/odisha-reporter/media/post_attachments/uploadimage/library/16_9/16_9_0/Air_Chief_1748518730.jpg)
Air Chief
ଭାରତର ଏୟାର ଚିଫ ମାର୍ଶଲ ଅମର ପ୍ରୀତ ସିଂହ ସାଂଘାତିକ କଥା କହିଛନ୍ତି। ବଡ଼ବଡ଼ ପ୍ରତିରକ୍ଷା ପ୍ରୋଜେକ୍ଟରେ ବିଳମ୍ବ ହେଉଥିବାରୁ ଏହାକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ସିଆଇଆଇ ବିଜନେସ ସମ୍ମିଳନୀରେ ପ୍ରତିରକ୍ଷା ସାମଗ୍ରୀ ଠିକ ସମୟରେ ସେନା ବାହିନୀ ପାଖରେ ପହଞ୍ଚି ପାରୁ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି।
ସେ କହିଛନ୍ତି, “ଅନେକ ସମୟରେ ଚୁକ୍ତି କରିବା ବେଳେ ଆମେ ଭଲ ଭାବେ ଜାଣିଥାଉ ଯାଏ ଉକ୍ତ ସାମଗ୍ରୀ କେବେ ହେଲେ ଆସିବ ନାହିଁ। ସମୟସୀମା ଏଠାରେ ସବୁଠାରୁ ବଡ଼ ପ୍ରସଙ୍ଗ। କୌଣସି ଗୋଟିଏ ହେଲେ ପ୍ରତିରକ୍ଷା ପ୍ରୋଜେକ୍ଟ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ ହୋଇଥିବା ମୁଁ ଜାଣିନି। ହାସଲ କରିପାରୁ ନଥିବା ଜିନିଷକୁ ନେଇ କାହିଁକି ପ୍ରତିଶ୍ରୁତି ଦେବା?”
ବିଭିନ୍ନ ପ୍ରତିରକ୍ଷା ସାମଗ୍ରୀ ବିଶେଷ କରି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ ହେଉଥିବା ଯୁଦ୍ଧାସ୍ତ୍ରର ଡେଲିଭରୀରେ ବାରମ୍ବାର ବିଳମ୍ବ ହେଉଥିବାରୁ ଆଜି ବାୟୁ ସେନା ମୁଖ୍ୟ ଏପରି ଚିନ୍ତା ପ୍ରକଟ କରିଛନ୍ତି। ହାଲୁକା ଲଢ଼ୁଆ ଯୁଦ୍ଧବିମାନ(ଏଲସିଏ) କାର୍ଯ୍ୟକ୍ରମ କଥା ଉଠାଇ ବାୟୁ ସେନା ମୁଖ୍ୟ କହିଛନ୍ତି, ତେଜସ ଏମକେ ୧ଏ ଯୁଦ୍ଧ ବିମାନ ପାଇଁ ଏଚଏଏଲ୍ ସହ ୪୮ ହଜାର କୋଟି ଟଙ୍କାର ଚୁକ୍ତି ଫେବୃଆରୀ ୨୦୨୧ରେ ହୋଇଥିଲା।
ହେଲେ ଏଯାଏ ୮୩ଟି ଯୁଦ୍ଧ ବିମାନରୁ ଗୋଟିଏ ବି ପହଞ୍ଚି ପାରିନି। ବାସ୍ତବରେ ଯୁଦ୍ଧ ବିମାନ ଡେଲିଭରୀ କରିବାର ପ୍ରକ୍ରିୟା ୨୦୨୪ ମାର୍ଚ୍ଚରୁ ଆରମ୍ଭ ହେବାର ଥିଲା। ତେଜସ ଏମକେ ୧ର ଯୋଗାଣ ବିଳମ୍ବ ହୋଇଥିଲା। ତେଜସ ଏମେକ ୨ର ପ୍ରୋଟୋଟାଇପ ଏଯାଏ ଚାଲି ପାରିନି। ଏମଏମସିଏ ଯୁଦ୍ଧ ବିମାର କୌଣସି ପ୍ରୋଟୋଟାଇପ ବାୟୁ ସେନା ପାଖରେ ନାହିଁ।”
ପ୍ରୋଟୋଟାଇପ ବିମାନର ଅର୍ଥ ଟ୍ରେନି ବିମାନ ବା ପରୀକ୍ଷା ମୂଳକ ଭାବେ ଦିଆଯାଉଥିବା ବିମାନ। ବାୟୁସେନା ମୁଖ୍ୟ ଏପରି ବୟାନ ଦେବା ବେଳେ ସେଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ। ଭାରତର ସରକାର ସ୍ୱଦେଶୀ ଜ୍ଞାନକୌଶଳ ଓ ଆତ୍ମନିର୍ଭର ଭାରତ ଅଭିଯାନ କଥା କହୁଥିବା ବେଳେ ବାୟୁସେନା ମୁଖ୍ୟ ଏହାକୁ ତେର୍ଚ୍ଛା ବାଣ ମାରିଛନ୍ତି।
ସେ କହିଛନ୍ତି, “ଆମେ କେବଳ ଭାରତରେ ଉତ୍ପାଦନ କଥା କହିଲେ ହେବନି, ଆମକୁ ଏହାର ଡିଜାଇନ ସମ୍ପର୍କରେ ମଧ୍ୟ ବିଚାର କରିବାକୁ ପଡ଼ିବ। ସେନା ବାହିନୀ ଓ ଇଣ୍ଡଷ୍ଟ୍ରୀ ମଧ୍ୟରେ ଗୋଟିଏ ବିଶ୍ୱାସର ବାତାବରଣ ରହିବା ଦରକାର। ଆମକୁ ସବୁ କଥା ଖୋଲାଖୋଲି ଭାବେ ହେବାକୁ ପଡ଼ିବ। ଯେତେବେଳେ ଆପଣ କୌଣସି ପ୍ରତିଶ୍ରୁତି ଦେଉଛନ୍ତି ସେତେବେଳେ ଆପଣଙ୍କୁ ସେହି ଅନୁସାରେ ତା’କୁ କାର୍ଯ୍ୟରେ ପରିଣତ କରିବାକୁ ପଡ଼ିବ।
ବାୟୁ ସେନା ମେକ ଇନ ଇଣ୍ଡିଆକୁ ସଫଳ କରିବା ପାଇଁ ତା’ର ଶତପ୍ରତିଶତ ଦେଉଛି। ଆମକୁ ଏବେ ଠାରୁ ଭବିଷ୍ୟତ ପାଇଁ ପ୍ରସ୍ତୁତି କରିବାକୁ ପଡ଼ିବ। ଆମକୁ ୧୦ ବର୍ଷ ମଧ୍ୟରେ ଶିଳ୍ପ ଠାରୁ ଅଧିକ ଆଉଟ ପୁଟ ଆବଶ୍ୟକ। କିନ୍ତୁ ଆଜି ଆମକୁ ଆଜି ଯାହା ଦରକାର, ଆମକୁ ସେଇଟା ଆଜି ହିଁ ଦରକାର। ଆମକୁ ଆମ କାମ ସବୁ ଶୀଘ୍ର ମିଳିତ ଭାବେ କରିବାକୁ ପଡ଼ିବ। ଯୁଦ୍ଧ ସେନା ବାହିନୀକୁ ସଶକ୍ତ କରି ଜିତିବାକୁ ପଡ଼ିଥାଏ।”
ପ୍ରଥମଥର ପାଇଁ ବାୟୁ ସେନା ମୁଖ୍ୟ ଭାରତର ପ୍ରତିରକ୍ଷା ଉତ୍ପାଦନ ବ୍ୟବସ୍ଥାକୁ ନେଇ ଏପରି ଅସନ୍ତୋଷ ପ୍ରକାଶ କରି ନାହାନ୍ତି। ଏହାପୂର୍ବରୁ ଅକ୍ଟୋବର ମାସରେ ମଧ୍ୟ ସେ ଯୁଦ୍ଧାସ୍ତ୍ର ଯୋଗାଣରେ ବିଳମ୍ବକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ଗତବର୍ଷ ଅକ୍ଟୋବରରେ ସେ କହିଥିଲେ ଯେ ସାମରିକ ଜ୍ଞାନକୌଶଳରେ ଏକଦା ଭାରତ ପଡ଼ୋଶୀ ଚାଇନା ଠାରୁ ଆଗରେ ଥିଲା। କିନ୍ତୁ ଏହାପରେ ଭାରତ ପଛରେ ପଡ଼ି ଯାଇଛି। ଉତ୍ପାଦନ ସଂଖ୍ୟାକୁ ଦେଖିଲେ, ଆମେ ଚାଇନା ଠାରୁ ଯଥେଷ୍ଟ ପଛରେ ରହିଛୁ। ଆମକୁ ଏହା ସହ ସମାନ ହେବାକୁ ପଡ଼ିବ ବୋଲି ସେ କହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
