Advertisment

କର୍ଣ୍ଣାଟକା କଂଗ୍ରେସରେ ହେବ କି ରାଜସ୍ଥାନ, ମଧ୍ୟପ୍ରଦେଶ ଓ ପଞ୍ଜାବ ଭଳି ସ୍ଥିତି ?

ବିଧାନସଭା ଫଳାଫଳ ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ସୃଷ୍ଟି ହୋଇଥିବା ବିପଦ ବିରୋଧରେ ବଳ ଯୋଗାଇଛି।

author-image
Hemant Lenka
Karnataka

Karnataka

କର୍ଣ୍ଣାଟକାର ନବ ନିର୍ବାଚିତ ବିଧାୟକମାନେ ରବିବାର ବୈଠକ କରିବା ସହ ମୁଖ୍ୟମନ୍ତ୍ରୀ ବାଛିବା ନିଷ୍ପତ୍ତି ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନେବେ ବୋଲି ଗୋଟିଏ ସଂକଳ୍ପ ପାରିତ କରିଛନ୍ତି। ଏବେ ବଲ ହାଇକମାଣ୍ଡଙ୍କ ପାଖରେ ପଡ଼ିଛି। ହାଇକମାଣ୍ଡ କର୍ଣ୍ଣାଟକା କଂଗ୍ରେସର ବରିଷ୍ଠ ନେତା ସିଦ୍ଦରମୈୟା ଓ ଡିକେ ଶିବକୁମାରଙ୍କ ମଧ୍ୟରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିବେ। 

Advertisment

ନବ ନିର୍ବାଚିତ ବିଧାୟକମାନେ ପାରିତ କରିଥିବା ସଂକଳ୍ପରେ କୁହାଯାଇଛି ଯେ ବିଧାନସଭା ଫଳାଫଳ ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ସୃଷ୍ଟି ହୋଇଥିବା ବିପଦ ବିରୋଧରେ ବଳ ଯୋଗାଇଛି। ରାଜ୍ୟ ଓ ସମଗ୍ର ଦେଶରେ ଗଣତନ୍ତ୍ର ବିପଦରେ ରହିଛି। ବୈଠକରେ ବିଧାୟକମାନେ ସୋନିଆ ଗାନ୍ଧି, ଖଡଗେ ଓ କର୍ଣ୍ଣାଟକାରେ ୨୧ ଦିନ ଭାରତ ଯୋଡ଼ୋ ଯାତ୍ରା କରିଥିବା ରାହୁଲ ଗାନ୍ଧିଙ୍କୁ ଧନ୍ୟବାଦ ଦିଆଯାଇଛି। ହେଲେ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’ ଉପରେ ନିଷ୍ପତ୍ତି ହୋଇନି।

ଏବେ ହାଇକମାଣ୍ଡ ଏହା ଉପରେ ନିଷ୍ପତ୍ତି ନେବେ। ମଧ୍ୟପ୍ରଦେଶ, ପଞ୍ଜାବ ଓ ରାଜସ୍ଥାନରେ କଂଗ୍ରେସ ସମ୍ମୁଖୀନ ହୋଇଥିବା ସ୍ଥିତିକୁ କର୍ଣ୍ଣାଟକାରେ ଯେମିତି ନ ଦୋହରାଇବ, ସେଥିପାଇଁ ନେତୃବୃନ୍ଦ ସବୁ ପ୍ରକାରର କାମ କରୁଛନ୍ତି।

Advertisment

ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ କମଲନାଥଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ହୋଇଥିଲା। ଶେଷରେ ଏହି ବିବାଦ ଯୋଗୁ ୨୦୨୦ରେ ମଧ୍ୟପ୍ରଦେଶରେ କ୍ଷମତାସୀନ କଂଗ୍ରେସ ସରକାର ଭୁଶୁଡ଼ି ପଡ଼ିଥିଲା। ସିନ୍ଧିଆ ୩୪ ବିଧାୟକଙ୍କ ସହ ବିଜେପିରେ ମିଶି ଆଜି କେନ୍ଦ୍ରମନ୍ତ୍ରୀ ଭାବେ କାମ କରୁଛନ୍ତି।

ରାଜସ୍ଥାନରେ ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଚାଲିଥିବା ବିବାଦ କଥା କାହାକୁ ଅଛପା ନାହିଁ। ଏହା ଦଳ ପାଇଁ ବୁମେରାଂ ହୋଇପାରେ ବୋଲି କୁହାଯାଉଛି। ଏକଦା ପାଇଲଟ କିଛି ବିଧାୟକଙ୍କୁ ନେଇ ଦିଲ୍ଲୀରେ ଡେରା ପକାଇଥିଲେ। କିଛି ଦିନର ଛକାପଞ୍ଝା ପରେ କଂଗ୍ରେସ ହାଇକମାଣ୍ଡ ପୂରା ବିବାଦରେ ହସ୍ତକ୍ଷେପ କରି ସମାଧାନ କରିଥିଲେ। ତଥାପି ପାଇଲଟ ଓ ଗେହଲଟ ପରସ୍ପରକୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି। 

ପଞ୍ଜାବ କଂଗ୍ରେସରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ହୋଇଥିଲା। ଦଳ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଭଳି ହେଭିୱେଟଙ୍କୁ ହରାଇଥିଲା। ଏଥିସହ ନିର୍ବାଚନରେ ଗାଦିଚ୍ୟୁତ ମଧ୍ୟ ହୋଇଥିଲା।

ତେଣୁ କର୍ଣ୍ଣାଟକାରେ ଯେମିତି ସେଭଳି କୌଣସି ସ୍ଥିତି ସୃଷ୍ଟି ନ ହେବ, ସେଥିପାଇଁ ହାଇକମାଣ୍ଡ ଉଦ୍ୟମ କରୁଛନ୍ତି। ସିଦ୍ଦରମୈୟା ଓ ଶିବକୁମାରଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧକୁ ଯଦି ହାଇକମାଣ୍ଡ ସମାଧାନ ନ କରିବେ, ତା’ହେଲେ ରାଜ୍ୟ କଂଗ୍ରେସରେ ବିଦ୍ରୋହ ସୃଷ୍ଟି ହେବ। ଏହା ୨୦୨୪ ସାଧାରଣ ନିର୍ବାଚନ ବେଳେ ଦଳ ପ୍ରଦର୍ଶନ ଉପରେ ପ୍ରଭାବ ମଧ୍ୟ ପକାଇବ। ତେଣୁ ବିବାଦର ସମାଧାନ ପାଇଁ କଂଗ୍ରେସ ନୂଆ ଯୋଜନା କରିଥିବା ଜଣାପଡ଼ିଛି।

ଦଳୀୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସିଦ୍ଦରମୈୟା ଓ ଶିବକୁମାରଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ସମାନ ଭାଗରେ ବଣ୍ଟାଯିବ। ସିଦ୍ଦରମୈୟା ୨.୫ ବର୍ଷ ଓ ଶିବକୁମାର ୨.୫ ବର୍ଷ ମୁଖ୍ୟମନ୍ତ୍ରୀ ଭାବେ କାମ କରିବେ। ସିଦ୍ଦରମୈୟା ଶେଷଥର ପାଇଁ ନିର୍ବାଚନ ଲଢ଼ିଛନ୍ତି।

ତାଙ୍କ ଛବି ମଧ୍ୟ ବେଶ ନିର୍ମଳ। ତେଣୁ ପ୍ରଥମ ଅଢ଼େଇ ବର୍ଷ ସେ ହିଁ ମୁଖ୍ୟମନ୍ତ୍ରୀ ହେବେ। ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ଥିବାରୁ କଂଗ୍ରେସ ସିଦ୍ଦରମୈୟାଙ୍କୁ ପ୍ରଥମେ ମୁଖ୍ୟମନ୍ତ୍ରୀ କରିବାକୁ ଲକ୍ଷ୍ୟ ରଖିଛି।

ତେବେ ଦଳ ଶିବକୁମାରଙ୍କୁ ମଧ୍ୟ ଅଣଦେଖା କରିପାରିବ ନାହିଁ। ସେ ୮ଥରର ବିଧାୟକ ଓ କଂଗ୍ରେସର ସଙ୍କଟମୋଚକ ଭାବେ ପରିଚିତ। ପୂରା କର୍ଣ୍ଣାଟକାରେ ଦଳକୁ ମ୍ୟାନେଜ କରିବା ପାଇଁ ତାଙ୍କର ଆବଶ୍ୟକତା ରହିଛି। ସାଧାରଣ ନିର୍ବାଚନ ବେଳେ ସେ ଦଳକୁ ବହୁତ ସହାୟତା କରିବେ।

କିନ୍ତୁ ଶିବକୁମାରଙ୍କ ନାଁରେ ଥିବା ଦୁର୍ନୀତି ମାମଲା କଂଗ୍ରେସକୁ ଡରାଇବାରେ ଲାଗିଛି। ବିରୋଧୀ ଏହାକୁ ପ୍ରସଙ୍ଗ କରି ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସକୁ ଅଡ଼ୁଆରେ ପକାଇ ପାରନ୍ତି। ତଥାପି ଶିବକୁମାର ଏତେ ସହଜରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ମୁଡରେ ମଧ୍ୟ ନାହାନ୍ତି।

Karnataka Karnataka Polls 2023 Siddaramaiah Karnataka Assembly Election