Advertisment

Stampede: କରୁର ଦଳାଚକଟା; ଷଡ଼ଯନ୍ତ୍ରର ଦୁର୍ଗନ୍ଧ ବାରିଲେ ବିଜୟ, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ଦଳ

ତାମିଲନାଡୁର କରୁରରେ ଶନିବାର ଅଭିନେତାରୁ ରାଜନେତା ପାଲଟିଥିବା ବିଜୟ ଥଲାପତିଙ୍କ ରାଲି ବେଳେ ୪୦ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ହି ଘଟଣାକୁ ନେଇ ତାମିଲନାଡୁ ରାଜନୀତିରେ ଉଷ୍ମତା ଦେଖାଦେଇଛି।

Vijay

ବିଜୟ ଥଲାପତିଙ୍କ ରାଲି Photograph: (ଫାଇଲ ଫଟୋ)

Advertisment

ତାମିଲନାଡୁର କରୁରରେ ଶନିବାର ଅଭିନେତାରୁ ରାଜନେତା ପାଲଟିଥିବା ବିଜୟ ଥଲାପତିଙ୍କ ରାଲି ବେଳେ ୪୦ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ତାମିଲନାଡୁ ରାଜନୀତିରେ ଉଷ୍ମତା ଦେଖାଦେଇଥିବା ବେଳେ ବିଜୟ ଥଲାପତି ଓ ତାଙ୍କ ଦଳର ନେତାମାନେ ଏହା ପଛରେ ଷଡ଼ଯନ୍ତ୍ରର ଦୁର୍ଗନ୍ଧ ବାରିଛନ୍ତି। ସେଥିପାଇଁ ବିଜୟ ଥଲାପତିଙ୍କ ଦଳ ‘ଟିଭିକେ’ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ ଅବା ସିବିଆଇ ଦ୍ୱାରା ଏହି ଘଟଣାର ତଦନ୍ତ କରିବାକୁ ଦଳ ଦାବି କରିଛି। ଅନ୍ୟପକ୍ଷରେ ରାଜ୍ୟ ସରକାର ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଏଥିପାଇଁ ନିଯୁକ୍ତ ହାଇକୋର୍ଟର ପୂର୍ବତନ ବିଚାରପତି ଅରୁଣ ଜଗଦୀଶନ ତଦନ୍ତ ଆରମ୍ଭ କରିଦେଇଛନ୍ତି। ସେ ଆଜି ଘଟଣାସ୍ଥଳକୁ ଯାଇ ଛାନଭିନ କରିଛନ୍ତି। 

Advertisment

ଟିଭିକେର ଲିଗାଲ ୱିଙ୍ଗ୍ ରାଜ୍ୟ ସଂଯୋଜକ ଅରିବାଝଗନ କହିଛନ୍ତି, ଏହା ଏକ ଅପରାଧିକ ଷଡ଼ଯନ୍ତ୍ର। ସ୍ଥାନୀୟ ଲୋକଙ୍କଠାରୁ ଆମେ ଷଡ଼ଯନ୍ତ୍ର ନେଇ ବିଶ୍ୱାସନୀୟ ସୂଚନା ଓ ତଥ୍ୟ ପାଇଛୁ। ଆମ ପାଖରେ କିଛି ସିସିଟିଭି ଫୁଟେଜ୍ ମଧ୍ୟ ଅଛି। ସରକାରୀ ଦଳର କିଛି କାର୍ଯ୍ୟକର୍ତ୍ତା ଆମ ବିରୋଧରେ ଷଡ଼ଯନ୍ତ୍ର କରିଛନ୍ତି। 

ବିଜୟ ଥଲାପତିଙ୍କ ରାଲି ସୁରକ୍ଷା ମାର୍ଗଦର୍ଶିକାକୁ ଉଲ୍ଲଂଘନ କରିଥିବା ନେଇ ଡିଏମ୍‌କେ ନେତୃତ୍ୱାଧୀନ ସରକାରଙ୍କ ପକ୍ଷରୁ କୁହାଯାଇଥିବା ବେଳେ ଏହାକୁ ଖଣ୍ଡନ କରିଛି ଟିଭିକେ। ଦଳ ପକ୍ଷରୁ ଅରିବାଝଗନ କହିଛନ୍ତି, ପୁଲିସ ଦ୍ୱାରା ଜାରି କରାଯାଇଥିବା କୌଣସି ନିୟମକୁ ଆମେ କୌଣସି ପରିସ୍ଥିତିରେ ଉଲ୍ଲଂଘନ କରିନାହୁଁ। ଗତ କିଛି ମାସରେ ଟିଭିକେ ମଦୁରାଇ, ତ୍ରିଚୀ, ଆରିୟାଲୁର, ଥିରୁବରୁର, ନାଗାପଟ୍ଟିନମ ଓ ନମକ୍କାଲରେ ଅନେକ କାର୍ଯ୍ୟକ୍ରମ କରିଛୁ। କିନ୍ତୁ କରୁରରେ କାହିଁକି ଏମିତି ଏକ ଘଟଣା ଘଟିଲା? ଏହା ସନ୍ଦେହ ସୃଷ୍ଟି କରୁଛି। 

Advertisment

ଅନ୍ୟପକ୍ଷରେ ଟିଭିକେର ଷଡ଼ଯନ୍ତ୍ର ଅଭିଯୋଗ ଉପରେ ଡିଏମ୍‌କେ କିଛି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛି। ଦଳର ମୁଖପାତ୍ର ଡକ୍ଟର ସୟିଦ ହାଫିଜୁଲ୍ଲା କହିଛନ୍ତି, ଆମେ ଏହି ଘଟଣାର ରାଜନୀତିକରଣ କରିବାକୁ ଚାହୁଁନାହୁଁ। ଆଇନ ତା’ ବାଟରେ ଯିବ। ଯେଉଁମାନେ ଏଭଳି ଅଭିଯୋଗ ଆଣୁଛନ୍ତି, ସେମାନେ ପ୍ରଥମେ ଆତ୍ମସମୀକ୍ଷା କରିବା ଉଚିତ ଯେ ସେମାନେ କେମିତି ବ୍ୟବହାର କରୁଛନ୍ତି। 

ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜୟ ଥଲାପତିଙ୍କ ରାଲି ପାଇଁ କରୁରରେ ମଧ୍ୟାହ୍ନରୁ ଆସି ଲୋକେ ପହଞ୍ଚି ଯାଇଥିଲେ। କିନ୍ତୁ ବିଜୟ ଥଲାପତି ସନ୍ଧ୍ୟା ୭ଟାରେ ସେଠାରେ ପହଞ୍ଚିଥିଲେ। ୧୦ ହଜାର ଲୋକ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ସ୍ଥଳରେ ୨୭ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। କୁହାଯାଉଛି, ବିଜୟ ଥଲାପତି ଜାଣିଶୁଣି କାର୍ଯ୍ୟକ୍ରମସ୍ଥଳକୁ ବିଳମ୍ବରେ ଆସିଥିଲେ। ତାଙ୍କ ଦଳ ସେଠାରେ ଅଧିକରୁ ଅଧିକ ଲୋକଙ୍କୁ ରୁଣ୍ଡ କରିବାକୁ ଚାହୁଁଥିଲା।

ତାମିଲନାଡୁ ଡିଜିପି କହିଛନ୍ତି ଯେ ଏହି ରାଲି ପାଇଁ ଲୋକଙ୍କୁ ଖରାରେ ବହୁ ସମୟ ଧରି ବିନା ଖାଦ୍ୟ ଓ ପାଣିରେ ଅପେକ୍ଷା କରିବାକୁ ପଡ଼ିଥିଲା। ମଧ୍ୟାହ୍ନରେ ରାଲି ହେବ ବୋଲି ଲୋକଙ୍କୁ କୁହାଯାଇଥିଲା। ସେଥିପାଇଁ ଲୋକେ ଦିନ ୧୧ଟାରୁ ସେଠାରେ ପହଞ୍ଚିବା ଆରମ୍ଭ କରି ଦେଇଥିଲେ। କିନ୍ତୁ ସେ (Vijay Thalapathy) ଆସିଥିଲେ ରାତି ୭ଟା ୪୦ରେ।  

ଏହି ସବୁ ଦାବିକୁ ଟିଭିକେର ଓକିଲ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଆମ ପକ୍ଷରୁ ବିଳମ୍ବ ହୋଇ ନଥିଲା। ନିମ୍ନମାନର ଟ୍ରାଫିକ ପରିଚାଳନା ଯୋଗୁ ବିଳମ୍ବ ହୋଇଥିଲା। ଟ୍ରାଫିକ ସମସ୍ୟା ପାଇଁ ବିଜୟ ଥଲାପତି ଠିକ୍ ସମୟରେ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚି ପାରି ନଥିଲେ।

ସୋଶାଲ ମିଡିଆରେ କିଛି ଭିଡିଓ ଭାଇରାଲ ହେଉଛି। ସେଥିରେ ମଝିରେ ବିଜୟ ଭାଷଣ ବନ୍ଦ କରି ସମର୍ଥକଙ୍କ ଆଡ଼କୁ ପାଣି ପୋତଲ ଫୋପାଡ଼ୁଥିବା ଦେଖିବାକୁ ମିଳିଛି। କୁହାଯାଉଛି, ସେ ଭାଷଣ ଦେଉଥିବା ବେଳେ କିଛି ଲୋକ ଅଚେତ ହୋଇଯାଇଥିଲେ। ଏହା ଦେଖି ସେ ଅଳ୍ପ ସମୟ ପାଇଁ ଭାଷଣ ବନ୍ଦ କରି ପାଣି ବୋତଲ ଫୋପାଡ଼ି ଥିଲେ। କିନ୍ତୁ ପରେ ପରେ ଦଳଚକଟା ହୋଇଥିଲା। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ବିଜୟ ତାଙ୍କ ଭାଷଣ କାଣ୍ଟଛାଣ୍ଟ କରି ସେଠାରୁ ପଳାଇ ଯାଇଥିଲେ। ସେ ତ୍ରିଚୀ ଯାଇ ସେଠାରୁ ଏକ ଘରୋଇ ବିମାନରେ ଚେନ୍ନାଇ ପଳାଇଥିଲେ।  

ଏହି ଘଟଣାକୁ ନେଇ ଟିଭିକେର ସାଧାରଣ ସଂପାଦକ ଏନ୍ ଆନନ୍ଦ, ଯୁଗ୍ମ ସାଧାରଣ ସଂପାଦକ ନିର୍ମଳ କୁମାର ଓ କରୁର ପଶ୍ଚିମ ଜିଲ୍ଲା ସଂପାଦକ ଭିପି ମଥିୟାଝଗନଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ସେମାନେ ସମସ୍ତେ ଜେରାର ସମ୍ମୁଖୀନ ହେବେ ବୋଲି ଜଣାପଡ଼ିଛି।    
  

Vijay Thalapathy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe