Advertisment

କର୍ଣ୍ଣାଟକାରେ ବିଜେପି ଫେଲ୍‌, ଦକ୍ଷିଣ ଭାରତରେ କଂଗ୍ରେସର ବଡ଼ ବିଜୟ

ଲିଙ୍ଗାୟତ ଭୋଟ ହାତେଇବାକୁ ବୋମାଇ ସରକାର ଶେଷ ମୁହୂର୍ତ୍ତରେ ଉଦ୍ୟମ କରିଥିଲେ। ରାଜ୍ୟରେ ମୁସଲିମମାନଙ୍କ ପାଇଁ ଥିବା ୪% ସଂରକ୍ଷଣ ବ୍ୟବସ୍ଥାକୁ ହଟାଇ ଲିଙ୍ଗାୟତ ଓ ଭୋକ୍କାଲିଗାସ ସଂପ୍ରଦାୟ ମଧ୍ୟରେ ବାଣ୍ଟି ଦେଇଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
Karnataka

Karnataka

କର୍ଣ୍ଣାଟକାରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବାକୁ ଯୋଜନା କରିଥିବା ବିଜେପି ଫେଲ ମାରିଛି। ଦକ୍ଷିଣ ଭାରତରେ କଂଗ୍ରେସ ବଡ଼ ବିଜୟ ହାସଲ କରିଛି। କଂଗ୍ରେସ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିବା ସହ କର୍ଣ୍ଣାଟକାରେ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ହାସଲ କରି ନେଇଛି। ୨୦୧୮ରେ ଦଳ ମାତ୍ର ୮୦ଟି ଆସନ ଜିତିଥିଲା। ଏଥର ଦଳ ୧୧୮ଟି ଆସନ ଜିତି ସାରିଥିବା ବେଳେ ଆଉ ୧୯ଟି ଆସନରେ ଲିଡ୍‌ କରୁଛି।

Advertisment

ଏହାର ଅର୍ଥ ଦଳ ୧୩୭ଟି ଆସନ ଜିତିବ। ସେହିପରି ବିଜେପି ୨୦୧୮ରେ ୧୦୪ଟି ଆସନ ଜିତିଥିବା ବେଳେ ଏଥର ୬୩କୁ ଖସିବ। ଜେଡିଏସ୍‌ ୨୦ଟି ଆସନ ଜିତିବା ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି। କଂଗ୍ରେସ କେବେଳ ଅଧିକ ଆସନ ଜିତିନି। ଦଳର ଭୋଟ ଶେୟାର ମଧ୍ୟ ବଢ଼ିଛି। 

୧୯୮୫ ପରେ ରାଜ୍ୟରେ ୮ଟି ବିଧାନସଭା ନିର୍ବାଚନ ହୋଇଥିବା ବେଳେ କୌଣସି ଦଳ କ୍ରମାଗତ ଦ୍ୱିତୀୟ ଥର କ୍ଷମତାକୁ ଫେରି ନାହାନ୍ତି। ୨୦୧୮ରେ କଂଗ୍ରେସ ଓ ଜେଡିଏସ୍‌ ମିଳିତ ଭାବେ ଗଠନ କରିଥିବା ଦଳ ବର୍ଷକ ପାଇଁ ହିଁ ଚାଲି ପାରିଥିଲା। କଂଗ୍ରେସ ଓ ଜେଡିଏସ୍‌ର କିଛି ବିଧାୟକ ବିଦ୍ରୋ ଘୋଷଣା କରିବାରୁ ସରକାର ଭୁଶୁଡ଼ି ପଡ଼ିଥିଲା।

Advertisment

ଏହାପରେ ବିଏସ୍‌ ୟେଦ୍ୟୁରପ୍ପାଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ କରିଥିଲା। ୨୦୨୩ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ୟେଦ୍ୟୁରପ୍ପାଙ୍କୁ ହଟାଇ ବସବରାଜ ବୋମାଇଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା। ତାଙ୍କ ନେତୃତ୍ୱରେ ବିଜେପି ନିର୍ବାଚନ ଲଢ଼ିଥିଲା। ଇତିହାସ ସୃଷ୍ଟି କରିବା ସହ ବିଜେପି କ୍ରମାଗତ ଦ୍ୱିତୀୟଥର ପାଇଁ କର୍ଣ୍ଣାଟକାରେ କ୍ଷମତା ଦଖଲ କରିବାକୁ ଲକ୍ଷ୍ୟ ରଖିଥିଲା।

ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ନିଜେ ପ୍ରଚାର ମଙ୍ଗ ସମ୍ଭାଳିଥିଲେ। ସେ ନିଜେ ପ୍ରାୟ ୪୦ରୁ ଅଧିକ ରାଲିରେ ପ୍ରଚାର କରିଥିଲେ। ତଥାପି ବିଜେପି ୨୦୧୮ ରେଜଲ୍ଟକୁ ଦୋହରାଇବାରେ ବିଫଳ ହୋଇଛି। କର୍ଣ୍ଣାଟକା ଉପକୂଳକୁ ଛାଡ଼ି ଦେଲେ ବାକି ସବୁ ରିଜନରେ ବିଜେପି ଠାରୁ କଂଗ୍ରେସ ଅଧିକ ଆସନ ଜିତିଛି।

ଲିଙ୍ଗାୟତ ଭୋଟ ହାତେଇବାକୁ ବୋମାଇ ସରକାର ଶେଷ ମୁହୂର୍ତ୍ତରେ ଉଦ୍ୟମ କରିଥିଲେ। ରାଜ୍ୟରେ ମୁସଲିମମାନଙ୍କ ପାଇଁ ଥିବା ୪% ସଂରକ୍ଷଣ ବ୍ୟବସ୍ଥାକୁ ସେ ହଟାଇ ଲିଙ୍ଗାୟତ ଓ ଭୋକ୍କାଲିଗାସ ସଂପ୍ରଦାୟ ମଧ୍ୟରେ ବାଣ୍ଟି ଦେଇଥିଲେ। କିନ୍ତୁ ଏହାର ଫାଇଦା ମଧ୍ୟ ଦଳ ଉଠାଇ ପାରିନି। ଲିଙ୍ଗାୟତଙ୍କ ଜନସଂଖ୍ୟା ରାଜ୍ୟରେ ୧୭%।

ଏମାନଙ୍କ ଭୋଟ ୭୮ଟି ଆସନର ଫଳାଫଳକୁ ପ୍ରଭାବିତ କରିଥାଏ। ୭୮ଟି ଆସନରୁ କଂଗ୍ରେସ ୫୪ଟିରେ ଜିତିଥିବା ବେଳେ ବିଜେପି କେବଳ ୧୯ଟି ଆସନ ହାତେଇବାକୁ ସକ୍ଷମ ହୋଇଛି। ୨୦୧୮ ତୁଳନାରେ ଏଠାକାର ୭୮ଟି ଆସନରୁ ବିଜେପି ୨୮ଟି ହରାଇଥିବା ବେଳେ କଂଗ୍ରେସ ୨୯ଟି ଆସନ ଅଧିକ ପାଇଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର କଂଗ୍ରେସରେ ମିଶିବା ଦଳକୁ ସିଧାସଳଖ ପାଇଦା ଦେଇନି ସତ, ହେଲେ କିଛି ମାତ୍ରାରେ ଲିଙ୍ଗାୟତ ଦଳ ପାକୁ ଆସିଛି। ଜଗଦୀଶ ଶେଟ୍ଟାର ବିଜେପିର ମହେଶ ତେଙ୍ଗିନାକାଇଙ୍କ ନିକଟରୁ ପ୍ରାୟ ୩୦ ହଜାର ଭୋଟରେ ପରାସ୍ତ ହୋଇଛନ୍ତି।

ଜଗଦୀଶ ଶେଟ୍ଟାର ବିଜେପିରେ ଥିଲେ। କିନ୍ତୁ ଦଳ ଏଥର ତାଙ୍କୁ ଟିକେଟ ଦେଲା ନାହିଁ। ତେଣୁ ସେ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଲେ। କଂଗ୍ରେସ ତାଙ୍କୁ ହୁବଲୀ-ଧରୱାଡ ସେଣ୍ଟ୍ରାଲ ଆସନରୁ ପ୍ରାର୍ଥୀ କରିଥିଲା। ସେ ଜଣେ ଲିଙ୍ଗାୟତ ନେତା ଭାବେ ପରିଚିତ।

ଅନ୍ୟପକ୍ଷରେ କର୍ଣ୍ଣାଟକାରେ ରାହୁଲ ଗାନ୍ଧି କରିଥିବା ଭାରତ ଯୋଡ଼ୋ ଯାତ୍ରାରୁ ଅନେକ ଫାଇଦା ହାସଲ ସ୍ପଷ୍ଟ ଭାବେ ଅନୁମେୟ ହୋଇଛି। ଭାରତ ଯୋଡ଼ୋ ଯାତ୍ରା ପୂର୍ବରୁ ବିଭିନ୍ନ ସଂସ୍ଥା କରିଥିବା ସର୍ଭେରେ କଂଗ୍ରେସ କ୍ଷମତାକୁ ଫେରିବା ସହଜ ନୁହେଁ ବୋଲି କହିଥିଲେ। ହେଲେ ଭାରତ ଯୋଡ଼ୋ ଯାତ୍ରା ପରେ କଂଗ୍ରେସର ଲୋକପ୍ରିୟତା ବଢ଼ିଥିବା ସେହିସବୁ ସର୍ଭେ ସଂସ୍ଥା କହିଥିଲେ।

କଂଗ୍ରେସ ବେକାରୀ, ମାଗଣା ଯୋଜନା ଓ ଦୁର୍ନୀତି କଥା ଉଠାଇଥିଲା। ୪୦% କମିସିନ ସରକାର କଥା କହି ବିଜେପିକୁ ଘନଘନ ଆକ୍ରମଣ କରିଥିଲା। ଏହାର ଫାଇଦା ଦଳକୁ ମିଳିଥିବା କୁହାଯାଉଛି।

ବିଜୟ ପରେ ରାହୁଲ ଗାନ୍ଧି କହିଛନ୍ତି, “କର୍ଣ୍ଣାଟକାରେ ଘୃଣାର ବଜାର ବନ୍ଦ ହୋଇଛି। ପ୍ରେମର ଦୋକାନ ଖୋଲିଛି। ଏହା ସମସ୍ତଙ୍କର ବିଜୟ। ପ୍ରଥମେ ଏହା କର୍ଣ୍ଣାଟକାର ଲୋକଙ୍କ ବିଜୟ। ନିର୍ବାଚନ ବେଳେ ମୁଁ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଦେଇଥିବା ୫ଟି ପ୍ରତିଶ୍ରୁତି ଦେଇଥିଲୁ। ସେହି ୫ ପ୍ରତିଶ୍ରୁତିକୁ ଆମେ ପ୍ରଥମ କ୍ୟାବିନେଟରେ ଅନୁମୋଦନ ଦେବୁ। କର୍ଣ୍ଣାଟକାବାସୀଙ୍କୁ ଧନ୍ୟବାଦ। ଜୟ ହିନ୍ଦ।”

କଂଗ୍ରେସ ଗୃହ ଜ୍ୟୋତି ଯୋଜନାରେ ସମସ୍ତଙ୍କୁ ୨୦୦ ୟୁନିଟ ଯାଏ ମାଗଣା ବିଜୁଳି, ଗୃହ ଲକ୍ଷ୍ମୀ ଯୋଜନାରେ ପ୍ରତି ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨ ହଜାର ଟଙ୍କାର ଭତ୍ତା, ଅନ୍ନ ଭାଗ୍ୟ ଯୋଜନାରେ ପ୍ରତି ବିପିଏଲ ପରିବାରର ସଦସ୍ୟଙ୍କୁ ୧୦ କେଜି ଲେଖାଏ ଚାଉଳ, ୧୮ରୁ ୨୫ ବର୍ଷ ବୟସ ମଧ୍ୟରେ ଥିବା ଗ୍ରାଜ୍ୟୁଏଟ ମାନଙ୍କୁ ମାସିକ ୩ ହଜାର ଓ ଡିପ୍ଲୋମାଧାରୀଙ୍କୁ ମାସିକ ୧୫ଶହ ଟଙ୍କାର ଭତ୍ତା ଏବଂ ମହିଳାମାନଙ୍କୁ ସକ୍ଷୀ ଯୋଜନାରେ ମାଗଣା ବସ୍‌ ଯାତ୍ରାର ସୁବିଧା ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲା।

ଏକଜିଟ୍‌ ପୋଲ ପରେ କୁହାଯାଉଥିଲା ଯେ ରାଜ୍ୟରେ କୌଣସି ଦଳକୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୧୧୩ ମିଳିବ ନାହିଁ। ତେଣୁ ଜେଡିଏସ ୨୦୧୮ ଭଳି ଏଥର ମଧ୍ୟ କିଙ୍ଗ ମେକର ସାଜିବ। ହେଲେ କଂଗ୍ରେସର ବିପୁଳ ବିଜୟ ଜେଡିଏସ କ୍ୟାମ୍ପରେ ମଧ୍ୟ ନିରାଶା ଭାବ ଖେଳା ଦେଇଛି। ଜେଡିଏସ୍‌ କେବଳ ୨୦ଟି ଆସନରେ ଜିତିବାକୁ ସକ୍ଷମ ହୋଇଛି।

Karnataka Karnataka Polls 2023 Karnataka Assembly Election