Advertisment

ଆତଙ୍କବାଦୀଙ୍କ ଉପରେ ବହି ଲେଖିବା ସହ ଦେଉଥିଲେ ବୋମା ଧମକ, ବନ୍ଧାହେଲେ ଲେଖକ

ପୁଲିସ୍‌ ମହାରାଷ୍ଟ୍ରର ନାଗପୁରରୁ ଜଣେ ଯୁବକଙ୍କୁ ବାନ୍ଧିଛି। ଗିରଫ ଯୁବକଜଣକ ୩୫ ବର୍ଷୀୟ ଜଗଦୀଶ ଉଇକି ବୋଲି ଜଣାଯାଇଛି।

author-image
Niharika Rout
Arrest

Arrest

କେତେବେଳେ ବିମାନକୁ ବୋମାରେ ଉଡ଼ାଇ ଦେବାକୁ ମିଳୁଛି ଧମକ ତ କେତେବେଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଉ ସରକାରୀ ଅଫିସକୁ ବି ମିଳୁଛି ଧମକ । ବଡ଼ ବଡ଼ ନେତା ବି ଏଥିରୁ ବାଦ ପଡ଼ୁ ନାହାନ୍ତି। ଏପରି ଧମକପୂର୍ଣ୍ଣ ମେସେଜ ଓ ଫୋନ୍‌ କଲ୍‌ ପାଇ ତଦନ୍ତ କରି କରି ହାଲିଆ ହୋଇ ପଡ଼ିଥିବା ପୁଲିସ୍‌କୁ ଶେଷରେ ମିଳିଛି ସଫଳତା।

Advertisment

ପୁଲିସ୍‌ ମହାରାଷ୍ଟ୍ରର ନାଗପୁରରୁ ଜଣେ ଯୁବକଙ୍କୁ ବାନ୍ଧିଛି। ଗିରଫ ଯୁବକଜଣକ ୩୫ ବର୍ଷୀୟ ଜଗଦୀଶ ଉଇକି ବୋଲି ଜଣାଯାଇଛି। ସେ ଜଣେ ଲେଖକ ହୋଇଥିବା ବେଳେ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଧମକପୂର୍ଣ୍ଣ କଲ୍‌ ଓ ମେସେଜ ଓ ମେଲ୍‌ କରିଥିବା ଜଣାଯାଇଛି। ତାଙ୍କ ଘର ମହାରାଷ୍ଟ୍ରର ଗୋଣ୍ଡିଆ ଜିଲ୍ଲାରେ ହୋଇଥିବା ବେଳେ ସେ ଦିଲ୍ଲୀରୁ ନାଗପୁରରେ ପହଞ୍ଚିବା ପରେ ତାଙ୍କୁ ବାନ୍ଧିଛି ପୁଲିସ୍‌। ଏହାପୂର୍ବରୁ ସେ ଏପରି ଏକ ମାମଲାରେ ୨୦୨୧ ମସିହାରେ ବନ୍ଧା ହୋଇଥିଲେ।

ନାଗପୁର ଡିସିପିଙ୍କ ସୂଚନା ଅନୁଯାୟୀ, ଜଗଦୀଶ ଉଇକି ଆତଙ୍କବାଦୀ ଉପରେ ବହି ଲେଖୁଥିବା ବେଳେ ତାହା ଆମାଜନ ସାଇଟ୍‌ରେ ବି ଉପଲବ୍ଧ ଅଛି। ପୁଲିସ୍‌ ତାଙ୍କ ମୋବାଇଲ, ଲାପଟପ୍‌ ଆଦି ଜବତ କରିଥିବା ବେଳେ ସେଥିରୁ ବିଭିନ୍ନ ସ୍ଥାନକୁ ଧମକପୂର୍ଣ୍ଣ ମେସେଜ ପଠା ଯାଇଥିବା ଜଣାଯାଇଛି। ଉଇକିଙ୍କର କୌଣସି ଆତଙ୍କବାଦୀ ସଙ୍ଗଠନ ସହ ସମ୍ପର୍କ ଥିବା ନେଇ ପୁଲିସ୍‌କୁ ଠୋସ୍‌ ପ୍ରମାଣ ମିଳି ନ ଥିବା ବେଳେ ଏହା ଏକ ପବ୍ଲିସିଟି ଷ୍ଟଣ୍ଟ ବୋଲି ପୁଲିସ୍‌ ଅନୁମାନ କରୁଛି।

Advertisment

ଗତ ମାସ ୨୫ରୁ ୩୦ ତାରିଖ ମଧ୍ୟରେ ପ୍ରାୟ ୩୦ରୁ ଅଧିକ ଜାଗାରେ ବୋମା ଖଞ୍ଜା ଯାଇଥିବା ନେଇ ଉଇକି ବିଭିନ୍ନ ନମ୍ବର ତଥା ମେଲ୍‌କୁ ଧମକପୂର୍ଣ୍ଣ କଲ୍‌ କରିବା ସହ ମେସେଜ ପଠାଇଥିବା ଜଣାଯାଇଛି। ଜଗଦୀଶଙ୍କ କମ୍ପ୍ୟୁଟରର IP Address ଠାବ କରି ପୁଲିସ୍‌ ତାଙ୍କୁ ଗିରଫ କରିଛି।

ଜଗଦୀଶ କେନ୍ଦ୍ର ମନ୍ତ୍ରୀ ଅଶ୍ୱୀନୀ ବୈଷ୍ଣବ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିଶଙ୍କ ପାଖକୁ ଧମକପୂର୍ଣ୍ଣ ମେସେଜ ପଠାଇଥିଲେ। ଏଥିସହ ବିଭିନ୍ନ ବିମାନ ସେବା ପ୍ରଦାନକାରୀ ସଂସ୍ଥାଙ୍କୁ ମେସେଜ ପଠାଇ ବୋମା ଖଞ୍ଜାଯାଇଥିବା ଧମକ ଦେଇଥିଲେ। ଏପରିକି ଦେଶର ୬ଟି ବିମାନବନ୍ଦର ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦର ସ୍କାନରରେ ଥିବା କହିଥିଲେ। ଏଥିନିମନ୍ତେ ସମଗ୍ର ଦେଶରେ ବିମାନବନ୍ଦରରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଛାନଭିନ ପ୍ରକ୍ରିୟାକୁ ବି ତ୍ୱରାନ୍ୱିତ କରାଯାଇଥିଲା।

ସବୁଠୁ ରୋଚକ କଥା ହେଉଛି, ମାର୍କେଟ ଅଞ୍ଚଳରେ ବୋମା ଥିବାର ଧମକ ଦେଲେ ଜଗଦୀଶ- M, ରେଲୱେ ପାଇଁ - R ଓ ବିମାନ ପାଇଁ - A ଅକ୍ଷରର ବ୍ୟବହାର କରୁଥିଲେ। ପଚରାଉଚରା ପରେ ଜଗଦୀଶ ଏହା କହିଥିବା କହିଛନ୍ତି ପୁଲିସ୍‌ ଅଧିକାରୀ।

Maharashtra Arrest Bomb Threat