/odisha-reporter/media/media_files/2025/12/17/prithviraj-chavan-2025-12-17-11-08-05.jpg)
କଂଗ୍ରେସ ନେତା ପୃଥ୍ୱୀରାଜ
ଭାରତୀୟ ସେନାର ଅପରେସନ ସିନ୍ଦୂର(Operation Sindoor)କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ମହାରାଷ୍ଟ୍ରର କଂଗ୍ରେସ ନେତା ପୃଥ୍ୱୀରାଜ ଚୌହାନ। ସେ ଅପରେସନ ସିନ୍ଦୂର ସମ୍ପର୍କରେ ଦେଇଥିବା ବୟାନକୁ ନେଇ ତୀବ୍ର ବିବାଦ ଦେଖାଯାଇଛି। ତଥାପି ପୃଥ୍ୱୀରାଜ ନିଜ ବୟାନରେ କାଏମ ରହିଛନ୍ତି ଓ କ୍ଷମା ମାଗିବାକୁ ମନା କରି ଦେଇଛନ୍ତି। ମେ’ ମାସରେ ପାକିସ୍ତାନ ସହ ହୋଇଥିବା ସାମରିକ ବିବାଦର ପ୍ରଥମ ଦିନରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ବୋଲି ପୃଥ୍ୱୀରାଜ କହିଥିଲେ।
ଏବେ ସେ ଏହି ବୟାନ ପାଇଁ କ୍ଷମା ମାଗିବାକୁ ମନା କରି ଦେଇଛନ୍ତି। ସେ କହିଛନ୍ତି, “ମୁଁ ଆଦୌ କ୍ଷମା କିମ୍ବା ଦୁଃଖ ପ୍ରକାଶ କରିବି ନାହିଁ। ମୁଁ କିଛି ବି ଭୁଲ କରି ନାହିଁ। ଏଥିପାଇଁ କ୍ଷମା ମାଗିବାର କୌଣସି ଆବଶ୍ୟକତା ନାହିଁ। ଏବେ ଏ ସମ୍ପର୍କରେ ମୋର କିଛି କହିବାର ନାହିଁ। କିନ୍ତୁ ମୁଁ କ୍ଷମା ମାଗିବି ନାହିଁ। ଏହାର ଆବଶ୍ୟତା ନାହିଁ। ମୁଁ କୌଣସି ଭୁଲ କରିନାହିଁ।”
ପୃଥ୍ୱୀରାଜ କ୍ଷମା ମାଗିବାକୁ ମନା କରି ଦେଇଥିବା ବେଳେ ଏହାକୁ ସଂସଦରେ ବିଜେପି ବଡ଼ ପ୍ରସଙ୍ଗ କରିବାର ଯଥେଷ୍ଟ ସମ୍ଭାବନା ରହିଛି। କଂଗ୍ରେସ ପକ୍ଷରୁ ଜି ରାମ ଜି ଯୋଜନା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏ ସବୁ ଭିତରେ ବିଜେପି ମଧ୍ୟ କଂଗ୍ରେସକୁ ଘେରିବାକୁ ପ୍ରସଙ୍ଗ ପାଇ ଯାଇଛି।
ଅପରେସନ ସିନ୍ଦୂରର ପ୍ରଥମ ଦିନରେ ଭାରତୀୟ ଯୁଦ୍ଧ ବିମାନକୁ ପାକିସ୍ତାନ ସେନା ଖସାଇ ଦେଇଥିବା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଦାବି କରିବା ପରେ ବିବାଦ ସୃଷ୍ଟି ହୋଇଥିଲା। ପୁଣେରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଏପରି ବୟାନ ଦେଇଥିଲେ। ବୁଧବାର ସକାଳେ ତାଙ୍କୁ ଏହି ପ୍ରସଙ୍ଗରେ ପ୍ରଶ୍ନ କରାଯିବାରୁ ସେ ନିଜ ବୟାନରେ କାଏମ ଥିବା କହିଛନ୍ତି।
ଏହାକୁ ଆଧାର କରି ବିଜେପିର ରାଜ୍ୟସଭା ସାଂସଦ ବ୍ରିଜ ଲାଲ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ମୁଁ ଦୃଢ଼ ଭାବେ ଏହି ବୟାନକୁ ନିନ୍ଦା କରୁଛି। କଂଗ୍ରେସ ସବୁବେଳେ ପାକିସ୍ତାନ ସପକ୍ଷବାଦୀ ଓ ସବୁବେଳେ ଦେଶକୁ ନିଚ୍ଛା କରି ଦେଖାଇ ଚାଲିଛି। ସେମାନଙ୍କ ନେତା ରାହୁଲ ଗାନ୍ଧି ଯେତେବେଳେ ବିଦେଶ ଯାଉଛନ୍ତି ସେତେବେଳେ ଭାରତକୁ ଅପମାନିତ କରୁଛନ୍ତି। ପୂରା ଦେଶ ଏସବୁ ଦେଖୁଛି। ଲୋକମାନେ କଂଗ୍ରେସକୁ ଉପଯୁକ୍ତ ଶିକ୍ଷା ଦେବେ।”
ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ଏହି ପ୍ରସଙ୍ଗରେ ବୟାନ ରଖାଯାଇଛି। ଦଳର ରାଜ୍ୟସଭା ସାଂସଦ ପ୍ରମୋଦ ତିୱାରୀ ଭାରତୀୟ ସେନାର ବୀରତା ପ୍ରଶଂସା କରିଛନ୍ତି। ହେଲେ ସେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି।
ଏପ୍ରିଲ ୨୨ ପହଲଗାମ ନରସଂହାରର ବଦଲା ନେବାକୁ ଭାରତୀୟ ସେନା ମେ’ ୬-୭ରେ ଅପରେସନ ସିନ୍ଦୂର ଆରମ୍ଭ କରଥିଲେ। ଏହି ଅପରେସନ ଜରିଆରେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ୯ଟି ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିଲା। ଏହା ବିରୋଧରେ ପାକିସ୍ତାନ କାଉଣ୍ଟର ଆଟାକ କରିଥିବା ବେଳେ ଭାରତର ଏୟାର ଡିଫେନ୍ସ ସିଷ୍ଟମ ସବୁ କିଛି ଫଣ୍ଡ କରି ଦେଇଥିଲା।
ଦୁଇ ଦେଶ ମଧ୍ୟରେ ୯୬ ଘଣ୍ଟା ଧରି ସାମରିକ ଲଢ଼େଇ ହୋଇଥିଲା। ପାକିସ୍ତାନ ଆକ୍ରମଣ ପାଇଁ ବ୍ୟବହାର କରଥିବା ଏଫ ୧୬ ଓ ଜେ୧୭ ବିମାନ ବ୍ୟବହାର କରିଥିଲେ ହେଁ ଏହାକୁ ଭାରତୀୟ ସେନା ଖସାଇ ଦେଇଥିଲା। ଶେଷରେ ପାକିସ୍ତାନ ମେ’ ୧୦ରେ ଯୁଦ୍ଧ ବିରତି ଲାଗୁ କରିବାକୁ ନେହୁରା ହେବାରୁ ଭାରତୀୟ ସେନା ଆକ୍ରମଣ ବନ୍ଦ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
