/odisha-reporter/media/media_files/2026/01/08/cop-2026-01-08-16-27-11.jpg)
ରେଶମା
ବୁଧବାର ରାତି ପ୍ରାୟ ୧୧। କାନୁପୁରର ଅଧିକାଂଶ ଲୋକ ଶୋଇବାକୁ ଯାଉଥିଲେ। କିନ୍ତୁ ତିକୱାପୁର ଗାଁରେ ହଠାତ ପହଞ୍ଚିଥିଲେ କିଛି ପୁଲିସ୍। ସେମାନଙ୍କ ସହ କିଛି ଶ୍ରମିକ ମଧ୍ୟ ରହିଥିଲେ। ଅନ୍ଧାର ସାଙ୍ଗକୁ ପ୍ରବଳ ଥଣ୍ଡା। ତଥାପି ପୁଲିସ୍ ଓ ଶ୍ରମିକମାନେ ନିଜ କାମରେ ଲାଗି ପଡ଼ିଥିଲେ।
ପୁଲିସ୍ ଭ୍ୟାନର ହେଡଲାଇଟ୍ ଓ ମୋବାଇଲ ଆଲୁଅରେ ଶ୍ରମିକମାନେ ଗାଁର ଟାୱାର ନିକଟରେ ମାଟିକୁ ଖୋଲିବାକୁ ଲାଗିଥିଲେ। ୭ ଫୁଟ ମାଟି ଖୋଲିବା ପରେ ମିଳିଥିଲା ଗୋଟିଏ କଙ୍କାଳ। ଏହି ହାଡ଼ ହିଁ ପ୍ରେମ, ଘୃଣା ଓ ଧୋକାର କାହାଣୀକୁ ପୁଲିସ୍କୁ ଜଣାଇଥିଲା।
କଙ୍କଳା କାହାର ?
ପୁଲିସ୍ର କହିବା କଥା ଯେ କଙ୍କାଳଟି ହେଉଛି ୪୫ ବର୍ଷୀୟ ରେଶମାଙ୍କର। ସେ ୭ ସନ୍ତାନର ଜନନୀ। ପ୍ରାୟ ୧୦ ମାସ ତଳେ ରେଶମାଙ୍କୁ ତାଙ୍କ ପ୍ରେମିକ ଗୋରେଲାଲ ହତ୍ୟା କରିଥିଲେ। ରେଶମାଙ୍କ ପୁଅ ବବଲୁ ନିଜ ମା’ଙ୍କୁ ଖୋଜିବା ସହ ଗୋରେଲାଲଙ୍କୁ ଏ ସମ୍ପର୍କରେ ପଚାରିଥିଲେ। ହେଲେ ଗୋରେଲାଲ ତାଙ୍କ ମା’ ଆଉ ଫେରିବେ ନାହିଁ ବୋଲି କହିଥିଲେ।
ପ୍ରଥମେ ଏକଥାକୁ ବବଲୁ ମଜାରେ ନେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଗୋରେଲାଲ ତାଙ୍କ ପ୍ରଶ୍ନର ଉତ୍ତର ଦେବା ବନ୍ଦ କରି ଦେଇଥିଲେ। ତାଙ୍କ ଉପରେ ସନ୍ଦେହ କରି ବବଲୁ ଡିସେମ୍ବର ୨୯ରେ ଗୋଟିଏ ନିଖୋଜ ମାମଲା ପୁଲିସରେ ଦାଖଲ କରିଥିଲେ। ପୁଲିସ୍ ଘଟଣାର ତଦନ୍ତ କରି ଗୋରେଲାଲଙ୍କୁ ଉଠାଇ ନେଇଥିଲା। ଅଧିକ ତଦନ୍ତ ପରେ ରେଶମାଙ୍କୁ ହତ୍ୟା କରିବା ମାମଲାରେ ପୁଲିସ୍ ଗୋରେଲାଲଙ୍କୁ ଗିରଫ କରିଛି।
ମୃତ୍ୟୁ ଓ ପ୍ରେମ
ରେଶମାଙ୍କ ସ୍ୱାମୀ ରାମବାବୁଙ୍କ ମୃତ୍ୟୁ ୩ ବର୍ଷ ତଳେ ହୋଇଯାଇଥିଲା। ଏହି ଦମ୍ପତିଙ୍କ ୪ଟି ପୁଅ ଓ ୩ ଝିଅ ରହିଥିଲେ। ହେଲେ ସ୍ୱାମୀଙ୍କ ଦେହାନ୍ତ ପରେ ରେଶମା ପ୍ରେମରେ ପଡ଼ିଥିଲେ। ପଡ଼ୋଶୀ ଭାବେ ରହୁଥିବା ଗୋରେଲାଲଙ୍କ ସହ ତାଙ୍କର ଆରମ୍ଭ ହୋଇଥିଲା ଅନୈତିକ ସମ୍ପର୍କ। କିଛି ମାସ ପରେ ସେ ନିଜର ପିଲାମାନଙ୍କୁ ଛାଡ଼ି ଦେଇ ଗୋରେଲାଲଙ୍କ ସହ ରହିବା ଆରମ୍ଭ କରିଥିଲେ। ମା’ଙ୍କ ଏପରି ନିଷ୍ପତ୍ତି ପିଲାମାନଙ୍କୁ ବେଶ ଆଘାତ ଦେଇଥିଲା। ଏଥିଯୋଗୁ ସେମାନେ ମା’ ରେଶମାଙ୍କ ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରି ଦେଇଥିଲେ।
ବାହାଘର ଓ ପୁଅର ଯାଞ୍ଚ
ଗୋରେଲାଲଙ୍କ ପାଖକୁ ମା’ ଚାଲି ଯିବାରୁ ପୁଅ ବବଲୁ ତାଙ୍କ ସହ କୌଣସି ସମ୍ପର୍କ ରଖୁ ନଥିଲେ। କିନ୍ତୁ ନଭେମ୍ବର ୨୯ରେ ପରିବାରରେ ଗୋଟିଏ ବାହାଘର ଥିବାରୁ ବବୁଲ ମା’ ରେଶମାଙ୍କ ପାଖକୁ ନିମନ୍ତ୍ରଣ ପତ୍ର ପଠାଇଥିଲେ। ହେଲେ ରେଶମା ଏହାର କୌଣସି ଜବାବ ଦେଇ ନଥିଲେ। ତେଣୁ ଗୋରେଲାଲଙ୍କ ଉପରେ ବବଲୁଙ୍କ ସନ୍ଦେହ ବଢ଼ିଥିଲା।
ସେ ଗୋରେଲାଲଙ୍କ ଘରକୁ ଯାଇ ମା’ଙ୍କ ସମ୍ପର୍କରେ ପଚାରିଥିଲେ। ଗୋରେଲାଲ ଏହାର ଜବାବରେ କହିଥିଲେ ଯେ “ତୁମମାନଙ୍କ ମା’ ଆଉ କେବେ ବି ଫେରିବନି।” ବବଲୁ ବାରମ୍ବାର ମା’ଙ୍କ ସମ୍ପର୍କରେ ପଚାରିଥିଲେ ହେଁ ଗୋରେଲାଲ ସ୍ପଷ୍ଟ ଉତ୍ତର ଦେଇ ନଥିଲେ। ଏଥିପାଇଁ ସେ ବାଧ୍ୟ ହୋଇ ପୁଲିସ୍ ନିକଟରେ ପହଞ୍ଚିଥିଲେ।
ସାଂଘାତିକ ଖୁଲାସା
ବବଲୁଙ୍କ ଅଭିଯୋଗ ପରେ ଗୋରେଲାଲଙ୍କୁ ନିଜ ହେପାଜତକୁ ନେଇଥିଲା ପୁଲିସ। ପ୍ରଥମେ ସେ ପୁଲିସ୍ର କୌଣସି ପ୍ରଶ୍ନର ଉତ୍ତର ଦେଇ ନଥିଲେ। ହେଲେ ଚାପ ବଢ଼ିବାରୁ ସେ କାନ୍ଦି କାନ୍ଦି ନିଜର ଅପରାଧକୁ ସ୍ୱୀକାର କରିଥିଲେ। ସେ ପୁଲିସ୍କୁ କହିଛନ୍ତି ଗତ ବର୍ଷ ଏପ୍ରିଲ ମାସରେ ରେଶମାଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ରେଶମା ଠାରୁ ଗୋରେଲାଲ ଅଲଗା ହେବାକୁ ଚାହୁଁଥିଲେ। ଏଥିପାଇଁ ସେ ରେଶମାଙ୍କୁ ନିଜ ସମ୍ପର୍କୀୟଙ୍କ ଚାଲି ଯିବାକୁ କହିଥିଲେ।
ହେଲେ ଏଥିରେ ସେ ରାଜି ହୋଇ ନଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ନିୟମିତ ପାଟିତୁଣ୍ଡ ହୋଇଥିଲା। ଗୋଟିଏ ଦିନ ଏମିତି ପାଟିତୁଣ୍ଡ ବେଳେ ଗୋରେଲାଲ ରାଗରେ ରେଶମାଙ୍କ ତଣ୍ଟି ଚିପି ଦେଇଥିଲେ। ଫଳରେ ତାଙ୍କର ମୃତ୍ୟୁ(Murder) ହୋଇ ଯାଇଥିଲା। ମୃତଦେହକୁ ସେ ଦୁଇ ଦିନ କାଳ ଘରେ ରଖି ଏହାକୁ କେମିତି ରଫାଦଫା କରିବେ, ତା’ର ଯୋଜନା କରିଥିଲେ।
ପ୍ରଥମେ ସେ ମୃତଦେହକୁ କେନାଲରେ ଫିଙ୍ଗି ଦେବାକୁ ଚିନ୍ତା କରିଥିଲେ। କିନ୍ତୁ ପାଣିରେ ମୃତଦେହ ଭାସିବାର ଆଶଙ୍କା ଥିବାରୁ ସେ ନିଜ ଯୋଜନା ବଦଳାଇ ଦେଇଥିଲେ। ଏହାପରେ ସେ ଗାଁର ଗୋଟିଏ ପରିତ୍ୟକ୍ତ ସ୍ଥାନକୁ ଖୋଳିବା ସହ ସେଠାରେ ରେଶମାଙ୍କ ମୃତଦେହକୁ ୧୦ ମାସ ତଳେ ପୋତି ଦେଇଥିଲେ। ତାଙ୍କ ଠାରୁ ସୂଚନା ପାଇ ପୁଲିସ୍ ଉକ୍ତ ସ୍ଥାନରୁ କଙ୍କାଳ ଜବତ କରିଛି। ଏଥିସହ ପରେନ୍ସିକ ଯାଞ୍ଚ ପାଇଁ ପଠାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
