାନ ଯୁଦ୍ଧ ବିମାନ ଖସାଇ ଦେବା ନେଇ ବୟାନ ଦେଉଥିଲେ ହେଁ ଭାରତ ସରକାର ଲଢ଼େଇରେ ଯୁଦ୍ଧ ବିମାନ ଖସିଛି କି ନାହିଁ, ତା’ର ନିର୍ଦ୍ଦିଷ୍ଟ ଉତ୍ତର ଦେଇ ନଥିଲେ।

Congress Jairam Ramesh Operation Sindoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe