Advertisment

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ଭୋଟ୍‌ର ଦିନକ ପୂର୍ବରୁ କଂଗ୍ରେସ କର୍ମୀଙ୍କୁ ହତ୍ୟା, ୪ ବିଜେପି କର୍ମୀଙ୍କୁ ଗୁଳିମାଡ଼

ପଶ୍ଚିମବଙ୍ଗରେ ଆସନ୍ତାକାଲି ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଆଜି ହିଂସାକାଣ୍ଡ ଦେଖିବାକୁ ମିଳିଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Firing

Firing

ପଶ୍ଚିମବଙ୍ଗରେ ଆସନ୍ତାକାଲି ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଆଜି ହିଂସାକାଣ୍ଡ ଦେଖିବାକୁ ମିଳିଛି। ମୁର୍ଶିଦାବାଦ ଜିଲ୍ଲାରେ ଜଣେ କଂଗ୍ରେସ କର୍ମୀଙ୍କୁ ହତ୍ୟା କରାଯାଇଥିବା ବେଳେ କୁଚ ବେହାର ଜିଲ୍ଲାରେ ଗୁଳିମାଡ଼ରେ ୪ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି।

Advertisment

ମୃତ କଂଗ୍ରେସ କର୍ମୀଙ୍କ ନାଁ ଅରବିନ୍ଦ ମଣ୍ଡଳ। ତାଙ୍କ ଘର ମୁର୍ଶିଦାବାଦ ଜିଲ୍ଲାର ରାଣୀନଗର ଅଞ୍ଚଳରେ। ଏଥର ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତାଙ୍କ ଭାଇ ହୃଦୟ ମଣ୍ଡଳ ପ୍ରାର୍ଥୀ ହୋଇଛନ୍ତି।

ଅରବିନ୍ଦ ମଣ୍ଡଳଙ୍କୁ ତୃଣମୂଳ କଂଗ୍ରେସ (TMC) କର୍ମୀମାନେ ପିଟି ପିଟି ହତ୍ୟା କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ତୃଣମୂଳ କଂଗ୍ରେସ ଏହି ଅଭିଯୋଗକୁ ଖଣ୍ଡନ କରିଛି।

Advertisment

ଅରବିନ୍ଦଙ୍କୁ ମିଶାଇ ମୁର୍ଶିଦାବାଦରେ ଚଳିତ ପଞ୍ଚାୟତ ନିର୍ବାଚନ ସମୟରେ ୫ ଜଣଙ୍କୁ ହତ୍ୟା କରାଯାଇଛି। ସେହିଭଳି ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେବା ପରଠୁ ଏଯାବତ ୧୮ ଜଣ ହତ୍ୟାର ଶିକାର ହୋଇଛନ୍ତି।

ଅନ୍ୟପକ୍ଷରେ ଗୁରୁବାର (ଗତକାଲି) ରାତିରେ କୁଚ ବେହାର ଜିଲ୍ଲାର ଦିନହାଟ ଅଞ୍ଚଳରେ ଚାରି ଜଣ ବିଜେପି କର୍ମକର୍ତ୍ତାଙ୍କ ଉପରକୁ ଗୁଳିମାଡ଼ ହୋଇଛି। ତୃଣମୂଳ କଂଗ୍ରେସ କର୍ମୀମାନେ ସେମାନଙ୍କ ଉପରକୁ ବୋମା ଫିଙ୍ଗିବା ସହିତ ଗୁଳିମାଡ଼ କରିଥିଲେ ବୋଲି ଅଭିଯୋଗ ହୋଇଛି। ଗୁଳିମାଡ଼ରେ ଆହତ ସମସ୍ତ ବିଜେପି କର୍ମୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଆସନ୍ତାକାଲି ପଶ୍ଚିମବଙ୍ଗରେ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୫.୬୭ କୋଟି ଲୋକ ସେମାନଙ୍କ ମତ ସାବ୍ୟସ୍ତ କରିବେ। ସେଥିପାଇଁ ୬୫ ହଜାର କେନ୍ଦ୍ରୀ ପୁଲିସ କର୍ମଚାରୀ ଓ ୭୦ ହଜାର ରାଜ୍ୟ ପୁଲିସ କର୍ମଚାରୀଙ୍କୁ ସୁରକ୍ଷା କାର୍ଯ୍ୟରେ ମୁତୟନ କରାଯାଇଛି।

Congress TMC Wb Bjp Bengal Panchayat Polls